ସରକାରୀ ସ୍ତରରେ ନାହିଁ ବଜାର ବ୍ୟବସ୍ଥା, ଫାଇଦାରେ ବ୍ୟବସାୟୀ

ମାଥିଲି,୧୫।୩ (ଡି.ଏନ.ଏ.): ଆଦିବାସୀମାନଙ୍କୁ ରୋଜଗାର ଯୋଗାଉଛି ଋତୁକାଳୀନ ବନଜାତ ଦ୍ରବ୍ୟ ମହୁଲ। ବଣ ପାହାଡ ଘେରା ମାଲକାନଗିରି ଜିଲାର ପ୍ରମୁଖ ବନଜାତ ଦ୍ରବ୍ୟ ମଧ୍ୟରେ ଏହି ମହୁଲ ଫୁଲ ଅନ୍ୟତମ। ଫେବୃଆରୀ, ମାର୍ଚ୍ଚ,ଏପ୍ରିଲ ୩ ମାସ ଧରି ମହୁଲ ଫୁଲ ସଂଗ୍ରହ କରି ଆଦିବାସୀମାନେ ଏଥିରୁ ରୋଜଗାର କରିଥାନ୍ତି। ଏହାକୁ ସଂଗ୍ରହ କରିବା ପାଇଁ ପରିବାରର ଛୋଟପିଲାଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତି ପର୍ଯ୍ୟନ୍ତ ସମସ୍ତେ ଲାଗିପଡନ୍ତି। ସେମାନେ ଜଙ୍ଗଲ ଓ ଜମିରେ ଥିବା ମହୁଲ ଗଛ ନିକଟରେ ଜଗି ରହନ୍ତି। ପୂର୍ବାହ୍ନରୁ ଅପରାହ୍ନଯାଏ ଯେତେ ଫୁଲ ପଡେ ସେସବୁ ସାଙ୍ଗରେ ନେଇଥିବା ଏକ ବାଉଁଶ ତିଆରି ଚାଙ୍ଗୁଡ଼ିରେ ସଂଗ୍ରହ କରିଥାନ୍ତି। ସେମାନଙ୍କ ଦ୍ୱାରା ଦିନକୁ ୫୦ରୁ ୬୦ କିଲୋ ମହୁଲ ସଂଗ୍ରହ ହୋଇଥାଏ। ତେବେ ସରକାରଙ୍କ ପକ୍ଷରୁ ମହୁଲ ଫୁଲ ବିକ୍ରି ଲାଗି ବଜାର ସୁବିଧା ଏଯାଏ କରାଯାଇ ନ ଥିବାରୁ ଏହାର ଲାଭ ଉଠାଉଛନ୍ତି ବାହାର ବ୍ୟବସାୟୀ। ପ୍ରତ୍ୟେକ ବର୍ଷ ମାଲକାନଗିରି ଜିଲାରୁ ବହୁ ପରିମାଣରେ ଟନ୍‌ ଟନ୍‌ ମହୁଲ ବାହାର ରାଜ୍ୟକୁ ଚାଲାଣ ହୋଇଥାଏ। ଜିଲାର ମାଥିଲି, ଖଇରପୁଟ, କୁଡ଼ମୁଲୁଗୁମା, ଚିତ୍ରକୋଣ୍ଡା, କୋରକୁଣ୍ଡା, ମାଲକାନଗିରି ଓ ପଡିଆ ବ୍ଲକରୁ ଅଧିକ ମହୁଲ ଫୁଲ ମିଳିଥାଏ। ସଂଗୃହୀତ ମହୁଲ ଫୁଲକୁ ଆଣି ସେମାନେ ଖରାରେ ଶୁଖାଇ ପରେ ନିକଟସ୍ଥ ହାଟ କିମ୍ବା ବ୍ୟବସାୟୀଙ୍କୁ ନେଇ ବିକ୍ରି କରିଥାନ୍ତି। କିଲୋପ୍ରତି ମହୁଲ ୧୬ରୁ ୧୮ ଟଙ୍କାରେ ବ୍ୟବସାୟୀମାନେ ସେମାନଙ୍କଠାରୁ କିଣି ଆନ୍ଧ୍ରପ୍ରଦେଶ, ଛତିଶଗଡ଼କୁ ଚାଲାଣ କରି କ୍ରୟ ଦରଠାରୁ ବହୁ ଅଧିକ ଦରରେ ବିକ୍ରି କରିଥାନ୍ତି। ରାଜ୍ୟ ସରକାର ତଥା ଜିଲା ପ୍ରଶାସନ ଏଦିଗରେ ପଦକ୍ଷେପ ନେଇ ବଜାର ବ୍ୟବସ୍ଥା କରିବାକୁ ସାଧାରଣରେ ଦାବି ହେଉଛି।