Categories: ଭଦ୍ରକ

ଦବୁଛି ରାସ୍ତା, ପ୍ରଶାସନର ନିଘା ନାହିଁ

ଆରଡ଼ି, ୧୦ା୩ (ଡି.ଏନ.ଏ.) ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକର ସାଠିବାଙ୍କୁଡ଼ା ଓ ବୋଡ଼କର ମଧ୍ୟବର୍ତ୍ତୀ ସ୍ଥାନରେ ୨୦ ନଂ. ଜାତୀୟ ରାଜପଥରେ ମାସକ ତଳେ ପ୍ରାୟ ୫୦ ଫୁଟ୍‌ର ରାସ୍ତା ଦବିଥିଲା। ଏଥିସହ ୧୦୦ ଫୁଟ୍‌ର ଫାଟ ସୃଷ୍ଟି ହୋଇଥିଲା। ଏହି ସ୍ଥାନରେ ବାରମ୍ବାର ରାସ୍ତା ଦବି ଏହା ପାର୍ଶ୍ୱ ବୈତରଣୀ ନଦୀରେ ମିଶିବାକୁ ବସିଛି। କୁଆଖିଆରୁ ସାତଭାୟା ଏହି ରାଜପଥରେ ଆରଡ଼ିଠାରୁ ଯାଜପୁର, କଟକ ଓ ଭୁବନେଶ୍ୱରକୁ ପ୍ରତିଦିନ ଶତାଧିକ ଛୋଟ ବଡ଼ ଯାନ ଚଳାଚଳ କରୁଛି। ରାସ୍ତା ଦବିବା ସ୍ଥାନରେ କେହି ବ୍ୟକ୍ତି ମାଟି ପକାଇ ଫାଟ ବନ୍ଦ କରିବାକୁ ଉଦ୍ୟମ କରିଥିଲେ। ଏହାମଧ୍ୟରେ ରାସ୍ତାର ଗୋଟିଏ ପାର୍ଶ୍ୱ ନଦୀରେ ମିଶିବା ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲେ ବି ବିଭାଗ ପକ୍ଷରୁ ମରାମତି କରାଯାଉ ନାହିଁ। ଫଳରେ ଉକ୍ତ ସ୍ଥାନରେ ଧନ ଜୀବନ ହାନି ଘଟିବାର ଆଶଙ୍କା ପ୍ରକାଶ କରିଛନ୍ତି ସ୍ଥାନୀୟ ଲୋକେ।
ପ୍ରତିବର୍ଷ ଗୋଟିଏ ସ୍ଥାନରେ ବାରମ୍ବାର ରାସ୍ତା ଦବୁଥିବା ବେଳେ ଠିକ୍‌ ଭାବେ ତଥା ସ୍ଥାୟୀ ମରାମତି କରାଯାଉ ନ ଥିବା ଯୋଗୁ ଏଭଳି ସ୍ଥିତି ସୃଷ୍ଟି ହେଉଛି। ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଉଥିଲେ ବି କୌଣସି ସୁଫଳ ମିଳିପାରୁ ନ ଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଏବେ ରାସ୍ତାର ଏଭଳି ଅବସ୍ଥା ନେଇ ବୋଡ଼କ, ସାଠିବାଙ୍କୁଡ଼ା, ଓଳଗ ଆଦି ଗ୍ରାମର ଅଧିବାସୀ ଜିଲାପାଳଙ୍କୁ ଲିଖିତ ଭାବେ ଜଣାଇଛନ୍ତି। ଏବେଠୁ ରାସ୍ତା ମରାମତି ନ ହେଲେ ଆଗକୁ ବର୍ଷାଦିନେ ବହୁ ସମସ୍ୟା ଉପୁଜିବ। ତୁରନ୍ତ ରାସ୍ତାର ଟେଣ୍ଡର କରାଯାଇ ସ୍ଥାୟୀ ମରାମତି କରା ନ ଗଲେ ସେମାନେ ଆନ୍ଦୋଳନାତ୍ମକ ପନ୍ଥା ଅପଣାଇବେ ବୋଲି ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ ବିଭାଗୀୟ ଜେଇ ଶୁଭସ୍ମିତା ପାଣିଙ୍କୁ ପଚାରିବାରୁ ବର୍ଷାଦିନ ପୂର୍ବରୁ ଟେଣ୍ଡର କରାଯାଇ ମରାମତି କାର୍ଯ୍ୟ ଆରମ୍ଭ ହେବ ବୋଲି କହିଛନ୍ତି।