କୋରାପୁଟ,୨୭ା୮(ଅମିତାଭ ବେହେରା): ଶିକ୍ଷାର ବିକାଶ ପାଇଁ ସରକାର ବହୁ କୋଟି ଟଙ୍କା ବ୍ୟୟ କରୁଛନ୍ତି। ବିଶେଷକରି ଅନୁସୂଚିତ ଜାତି ଓ ଜନଜାତି ଲୋକମାନେ ବାସ କରୁଥିବା ଅଞ୍ଚଳଗୁଡ଼ିକରେ ଶିକ୍ଷାର ମାନ ବୃଦ୍ଧି କରିବା ପାଇଁ ଆବାସିକ ସେବାଶ୍ରମ ନିର୍ମାଣ କରାଯାଉଛି। ହେଲେ ଅନେକ ସ୍ଥାନରେ ଭିତ୍ତିଭୂମି, ଶିକ୍ଷକ ଓ ଛାତ୍ରୀଛାତ୍ରଙ୍କ ଅଭାବ ଯୋଗୁ ଏହି ଉଦ୍ଦେଶ୍ୟ ସଫଳ ହୋଇପାରୁନାହିଁ। ଏଭଳି ଅବ୍ୟବସ୍ଥା କୋରାପୁଟ ବ୍ଲକ ଅଧୀନ ମସ୍ତିପୁଟ ପଞ୍ଚାୟତ ତୋଟାଆମ୍ବଗୁଡ଼ା ଗ୍ରାମର ସେବାଶ୍ରମରେ ଦେଖିବାକୁ ମିଳିଛି। ୧୯୮୬ ମସିହାରେ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ବିଭାଗ ଅଧୀନରେ ନିର୍ମାଣ ହୋଇଥିବା ଏହି ସେବାଶ୍ରମରେ ଶିଶୁବାଟିକାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି। କିନ୍ତୁ ବର୍ତ୍ତମାନ ଏଠାରେ ମାତ୍ର ୧୫ ଛାତ୍ରୀଛାତ୍ର ପଢ଼ୁଛନ୍ତି। ସେଥିରୁ ଶିଶୁବାଟିକାରେ ୪ଜଣ, ପ୍ରଥମରେ ୨, ଦ୍ୱିତୀୟରେ ୩ଜଣ, ତୃତୀୟରେ ୫ଜଣ ଓ ପଞ୍ଚମ ଶ୍ରେଣୀରେ ଜଣେ ପିଲା ରହିଛନ୍ତି। ଛାତ୍ରୀଛାତ୍ରଙ୍କୁ ପଢ଼ାଇବାକୁ ପ୍ରଧାନଶିକ୍ଷୟିତ୍ରୀଙ୍କ ସମେତ ଅନ୍ୟ ଜଣେ ଅତିଥି ଶିକ୍ଷକ ରହିଛନ୍ତି। ଛାତ୍ରୀଛାତ୍ରଙ୍କ ରହିବା ପାଇଁ ଏକ ୧୦୦ ଶଯ୍ୟା ବିଶିଷ୍ଟ ହଷ୍ଟେଲ ପ୍ରାୟ ୫ ବର୍ଷ ହେବ ନିର୍ମାଣ ସରିଥିଲେ ସୁଦ୍ଧା ଏଯାଏ କାର୍ଯ୍ୟକ୍ଷମ ହୋଇପାରିନାହିଁ। ବିଦ୍ୟାଳୟରେ ପାଇପ୍ ଯୋଗେ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଦୀର୍ଘଦିନରୁ ଅଚଳ ଥିବାରୁ ପରିମଳ ବ୍ୟବସ୍ଥା ମଧ୍ୟ ବନ୍ଦ ରହିଛି। ଏଥିସହ ଦୀର୍ଘଦିନରୁ ଶୌଚାଳୟରେ ତାଲାପଡ଼ିଛି। ପାହାଡ଼ ଓ ଜଙ୍ଗଲ ଘେରାରେ ଥିବା ସେବାଶ୍ରମରେ ପାଚେରି ନ ଥିବାରୁ ସନ୍ଧ୍ୟା ହେଲେ ଜଙ୍ଗଲୀ ଜନ୍ତୁ ଆସିବା ଭୟ ରହୁଥିବା ଜଣେ ଅଭିଭାବକ କମଳୁ ମୁଦୁଲି କହିଛନ୍ତି। ବିଦ୍ୟାଳୟରେ ଆବଶ୍ୟକ ଛାତ୍ରୀଛାତ୍ର ନ ଥିବାରୁ ନବନିର୍ମିତ ୬ କକ୍ଷରୁ ୩ଟି ବନ୍ଦ ପଡିଛି। ସେବାଶ୍ରମର ଜରାଜୀର୍ଣ୍ଣ ପୁରୁଣା