ପାଖରେ ନାହିଁ କାଣି କଉଡ଼ି, ସହାୟତା ଭରସାରେ ତାଲିବାନ୍‌…

କାବୁଲ,୧୫।୯: ତାଲିବାନ୍‌ କ୍ଷମତା ଦଖଲ କରିବା ପରେ ଏବେ ଆଫଗାନିସ୍ତାନର ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ଦେଶର ଆର୍ଥିକ ଅବସ୍ଥା ଖରାପ ହେବାରେ ଲାଗିଛି। ବନ୍ଧୁକ ମୂନରେ ଦେଶକୁ କବ୍‌ଜା କରିଥିବା ତାଲିବାନ୍‌ ପାଖରେ କାଣି କଉଡ଼ି ନାହିଁ। ଏବେ ସଂଗଠନ ଅନ୍ୟ ଦେଶର ସହାୟତା ଭରସାରେ ରହିଛି।

ଜାତିସଂଘ କହିଛି ଯେ, ଚାରି ନିୟୁତ ଆଫଗାନୀ ଖାଇବାକୁ ପାଉ ନାହାନ୍ତି। ଦେଶ ଖାଦ୍ୟର ଅଭାବ ଯୋଗୁ ଜରୁରୀକାଳୀନ ପରିସ୍ଥିତିର ସମ୍ମୁଖୀନ ହୋଇଛି। ଭୋକିଲାଙ୍କ ମଧ୍ୟରେ ଅଧିକାଂଶ ଗ୍ରାମାଞ୍ଚଳରେ ବାସ କରୁଛନ୍ତି। ଗହମ ଚାଷ, ପଶୁପାଳନ ଏବଂ ଖାଦ୍ୟ ପାଇଁ ଆଫଗାନିସ୍ତାନକୁ ନଗଦ ୩୬ ମିଲିୟନ ଡଲାରର ଆବଶ୍ୟକତା ରହିଛି।

ତାଲିବାନ୍‌ ଶାସନ ପରେ ଦେଶକୁ ବିଦେଶୀ ସହାୟତା ବନ୍ଦ ହୋଇଯାଇଛି। ଏଭଳି ପରିସ୍ଥିତିରେ ଆଫଗାନିସ୍ତାନର ଅର୍ଥନୀତିି ହ୍ରାସ ପାଉଛି ଏବଂ ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟ ବୃଦ୍ଧି ହେବାରେ ଲାଗିଛି। ଜାତିସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି ଯେ ଆଫଗାନିସ୍ତାନର ୯୭ ପ୍ରତିଶତ ଲୋକ ଶୀଘ୍ର ଦାରିଦ୍ର୍ୟ ସୀମାରେଖା ତଳକୁ ଯିବାର ଆଶଙ୍କା ସୃଷ୍ଟି ହୋଇଛି। ପୂର୍ବରୁ ଏହା ୭୨ ପ୍ରତିଶତ ଥିଲା।

ଗଣମାଧ୍ୟମ ସଂସ୍ଥା ନ୍ୟୁୟର୍କ ପୋଷ୍ଟ ରିପୋର୍ଟ ଅନୁସାରେ ଲୋକେ ଦୁଇବେଳା ଖାଇବାକୁ ପାଉ ନ ଥିବାରୁ ସ୍ଥିତି ଧୀରେଧୀରେ ଖରାପ ହେବାରେ ଲାଗିଛି। ସେମାନଙ୍କ ପାଖରେ କୌଣସି ଅତ୍ୟାବଶ୍ୟକ ସାମଗ୍ରୀ ନାହିଁ।
ଆଫଗାନିସ୍ତାନର ସ୍ଥିତି ନେଇ ଅନ୍ତର୍ଜାତୀୟ ସମୁଦାୟ ସହାୟତାର ହାତ ବଢ଼ାଇବା ଲାଗି ଜାତିସଂଘ ପକ୍ଷରୁ ଅନୁରୋଧ କରାଯାଇଛି।

Share