୧୦ କି.ମି. ଭାରରେ ବୁହାହେଲେ ରୋଗୀ

ମାଥିଲି,୮ା୧୦(ଡି.ଏନ୍‌.ଏ.): ରାଜ୍ୟ ସରକାର ସବୁ ଗ୍ରାମକୁ ପକ୍କା ରାସ୍ତା ଯୋଗାଇ ଦେଉଥିବା କହୁଛନ୍ତି। ମାତ୍ର ଦୁର୍ଗମ ଅଞ୍ଚଳରେ ଏପରି ଗ୍ରାମ ରହିଛି, ସେଠାକୁ ଏଯାଏ ପକ୍କା ରାସ୍ତାଟିଏ ନାହିଁ। ଫଳରେ ଲୋକେ ଯାତାୟାତ ପାଇଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଦୁର୍ଗମ ଅଞ୍ଚଳର ସେପରି ଏକ ଗ୍ରାମ ହେଉଛି ମାଲକାନଗିରି ଜିଲା ଖଇରପୁଟ ବ୍ଲକର ତାଗାବେଡ଼ା ଗ୍ରାମ। ଏହି ଗ୍ରାମରେ ଜଣେ ବୃଦ୍ଧ ଦୀର୍ଘଦିନ ଧରି ଅସୁସ୍ଥ ହୋଇ ପଡ଼ିଥିଲେ। ଦୁଇ ଦିନ ତଳେ ତାଙ୍କ ଦେହ ଅତି ଗୁରୁତର ହେବାରୁ ପରିବାର ଲୋକେ ଏବଂ ଗ୍ରାମବାସୀ ତାଙ୍କୁ ଡାକ୍ତରଖାନା ନେବାକୁ ଆମ୍ବୁଲାନ୍ସ ଡାକିଥିଲେ। ମାତ୍ର ରାସ୍ତା ସମସ୍ୟା ଯୋଗୁ ଗ୍ରାମରେ ଆମ୍ବୁଲାନ୍ସ ପହଞ୍ଚତ୍ପାରି ନ ଥିଲା। ଶେଷରେ ପରିବାର ଓ ଗ୍ରାମବାସୀ ମିଶି ତାଙ୍କୁ ଏକ କାଉଡ଼ିରେ ଭାର କରି ୧୦ କି.ମି. ପାହାଡ଼ିଆ ରାସ୍ତା ଦେଇ ଖଇରପୁଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ତାଗାବେଡ଼ା ଗ୍ରାମକୁ କିଛିଦିନ ତଳେ ଘାଟି କଟିଂ କରି ରାସ୍ତା ନିର୍ମାଣ କରି ବ୍ଲକ ଓ ଜିଲା ପ୍ରଶାସନ ଚର୍ଚ୍ଚାକୁ ଆସିଥିଲେ। ମାତ୍ର ଏହାର ୪ମାସ ଭିତରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି। ଗ୍ରାମକୁ କେବେ ପକ୍କାରାସ୍ତା ନିର୍ମାଣ ହେବ ଏବଂ ଗ୍ରାମବାସୀ ମୌଳିକ ସୁବିଧା ସୁଯୋଗ ପାଇବେ ସେନେଇ ଗ୍ରାମବାସୀ ଚାହିଁ ରହିଛନ୍ତି। ଏହି ଦୁର୍ଗମ ଅଞ୍ଚଳର ଆଦିମ ବଣ୍ଡା ଜନଜାତିଙ୍କ ଦୁଃଖ କେବେ ଦୂର ହେବ ତାହା ଦେଖିବାକୁ ବାକି ରହିଲା।