ଗୃହକୁ ବିଭାଗ ପକ୍ଷରୁ ଏଯାଏ ଭଙ୍ଗା ଯାଇ ନ ଥିବାରୁ ପିଲାଙ୍କ ପାଇଁ ଏହା ବିପଦ ପାଲଟିଛି। ହଷ୍ଟେଲ ବନ୍ଦକୁ ନେଇ ଅଭିଭାବକ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏଭଳି ଅବ୍ୟବସ୍ଥା ଯୋଗୁ ଅଭିଭାବକ ପିଲାଙ୍କୁ ହଷ୍ଟେଲରେ ରଖିବାକୁ ଅମଙ୍ଗ ହେବା ସହ ଆଖପାଖରେ ଥିବା ଅନ୍ୟ ସ୍କୁଲକୁ ପଠାଉଛନ୍ତି।
ଏ ସମ୍ପର୍କରେ ସେବାଶ୍ରମର ପ୍ରଧାନଶିକ୍ଷୟିତ୍ରୀ ନମିତା ମଲ୍ଲିକଙ୍କୁ ପଚାରିବାରୁ ଏହି ସେବାଶ୍ରମରେ ୫ବର୍ଷ ପୂର୍ବେ ମୋଟ ୪୫ ଛାତ୍ରୀଛାତ୍ର ପାଠ ପଢ଼ୁଥିଲେ। ୨୦୨୫ରେ ମାତ୍ର ୭ ପିଲା ଥିଲେ, ପରେ ସେ ଆଉ ଅନ୍ୟ ଅତିଥି ଶିକ୍ଷକଙ୍କ ପ୍ରଚେଷ୍ଟାରେ ଚଳିତବର୍ଷ ପିଲାଙ୍କ ସଂଖ୍ୟା ବୃଦ୍ଧି ପାଇ ୧୫ରେ ପହଞ୍ଚତ୍ଥିବା ନମିତା କହିଛନ୍ତି। ବିଦ୍ୟାଳୟରେ ପିଲାଙ୍କ ସଂଖ୍ୟା କମ୍ ଥିବାରୁ ବାହାରୁ ଛାତ୍ରୀଛାତ୍ର ଆସିବା ନେଇ ଚେଷ୍ଟା ଚାଲିଥିବା କହିଛନ୍ତି। ସେବାଶ୍ରମର ପାଚେରି ନିର୍ମାଣ ଓ ସ୍କୁଲ ପରିସରରେ ଥିବା ପୁରୁଣା ଗୃହକୁ ଭଙ୍ଗାଯିବା ନେଇ ବିଭାଗକୁ ଜଣାଇଥିବା ପ୍ରକାଶ କରିଛନ୍ତି। ଏନେଇ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ନୀଳାମ୍ବର ମୁଦୁଲିଙ୍କୁ ପଚାରିବାରୁ ବିଦ୍ୟାଳୟର ବିଭିନ୍ନ ସମସ୍ୟା ଥିବା ସେ ସ୍ବୀକାର କରିଛନ୍ତି। ଏଥିସହ ସେବାଶ୍ରମର ଉନ୍ନତି ପାଇଁ ଗତ ୫ ବର୍ଷ ହେବ କୌଣସି ସରକାରୀ ଅନୁଦାନ ଆସି ନ ଥିବା ସେ କହିଛନ୍ତି। ପ୍ରଶାସନ ଏ ଦିଗରେ ତୁରନ୍ତ ଦୃଷ୍ଟି ଦେବାକୁ ନୀଳାମ୍ବର ଦାବି କରିଛନ୍ତି। ଏ ସମ୍ପର୍କରେ ଜିଲା ମଙ୍ଗଳ ଅଧିକାରୀ ସୁନୀଲ କୁମାର ତାଣ୍ଡିଙ୍କୁ ପଚାରିବାରୁ ବିଦ୍ୟାଳୟକୁ କିଭଳି ଅଧିକରୁ ଅଧିକ ପିଲା ଆସିବେ ସେ ନେଇ ବିଭିନ୍ନ ପଦକ୍ଷେପ ନିଆଯାଇଥିବା ଓ ସେପ୍ଟେମ୍ବର ଶେଷ ସୁଦ୍ଧା ଛାତ୍ରୀନିବାସକୁ କାର୍ଯ୍ୟକ୍ଷମ କରାଯିବ ବୋଲି କହିଛନ୍ତି। ଶିକ୍ଷାନୁଷ୍ଠାନର ଭିତ୍ତିଭୂମିର ସଦୁପଯୋଗ ସହ ହଷ୍ଟେଲକୁ ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ଗ୍ରାମବାସୀ ଓ ଅଭିଭାବକ ଦାବି କରିଛନ୍ତି।