ଖରିଫ ଚାଷ ପାଇଁ ସାର ନାହିଁ

କେନ୍ଦ୍ରାପଡ଼ା ଅଫିସ, ୯ା୭:କେନ୍ଦ୍ରାପଡ଼ା ଜିଲାରେ ଖରିଫ ଚାଷ ଆରମ୍ଭ ହୋଇଛି। ଚାଷୀ ତଳି ପକାଇ ରୋଇବାକୁ ଅପେକ୍ଷା କରିଥିବାବେଳେ ସାର ଯୋଗାଣ ସମସ୍ୟା ସୃଷ୍ଟି କରିଛି। ଆବଶ୍ୟକ ସାର ଯୋଗାଣ ହେଉ ନ ଥିବାରୁ ଚାଷୀ ବଜାରରୁ ଚଢ଼ା ଦରରେ କିଣିବାକୁ ବାଧ୍ୟ ହେଉଛନ୍ତି। ଏହା ଖରିଫ ଚାଷ ଉପରେ ପ୍ରଭାବ ପକାଇବ ବୋଲି ଚାଷୀ ଓ କୃଷକନେତାମାନେ ମତ ଦେଇଛନ୍ତି।
କୃଷକନେତା ଗୟାଧର ଧଳ କହିଛନ୍ତି, ଜିଲାରେ୧,୪୨,୧୬୫ ହେକ୍ଟରରୁ ଚଳିତବର୍ଷ ୧,୧୭,୫୫୪ ହେକ୍ଟର ଜମିରେ ଖରିଫ ଚାଷ ହେଉଛି। ଏଥିପାଇଁ କେବଳ ୟୁରିଆ ସାର ୯,୫୦୦ ମେଟ୍ରିକ ଟନ୍‌ ଆବଶ୍ୟକ ଅଛି। କେନ୍ଦ୍ରାପଡ଼ା ବ୍ଲକରେ ୯୦୦ ମେଟ୍ରିକ୍‌ ଟନ୍‌ ୟୁରିଆ ଆବଶ୍ୟକ ବେଳେ ଡେରାବିଶ ବ୍ଲକ ଅଞ୍ଚଳ ପାଇଁ ୫୮୫ ମେଟ୍ରିକ୍‌ ଟନ୍‌ ଦରକାର। ସେହିପରି ମାର୍ଶାଘାଇ ବ୍ଲକରେ ୩୧୮, ମହାକାଳପଡାରେ ୧୨୭୦, ଗରଦପୁରରେ ୪୨୦, ପଟ୍ଟାମୁଣ୍ଡାଇରେ ୫୪୫, ଆଳିରେ ୩୧୧, ରାଜକନିକାରେ ୧୦୩୦ ଓ ରାଜନଗର ବ୍ଲକରେ ୧୧୨୧ ମେଟ୍ରିକ୍‌ ଟନ୍‌ ୟୁରିଆ ସାରର ଆବଶ୍ୟକତା ଅଛି। ଏଥିସହ ଅନ୍ୟାନ୍ୟ ସାର ସହ ମୋଟ ୧୪,୪୦୦ ମେଟ୍ରିକ୍‌ ଟନ୍‌ ସାର ଆବଶ୍ୟକ। ତେବେ ଅଦ୍ୟାବଧି ଜିଲାର ୧୧୪ଟି ପ୍ରାଥମିକ କୃଷି ସେବା ସମବାୟ ଓ ୩୧୧ଟି ପଞ୍ଜୀକୃତ ରାସାୟନିକ ସାର ବିକ୍ରୟ କେନ୍ଦ୍ରରେ ସାର ପହଞ୍ଚତ୍ ନାହିଁ। ଫଳରେ ଚଳିତ ବର୍ଷର ଖରିଫ ଚାଷ ଉପରେ ଏହାର ପ୍ରଭାବ ପଡିବ ବୋଲି ସେ କ୍ଷୋଭ ପ୍ରକାଶ କରିଛନ୍ତି। କୃଷକ ନେତା ଘନଶ୍ୟମ ବେହେରା କହିଛନ୍ତି, ସାରର ଅଭାବ ବଜାର ଦରକୁ ଅଧିକ ବଢ଼ାଉଛି। ରାଜ୍ୟ ଓ କେନ୍ଦ୍ର ସରକାର କୃଷିକୁ ଗୁରୁତ୍ୱ ଦେଉଛନ୍ତି। ଚଳିତ ସାମୁଦ୍ରିକ ଝଡ ୟାସ୍‌ ପରେ ପ୍ରଭାବିତ ଜିଲା ପାଇଁ ସ୍ବତନ୍ତ୍ର ଯୋଜନା ସହ ଅର୍ଥ ପ୍ରଦାନ କରୁଛନ୍ତି। ତେବେ ପ୍ରଶାସନିକସ୍ତରରେ ଏହାର ବିପରୀତ ଦେଖିବାକୁ ମିଳୁଛି। ଉପଯୁକ୍ତ ସମୟରେ ସାର, ବିହନ, ଔଷଧ ଯୋଗାଇ ଦେଉ ନ ଥିବା ସମୟରେ ଏହା କେବଳ କାଗଜପତ୍ରରେ ସୀମିତ ହୋଇଛି। ଚଳିତ ବର୍ଷ ଚାଷ ଆରମ୍ଭରୁ ସାରର ଅଭାବ କୃଷକଙ୍କ ମନବଳ ଭାଙ୍ଗି ଦେଇଛି। କରୋନା ସଂକ୍ରମଣ ପାଇଁ ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଯାଇଥିବା ବେଳେ ସାରର ଅଭାବ ଅଧିକ କ୍ଷତି କରିବ ବୋଲି ସେ ମତ ଦେଇଛନ୍ତି। ବଗଡା ଗ୍ରାମର ଚାଷୀ ମୃତ୍ୟୁଞ୍ଜୟ ସାମଲ କହିଛନ୍ତି, ଚଳିତ ବର୍ଷ ୩ ଏକର ଖରିଫ ଧାନ ଚାଷ ପାଇଁ ପ୍ରସ୍ତୁତ ହୋଇଛି। ଏଥିପାଇଁ ଗତ ବାତ୍ୟା ସମୟରେ ତଳି ପ୍ରସ୍ତୁତି ହୋଇଛି। ତେବେ ସାରର ଅଭାବ ଯୋଗୁ ତଳି ରୁଆଯାଇ ପାରୁନାହିଁ। ୟୁରିଆ ଦର ସାଧାରଣରେ ୨୭୦ ଟଙ୍କା ଥିବା ବେଳେ ବଜାରରେ ବସ୍ତା ପିଛା ୪୮୦ ଟଙ୍କା ବ୍ୟବସାୟୀ କହୁଛନ୍ତି। ଏ ସମ୍ପର୍କରେ ଜିଲା କୃଷି ଉପ ନିର୍ଦ୍ଦେଶକ ଅଶୋକ ମହାସୁଆର କହିଛନ୍ତି, ଅଧିକ ସାର ପାଇଁ ପ୍ରସ୍ତାବ ଦିଆଯାଇଛି। ଅଦ୍ୟାବଧି ୬ ମେଟ୍ରିକ ଟନ୍‌ ଜିଲାକୁ ଆସିଛି। ଆସନ୍ତା ସପ୍ତାହ ସୁଦ୍ଧା ସାରର ଅଭାବ ଦୂର ହେବ ବୋଲି ସେ ମତ ଦେଇଛନ୍ତି।