Categories: ଜାତୀୟ

ସେନା ପ୍ରତ୍ୟାହାରରେ ସାଲିସ୍‌ ନାହିଁ

ନୂଆଦିଲ୍ଲୀ,୧୯ା୭: ଚାଇନା ସୈନ୍ୟମାନେ ତୁରନ୍ତ ପଙ୍ଗଓଙ୍ଗ ସୋ ଅଞ୍ଚଳ ଖାଲି କରନ୍ତୁ ଓ ମେ’ ୫ ପୂର୍ବ ସ୍ଥିତାବସ୍ଥା ଫେରାଇ ଆଣନ୍ତୁ। ଦୁଇଦେଶର ସେନା କମାଣ୍ଡର ସ୍ତରୀୟ ଶେଷ ପର୍ଯ୍ୟାୟ ଆଲୋଚନାବେଳେ ଭାରତ ପକ୍ଷରୁ ଚାଇନକୁ ରୋକ୍‌ଠୋକ୍‌ ଶୁଣାଇ ଦିଆଯାଇଛି। ଚାଇନାର ପିପୁଲ୍ସ ଲିବରେଶନ ଆର୍ମି (ପିଏଲ୍‌ଏ) ଭାରତର ଯେଉଁ ଅଞ୍ଚଳରେ ଅନୁପ୍ରବେଶ କରିଥିଲେ, ସେଠାରୁ ଫେରିଯିବାକୁ ହେବ। ଏଥିରେ ସାଲିସ୍‌ର ପ୍ରଶ୍ନ ଉଠୁନାହିଁ ବୋଲି ଦୀର୍ଘସମୟ ଆଲୋଚନା ଅବସରରେ ଭାରତ ବେଜିଂକୁ କଡ଼ା ବାର୍ତ୍ତା ଦେଇଛି। ଆଲୋଚନାର ଏହି ପର୍ଯ୍ୟାୟରେ କୌଣସି ସନ୍ଦେହ ରହିବା ଉଚିତ୍‌ ନୁହେଁ ବୋଲି ଭାରତୀୟ ପକ୍ଷ ସ୍ପଷ୍ଟ କରିଦେଇଛନ୍ତି। ସେହିପରି ଡେପସାଙ୍ଗ ଉପରେ ଆଲୋଚନା ବେଳେ ଚାଇନା ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍‌ଏସି) ସେପଟେ ଥିବା ଦାବି କରୁଛି। ସେଠାରେ ମଧ୍ୟ ସମାନ ସ୍ଥିତି। ଉତ୍ତେଜନାପୂର୍ଣ୍ଣ କାର୍ଯ୍ୟରୁ ବିରତ ରହିବାକୁହେଲେ ଏଲ୍‌ଏସି ପ୍ରକୃତରେ କେଉଁଠି ତାହା ଉପରେ ଆଲୋଚନା ହେବା ଜରୁରୀ। ଏହା ଉପରେ ଆଲୋଚନା ହେଉ ନ ଥିବାରୁ ଅନୁପ୍ରବେଶର ଅନ୍ତ ଘଟୁନାହିଁ। ଶୁକ୍ରବାର ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଲଦାଖ ଯାଇ ସେନା ପ୍ରସ୍ତୁତିର ସମୀକ୍ଷା କରିଥିଲେ। ଚାଇନା ସହ ଆଲୋଚନାରେ ଅଗ୍ରଗତି ଆଶା କରାଯାଉଥିବାବେଳେ ଗ୍ୟାରେଣ୍ଟି ଦିଆଯାଇପାରିବ ନାହିଁ ବୋଲି ସେ କହିଥିଲେ। ଦୁଇମାସରୁ ଊର୍ଦ୍ଧ୍ୱ ସମୟ ହେଲା ପୂର୍ବ ଲଦାଖରେ ଦୁଇଦେଶର ସେନା ମଧ୍ୟରେ ମୁହାଁମହିଁ ସ୍ଥିତି ଜାରି ରହିଥିଲାବେଳେ ଜୁନ୍‌ ୧୫ର ରକ୍ତାକ୍ତ ସଂଘର୍ଷ ପରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ବହୁ ପର୍ଯ୍ୟାୟ ସାମରିକ ଓ କୂଟନୈତିକ ଆଲୋଚନା ପରେ ଉଭୟ ପକ୍ଷର ସେନା ପ୍ରତ୍ୟାହାର ଆରମ୍ଭ କରିଥିଲେ। ତେବେ ଚାଇନା ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସୈନ୍ୟ ପ୍ରତ୍ୟାହାର କରିନାହିଁ।

Share