ଭିତ୍ତିଭୂମି ନାହିଁ,ଚାଷ ଛାଡ଼ୁଛନ୍ତି ଚାଷୀ

କେନ୍ଦ୍ରାପଡ଼ା ଅଫିସ,୨୪।୧: କେନ୍ଦ୍ରାପଡ଼ା ଜିଲା ସର୍ଭେ ରିପୋର୍ଟ ଅନୁଯାୟୀ ମଧ୍ୟମ ଓ ବୃହତ୍‌ ଶିଳ୍ପ ସଂଖ୍ୟା ଶୂନ । ଜିଲାର ଅର୍ଥନୀତି ୭୯ ପ୍ରତିଶତ ଚାଷ ଦ୍ୱାରା ପରିଚାଳିତ । ଜିଲାରେ ୭ ନଦୀ ଓ ୨୭ ଶାଖା ନାଳ ଅଛି । ଏଥିସହିତ ବାର୍ଷିକ ହାରାହାରି ୭୧ ଦିନ ବର୍ଷା ସହିତ ୧୩୪୦ ମିଲିମିଟର ବୃଷ୍ଟିପାତ ହେଉଛି । ସେହିପରି ୧, ୮୨, ୧୮୪ ହେକ୍ଟର ଚାଷ ଜମି ଅଛି । ଏସବୁ ସତ୍ତ୍ୱେ ଭିତ୍ତିଭୂମି ଅଭାବ ଦର୍ଶାଇ ଚାଷୀ ଚାଷ ଛାଡୁଛନ୍ତି । ଅର୍ଦ୍ଧାଧିକ ଜମି ଜଳସେଚନରୁ ବଞ୍ଚିତ୍ତ ହୋଇଛି । ପାଣି ପଞ୍ଚାୟତ ଗଠନ ଓ ପରିଚାଳନାଗତ ତ୍ରୁଟି ଚାଷୀଙ୍କ ସମସ୍ୟାକୁ ଦ୍ୱିଗୁଣିତ କରିଛି । କୃଷକଙ୍କ ପ୍ରକୃତ ସମସ୍ୟା ପ୍ରତି ଅଣଦେଖା କରାଯାଉଥିବା ଅଭିଯୋଗ ହେଉଛି ।

ଏ ସଂକ୍ରାନ୍ତରେ କଂସାର ଗ୍ରାମର ଚାଷୀ ନିରଞ୍ଜନ ପରିଡା, କୃଷକ ନେତା ଗୟାଧର ଧଳ କୁହନ୍ତି, ନିର୍ବାଚନ ସମୟ ଆସିଲେ ରାଜନେତାଙ୍କ ଚାଷୀ ସମସ୍ୟା କଥା ମନେପଡେ । ଇସ୍ତାହାର ପତ୍ରରେ ଚାଷୀ ଓ ଚାଷ ସମସ୍ୟାକୁ ଗୁରୁତ୍ୱ ଦିଆଯାଏ । ନିର୍ବାଚନ ପ୍ରକ୍ରିୟା ଶେଷ ପରେ ସେହି ଇସ୍ତାହାରର ଗୁରୁତ୍ୱ ରହେ ନାହିଁ । ଜିଲାର ୩୬,୦୩୮ ହେକ୍ଟର ଉଚ୍ଚ ଜମିକୁ ଜଳସେଚନ ବ୍ୟବସ୍ଥା ନାହିଁ । ସେହିପରି ୭୦,୩୩୩ ହେକ୍ଟର ଜମିରେ ଜଳ ନିଷ୍କାସନ ଏକ ସମସ୍ୟା ହୋଇ ଠିଆ ହୋଇଛି । ଚାଷୋପଯୋଗୀ ୭୫,୮୧୮ ହେକ୍ଟର ମଧ୍ୟମ ଜମି ମଧ୍ୟରୁ ୬୫,୦୩୨ ହେକ୍ଟର ଜମି ଜଳସେଚିତ ହେଉଥିବା ଦର୍ଶାଯାଉଥିଲେ ମଧ୍ୟ ବାସ୍ତବିକ ତଥ୍ୟ ଏହାଠାରୁ ଭିନ୍ନ । ଜିଲାର ୯ ବ୍ଲକ ମଧ୍ୟରୁ ଆଳି, ରାଜନଗର ଓ ରାଜକନିକାରେ ଆଦୌ କେନାଲ ନାହିଁ । ପ୍ରତି ବ୍ଲକର ଅତିକମ୍‌ରେ ୩୫ ପ୍ରତିଶତ କ୍ଷେତକୁ ଜଳ ଯୋଗାଣ ହେବ ବୋଲି ରାଜ୍ୟ ସରକାର ଘୋଷଣା କରିଥିଲେ। ଇତିମଧ୍ୟରେ ଦୀର୍ଘଦିନ ବିତିଥିଲେ ମଧ୍ୟ ସେହି ଘୋଷଣା କାର୍ଯ୍ୟକାରୀ ହୋଇନାହିଁ । ଫଳରେ ଯୁବବର୍ଗ ଚାଷ ଛାଡ଼ି କର୍ମ ନିଯୁକ୍ତି ପାଇଁ ବିଦେଶମୁହାଁ ହେଉଛନ୍ତି ବୋଲି ଅଭିଯୋଗ ହୋଇଛି ।

