ଷଡ଼ଯନ୍ତ୍ରରେ ଟ୍ରମ୍ପ୍‌ଙ୍କ ସମ୍ପୃକ୍ତି ପ୍ରମାଣ ରହିଛି

ଓ୍ବାଶିଂଟନ,୪।୩: ଆମେରିକା କ୍ୟାପିଟୋଲରେ ଗତବର୍ଷ ଜାନୁୟାରୀ ୬ରେ ସଂଘଟିତ ଦଙ୍ଗା ପଛରେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କ ସହଯୋଗୀମାନେ ଆପରାଧିକ ଷଡ଼ଯନ୍ତ୍ରରେ ସାମିଲ ଥିଲେ। ନିର୍ବାଚନକୁ କଂଗ୍ରେସ ଯେପରି ସାର୍ଟିଫିକେଟ ଦେଇ ନ ପାରିବ ସେଥିପାଇଁ ସେମାନେ ବାଧା ସୃଷ୍ଟି କରିବାକୁ ଯୋଜନା କରିଥିଲେ। ଜାନୁୟାରୀ ୬ ଘଟଣାର ତଦନ୍ତ କରୁଥିବା ହାଉସ୍‌ ସିଲେକ୍ଟ କମିଟି ବୁଧବାର ଅଦାଲତଙ୍କୁ ଏ ସମ୍ପର୍କରେ ଜଣାଇଛି। ପ୍ରଥମ ଥର ପାଇଁ କମିଟି ଏଭଳି ପ୍ରମାଣ ଉପସ୍ଥାପନ କରିଛି, ଯାହା ଦ୍ୱାରା ଟ୍ରମ୍ପ୍‌ଙ୍କ ବିରୋଧରେ ଆପରାଧିକ ମାମଲା ରୁଜୁ ହୋଇପାରେ। ତଦନ୍ତ ରିପୋର୍ଟରେ ପୂର୍ବତନ ଉପରାଷ୍ଟ୍ରପତି ମାଇକ୍‌ ପେନ୍ସଙ୍କ ଶୀର୍ଷ ଉପଦେଷ୍ଟା, ପୂର୍ବତନ ନ୍ୟାୟ ବିଭାଗର ନେତା ଓ ଟ୍ରମ୍ପ୍‌ର କେତେଜଣ ଘନିଷ୍ଠଙ୍କ ମତାମତ ଓ ସାକ୍ଷାତ୍‌କାରକୁ ମଧ୍ୟ ସାମିଲ କରାଯାଇଛି। ଟ୍ରମ୍ପ୍‌ ଓ ତାଙ୍କ ସହଯୋଗୀମାନେ ୨୦୨୦ ନିର୍ବାଚନରେ ଭୋଟ ଜାଲିଆତି ହୋଇଥିବା ନେଇ ଅଭିଯୋଗ କରିଆସୁଥିଲେ। ଅସାମ୍ବିଧାନିକ ଉପାୟ ଆପଣାଇବା ସହ ଏଥିରେ ଉପରାଷ୍ଟ୍ରପତି ପେନ୍ସ ଓ ତାଙ୍କ ଉପଦେଷ୍ଟାମାନଙ୍କୁ ସାମିଲ କରିବା ଲାଗି ଆଟର୍ନି ଜନ୍‌ ଇଷ୍ଟମାନ୍‌ ଟ୍ରମ୍ପ୍‌ଙ୍କୁ ପରାମର୍ଶ ଦେଇଥିଲେ ବୋଲି କମିଟି କହିଛି।

Share