Categories: ଭଦ୍ରକ

ସହରତଳି ଗାଁରେ ବିକାଶ ନାହିଁ

ଭଦ୍ରକ ଅଫିସ,୬।୩: ଭଦ୍ରକ ଜିଲା ଧାମନଗର ଏନ୍‌ଏସି ଅଧୀନ ଚିଲପଦୀ ରାଉତସାହି ଗାଁକୁ ବିକାଶ ଅପହଞ୍ଚ। ଏନ୍‌ଏସି କାର୍ଯ୍ୟାଳୟଠାରୁ ମାତ୍ର ୧ କି.ମି. ଦୂରରେ ଥିବା ଏହି ଗାଁର ଅବସ୍ଥା ଦୀପ ତଳ ଅନ୍ଧାର ଭଳି। ସହର ତଳି ଏହି ଗାଁ ଲୋକଙ୍କୁ ମୌଳିକ ସୁବିଧା ସୁଯୋଗ ମିଳିପାରି ନାହିଁ। ଏହାକୁ ନେଇ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି।
୫ ନଂ. ଓ୍ବାର୍ଡ ଅଧୀନ ଏହି ଗାଁରେ ୫୦ରୁ ଊର୍ଦ୍ଧ୍ୱ ପରିବାର ବସବାସ କରନ୍ତି। ଗାଁରେ ସର୍ବନିମ୍ନ ମୌଳିକ ସୁବିଧା ଉପଲବ୍ଧ ନାହିଁ। ସବୁଦିନିଆ ରାସ୍ତା ନାହିଁ। ଯେଉଁ ରାସ୍ତା ଅଛି, ତାହା ଭାଙ୍ଗିରୁଜି ଯାଇଛି। ବିଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା ନାହିଁ। ବିଦ୍ୟୁତ୍‌ ବ୍ୟବସ୍ଥା ଥିଲେ ହେଁ ଷ୍ଟ୍ରିଟଲାଇଟ ନ ଥିବାରୁ ଗାଁ ଲୋକେ ସମସ୍ୟା ଭୋଗୁଛନ୍ତି। ସୀମିତ ସରକାରୀ ନଳକୂପ ରହିଛି। ଡ୍ରେନେଜ ବ୍ୟବସ୍ଥା ନ ଥିବା ଯୋଗୁ ବର୍ଷାପାଣି ନିଷ୍କାସନ ହୋଇପାରୁ ନାହିଁ। ରାସ୍ତା ସମସ୍ୟା କାରଣରୁ ଜରୁରିକାଳୀନ ସମୟରେ ଆମ୍ବୁଲାନ୍ସ, ଅଗ୍ନିଶମ ଗାଡ଼ି ଗଁା ଭିତରକୁ ପ୍ରବେଶ କରିପାରୁ ନ ଥିବା ଗ୍ରାମବାସୀ ବାଦଲ କୁମାର ବେହେରା, ଜଗବନ୍ଧୁ ମହାନ୍ତି, ମଙ୍ଗରାଜ ରାଉତ, ବିଜୟ ରାଉତ, ବଳରାମ ମହାନ୍ତି, କୈଳାସ ଚନ୍ଦ୍ର ରାଉତ ପ୍ରମୁଖ ଅଭିଯୋଗ କରିଛନ୍ତି। ଖୁବ୍‌ଶୀଘ୍ର ଏସବୁ ସମସ୍ୟାର ସମାଧାନ କରା ନ ଗଲେ ଆଗାମୀ ନିର୍ବାଚନରେ ଗ୍ରାମବାସୀ ଭୋଟ ବର୍ଜନ କରିବେ ବୋଲି ସେମାନେ ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଯତୀନ୍ଦ୍ର ମିଶ୍ରଙ୍କୁ ପଚାରିବାରୁ ରାସ୍ତା ପାଇଁ ଟେଣ୍ଢର ହୋଇସାରିଥିବା ବେଳେ ଅନ୍ୟ ସମସ୍ୟା ସମାଧାନ ଦିଗରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।