ସୂଚନା ଅଧିକାର କର୍ମୀ ପ୍ରମୋଦ କୁମାର ସ୍ବାଇଁ କହିଛନ୍ତି, ଏନେଇ କୃଷି ବିଭାଗ ପକ୍ଷରୁ ଏକ ତଥ୍ୟ ମିଳିଛି । ଏହି ତଥ୍ୟ ଅନୁଯାୟୀ, ମହାକାଳପଡା ବ୍ଲକ ଅଞ୍ଚଳରେ ୨୮,୦୭୦ ହେକ୍ଟର ଚାଷ ଜମି ଥିବା ବେଳେ ମାତ୍ର ୬,୮୨୩ ହେକ୍ଟର ଜମିକୁ ଜଳସେଚନର ବ୍ୟବସ୍ଥା ରହିଛି । ଅର୍ଥାତ୍‌ ୨୪.୩୧ ପ୍ରତିଶତ ଜମି ଜଳସେଚିତ । ସେହିପରି ରାଜନଗରର ମୋଟ ୨୫,୮୯୫ ହେକ୍ଟର ଜମିରୁ ମାତ୍ର ୧୯.୧୬ ପ୍ରତିଶତ ଜମି ଜଳସେଚିତ । ସେହିପରି ରାଜକନିକା ବ୍ଲକ ଅଞ୍ଚଳରେ ୩୩.୬୨ ପ୍ରତିଶତ କ୍ଷେତକୁ ଉଠା ଜଳସେଚନ ଓ ଅନ୍ୟାନ୍ୟ ଉତ୍ସ୍ୟରୁ ଜଳ ମିଳୁଛି । ଜିଲାରେ ୧,୧୧୪ଟି ଲିଫ୍ଟ ଇରିଗେଶନ ଓ ୩,୦୬୩ଟି ସୋଲୋ ଟିଉବ୍‌ୱେଲ ମାଧ୍ୟମରେ ମୋଟ୍‌ ୩୦,୬୮୧ ହେକ୍ଟରକୁ ଜଳସେଚନ ହେଉଥିବା ଏହି ତଥ୍ୟରେ ଉଲ୍ଲେଖ ଥିବା ବେଳେ ଅନ୍ୟାନ୍ୟ ଉତ୍ସରୁ ମାତ୍ର ୧୦,୬୨୪ ହେକ୍ଟର ପାଣି ମିଳୁଥିବା ଦର୍ଶାଯାଇଛି । ତେବେ ତୃଣମୂଳରେ ଏହାର ତନଖି କଲେ ଏହି ତଥ୍ୟ ଅବାସ୍ତବ ବୋଲି ସେ ପ୍ରକାଶ କରିଛନ୍ତି ।

ବୁଦ୍ଧିଜୀବୀ ବାନାମ୍ବର ସାହୁ କହିଛନ୍ତି, ଉଠା ଜଳସେଚନ ବିଭାଗ ପକ୍ଷରୁ ଗଠନ ହୋଇଥିବା ପାଣି ପଞ୍ଚାୟତ ଏବେ ପ୍ରହସନ ପାଲଟିଛି । କେତେକ ପାଣି ପଞ୍ଚାୟତରେ ସଭ୍ୟାସଭ୍ୟଙ୍କ ଅଜାଣତରେ କର୍ମକର୍ତ୍ତାମାନେ ସରକାରୀ ଅନୁଦାନକୁ ଠିକାଦାରି ଆଳରେ ହଡପ କରୁଛନ୍ତି । ସେହିପରି ଜଳସମ୍ପଦ ବିଭାଗ ପକ୍ଷରୁ ଜଳ ପରିଚାଳନାକୁ ଗୁରୁତ୍ୱ ଦିଆଯାଉନାହିଁ । ଗୋବରୀ, ଜମ୍ବୁ, କେନ୍ଦ୍ରାପଡା, ପଟ୍ଟାମୁଣ୍ଡାଇ କେନାଲ ଆଦିରେ ବିଲାତି ଦଳ ଭର୍ତ୍ତି ହୋଇ ରହିଛି । ଫଳରେ ଶେଷ ମୁଣ୍ଡରେ ଜଳ ପହଞ୍ଚତ୍ ପାରୁନାହିଁ । ପ୍ରତିବର୍ଷ ବନ୍ୟା ସମୟରେ ଉପାନ୍ତ ଅଞ୍ଚଳର ୫୫ ପଞ୍ଚାୟତରେ ଚାଷ ନଷ୍ଟ ହେଉଛି । ଜଳ ନିଷ୍କାସନ ଓ ଜଳସେଚନ ପାଇଁ ଆବଶ୍ୟକ ଜଳର ଅଭାବ ଚାଷୀଙ୍କୁ ଚାଷଠୁ ଦୂରେଇ ଦେଉଛି । ବିଭିନ୍ନ ନଦୀ ଓ ନାଳରେ ବ୍ୟାରେଜ ଓ କ୍ରୀକ୍‌ ବନ୍ଧ ଦ୍ୱାରା ମଧୁର ଜଳ ଅଟକାଇ ଚାଷ କ୍ଷେତକୁ ଜଳସେଚନ ହୋଇପାରନ୍ତା । ହେଲେ ସେଥିପାଇଁ ପଦକ୍ଷେପ ଗ୍ରହଣ କରାଯାଉନାହିଁ ।

ଏ ସମ୍ପର୍କରେ ଜଳସମ୍ପଦ ବିଭାଗ ନିର୍ବାହୀ ଯନ୍ତ୍ରୀ ପ୍ରବୋଧ କୁମାର ରାଉତ କହିଛନ୍ତି, ଜଳ ପରିଚାଳନାକୁ ଗୁରୁତ୍ୱ ଦିଆଯାଉଛି । କେନାଲର ଉନ୍ନତୀକରଣ ସହ କ୍ରୀକ୍‌ ବନ୍ଧ ନିର୍ମାଣ କରାଯାଇଛି । ଆଗକୁ ନଦୀରେ ବ୍ୟାରେଜ ଓ ଅଧିକ କ୍ରୀକ୍‌ ବନ୍ଧ ନିର୍ମାଣ ଯୋଜନା ରହିଛି ।