Categories: ଜାତୀୟ

ପଛଘୁଞ୍ଚା ନାହିଁ କୃଷକ ଜାତକେ

ନୂଆଦିଲ୍ଲୀ,୨ା୧୨: ବିବାଦୀୟ କୃଷି ଆଇନ ପ୍ରତ୍ୟାହାର ଦାବିରେ ଦିଲ୍ଲୀ ଓ ଜାତୀୟ ରାଜଧାନୀ ସୀମାରେ ଆନ୍ଦୋଳନ କରୁଥିବା ଚାଷୀମାନେ ପଛଘୁଞ୍ଚା ଦେବେ ନାହିଁ। କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଆନ୍ଦୋଳନ ପ୍ରତ୍ୟାହାର ପାଇଁ ମଙ୍ଗଳବାର ଚାଷୀ ନେତାମାନଙ୍କୁ ଅନୁରୋଧ କରିବା ସତ୍ତ୍ୱେ ସେମାନେ ଓହରିବେ ନାହିଁ। ଏହି ଆଇନ ନ ହଟାଇବା ଯାଏ ଆନ୍ଦୋଳନ ଜାରି ରହିବ ବୋଲି କୃଷକ ନେତାମାନେ ସ୍ପଷ୍ଟ କରିଛନ୍ତି।
କେନ୍ଦ୍ରମନ୍ତ୍ରୀଙ୍କ ସହ ଆଲୋଚନା ପରେ ଭାରତୀୟ କିଷାନ ୟୁନିୟନ (ବିକେୟୁ) ଅଧ୍ୟକ୍ଷ ନରେଶ ଟିକାଏତ୍‌ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଆଲୋଚନା କିଛି ବାଟ ଆଗେଇଛି। କିନ୍ତୁ ଆନ୍ଦୋଳନ ଜାରି ରହିବ। କୃଷି ଆଇନକୁ ନେଇ ଆମେ ଆମର ସମସ୍ୟା ସମ୍ପର୍କରେ ବୁଧବାର କେନ୍ଦ୍ର ସରକାରଙ୍କୁ ଏକ ଚିଠା ଦେବୁ। ସରକାର ପଞ୍ଜାବ, ହରିୟାଣା, ଦିଲ୍ଲୀ, ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡର ଚାଷୀମାନଙ୍କ ସହ ଆଲୋଚନା ଆରମ୍ଭ କରିଛନ୍ତି। ତେଣୁ ଡିସେମ୍ବର ୩ରେ ହେବାକୁ ଥିବା ଚତୁର୍ଥ ପର୍ଯ୍ୟାୟ ବୈଠକ ପର୍ଯ୍ୟନ୍ତ ସରକାର ଏହି ପ୍ରସଙ୍ଗରେ ଗଭୀର ଭାବେ ଅନୁଧ୍ୟାନ କରନ୍ତୁ। ବୈଠକରେ ୫ ଜଣିଆ କମିଟି ଗଠନ କରି ସରକାରଙ୍କ ସହ ଆଲୋଚନା ପାଇଁ ତୋମାର କହିଥିଲେ। ଏହାକୁ ଆମେ ପ୍ରତ୍ୟାଖ୍ୟାନ କରିଛୁ। ତୋମାର କହିଛନ୍ତି, ଟିକାଏତ୍‌ କିଷାନ ୟୁନିୟନ ସହ ମଧ୍ୟ ଆଲୋଚନା ହୋଇଛି। ଏହି ଆଇନକୁ ନେଇ ସେମାନଙ୍କର ଅସୁବିଧା ସମ୍ପର୍କରେ ଲିଖିତ ଭାବେ ଜଣାଇବାକୁ କୁହାଯାଇଛି। ଏହି ଅବସରରେ କୃଷକ ନେତାମାନେ ତୋମାରଙ୍କୁ ଲଙ୍ଗରକୁ ଆମନ୍ତ୍ରଣ କରିଥିଲେ। କେନ୍ଦ୍ରମନ୍ତ୍ରୀ ସେମାନଙ୍କ ବିକ୍ଷୋଭସ୍ଥଳକୁ ଆସନ୍ତୁ। ସେମାନେ ତାଙ୍କୁ ଜିଲାପି ଓ ପକୋଡ଼ା ଖାଇବାକୁ ଦେବେ ବୋଲି କହିଥିଲେ।

Share