ନା ଅଛି ରାସ୍ତା ନା ଅଛି ପୋଲ, ଗର୍ଭବତୀଙ୍କୁ କାନ୍ଧରେ ବୋହିକି ହସ୍ପିଟାଲ ନେଲେ ପରିବାର ଲୋକ

ହାଇଦ୍ରାବାଦ,୨୫।୭: ସ୍ବାଧିନତାର ଏତେ ବର୍ଷ ପରେ ବି ଏମିତି କିଛି ଗାଁ ଅଛି ଯେଉଁଠାରେ ଏପର୍ଯ୍ୟନ୍ତ ଲୋକେ ମୌଳିକ ଅଧିକାରରୁ ବଞ୍ଚିତ ଅଛନ୍ତି। ସରକାର ଉପାନ୍ତ ଅଞ୍ଚଳରେ ବିକାଶର ଡିଣ୍ଡିମ ପିଟୁଥିବା ବେଳେ ଏହାର ନଗ୍ନ ଉଦାହରଣ ଦେଖିବାକୁ ମିଳିଛି ତେଲେଙ୍ଗାନାରେ। ନିକଟରେ ଉକ୍ତ ରାଜ୍ୟରେ ପ୍ରବଳ ବର୍ଷା ହୋଇଥିବାରୁ ଅନେକ ଜିଲା ପ୍ରଭାବିତ ହୋଇଛି। ଭଦ୍ରାଦ୍ରୀ କୋଥାଗୁଡେମ ଜିଲାର କେତେକ ହ୍ରଦ ବର୍ଷା ଯୋଗୁ ଜଳସ୍ତର ଉପରେ ପ୍ରଭାହିତ ହେଉଛି। ନଦୀରେ ପ୍ରବାହିତ ଜଳ ଯୋଗୁ ଗଁାଗୁଡ଼ିକରେ ସମସ୍ତ ରାସ୍ତାଘାଟ ବିଚ୍ଛିନ୍ନ ହୋଇଯାଇଛି। ଫଳରେ ଲୋକଙ୍କୁ ଯାତାୟତରେ ବାଧା ଉପୁଜିଛି। ଯାତାୟତ ପାଇଁ ଗୁଣ୍ଡଲା ମଣ୍ଡଳର ମଲାନ୍ନା ବଗୁ ହ୍ରଦ ଉପରେ ଥିବା ଅସ୍ଥାୟୀ ପୋଲ ଏକମାତ୍ର ସାହାଭରଷା ଥିବା ବେଳେ ତାହା ମଧ୍ୟ ବର୍ଷା ପାଣିରେ ଧୋଇ ହୋଇଯାଇଛି। ନଦୀର ବନ୍ୟା ପରିସ୍ଥିତି ଯୋଗୁଁ ଏହି ଅଞ୍ଚଳର ଲୋକଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। ଏଭଳି ସ୍ଥିତିରେ ଗର୍ଭବତୀ ମହିଳାଙ୍କୁ ହସ୍ପିଟାଲ ନେବାକୁ ହେଲେ ନିଜ ଜୀପନ ବାଜି ଲଗାଇବାକୁ ପଡ଼ୁଛି। ସୂଚନାଯୋଗ୍ୟ ନରସାପୁରମ ଟଣ୍ଡା ନିବାସୀ ଗର୍ଭବତୀ ନୁନଓ୍ବତ ମମତା ୮ମାସର ଗର୍ଭବତୀ ଥିବା ବେଳେ ତାଙ୍କୁ ଗୁଣ୍ଡଲାସ୍ଥିତ ସରକାରୀ ଡାକ୍ତରଖାନା ଯିବାକୁ ଥିଲା। ତେବେ କୌଣସି ସାଧନ ନ ମିଳିବାରୁ ପରିବାର ଲୋକେ ତାଙ୍କୁ ବାଇକ୍‌ରେ ହସ୍ପିଟାଲ ନେଇଥିଲେ। ହେଲେ ମଲାନ୍ନା ବଗୁ ହ୍ରଦ ନିକଟରେ ପହଞ୍ଚିବା ବେଳକୁ ସେଠାରେ ଥିବା ଅସ୍ଥାୟୀ ପୋଲ ବର୍ଷା ଜଳରେ ଧୋଇ ହୋଇଯାଇଥିଲା। ଏହାପରେ ପରିବାରଲୋକେ ନିଜ ଜୀବନକୁ ବିପଦରେ ପକାଇ ଗର୍ଭବତୀ ମହିଳାଙ୍କୁ କାନ୍ଧରେ ବୋହି ଉକ୍ତ ହ୍ରଦ ପାର କରିଥିଲେ। ସବୁ ବାଧାବିଘ୍ନକୁ ପାର କରି ଶେଷରେ ମମତାଙ୍କୁ ସୁରକ୍ଷିତ ଭାବେ ଗୁଣ୍ଡଲାସ୍ଥିତ ସରକାରୀ ଡାକ୍ତରଖାନାକୁ ନେବାରେ ସେମାନେ ସଫଳ ହୋଇଥିଲେ। ତାଙ୍କ ଅବସ୍ଥା ଏବେ ସ୍ଥିର ଅଛି ବୋଲି ଡାକ୍ତର କହିଛନ୍ତି। ଅନ୍ୟପଟେ ସବୁ ବର୍ଷ ବର୍ଷା ଦିନେ ଏହି ଅଞ୍ଚଳର ଲୋକଙ୍କୁ ସରକାରୀ ହସ୍ପିଟାଲ ଯିବାକୁ ବହୁ ଅସୁବିଧାର ସାମ୍ନା କରିବାକୁ ପଡ଼ିଥାଏ। ପ୍ରଶାସନିକ ଅଧିକାରୀଙ୍କଠାରୁ ନେଇ ନେତା ମନ୍ତ୍ରୀ ପର୍ଯ୍ୟନ୍ତ ସମସ୍ତଙ୍କୁ ଏହି ସମସ୍ୟା ବିଷୟରେ ଅବଗତ କରାଯାଇଥିଲେ ମଧ୍ୟ ଏଠାରେ କୌଣସି ସରକାରୀ ଯୋଜନା ପହଞ୍ଚିବାରେ ସକ୍ଷମ ହୋଇନାହିଁ।

Share