Categories: ଖେଳ

ଭାରତୀୟ ଦର୍ଶକଙ୍କ ସମ୍ମୁଖରେ ଖେଳିବାରେ ରୋମାଞ୍ଚ ରହିଥାଏ

ଭୁବନେଶ୍ୱର, ୯।୧ (କ୍ରୀଡ଼ା ପ୍ରତିନିଧି): ହକି ବିଶ୍ୱକପ ଖେଳିବା ପାଇଁ ରବିବାର ଭୁବନେଶ୍ୱରରେ ପହଞ୍ଚତ୍ଥିବା ଦକ୍ଷିଣ କୋରିଆ ଦଳ ସକାରାତ୍ମକ ଫଳାଫଳକୁ ନେଇ ବେଶ୍‌ ଆଶାବାଦୀ ଅଛି। ପୁଲ୍‌ ‘ବି’ରେ ଏହି ଦଳ ବେଲଜିୟମ, ଜାପାନ ଓ ଜର୍ମାନୀ ସହିତ ସ୍ଥାନ ପାଇଛି। ଗତଥରର ଚାମ୍ପିୟନ ବେଲଜିୟମ ବିପକ୍ଷରେ ୧୪ ତାରିଖରେ ମ୍ୟାଚ ଖେଳି ଏହି ଦଳ ଅଭିଯାନ ଆରମ୍ଭ କରିବ। ଏହାପରେ ୧୭ରେ ଜାପାନକୁ ଭେଟିବ।

ଏହି ଦୁଇଟି ମ୍ୟାଚ ଭୁବନେଶ୍ୱରରେ ଖେଳିବାପରେ ଦଳ ରାଉରକେଲା ଯାଇ ୨୦ ଜାରିଖରେ ଜର୍ମାନୀ ବିପକ୍ଷରେ ମ୍ୟାଚ ଖେଳିବ। କୋରିଆ ଦଳ ସମ୍ପ୍ରତି ବିଶ୍ୱ ର଼୍ୟାଙ୍କିଙ୍ଗ୍‌ର ୧୦ମ ସ୍ଥାନରେ ରହିଛି। ”ଆମେ ଭାରତରେ ଅନେକ ମ୍ୟାଚ ଖେଳି ସାରିଛୁ। ଆଗାମୀ ବିଶ୍ୱକପରେ ଅଭିଯାନ ଆରମ୍ଭ କରିବାକୁ ବ୍ୟଗ୍ରତାର ସହ ଅପେକ୍ଷା କରି ରହିଛୁ। ଆମେ ଏଠାକୁ ଆସି ବହୁତ ଖୁସି ଅଛୁ। କାରଣ ଏଠରେ ବହୁ ଦର୍ଶକଙ୍କ ସମ୍ମୁଖରେ ଖେଳିବାରେ ରୋମାଞ୍ଚ ରହିଥାଏ। ଟୁର୍ନାମେଣ୍ଟରେ ବିଶ୍ୱର ଶ୍ରେଷ୍ଠ ଦଳ ଗୁଡ଼ିକ ଅଂଶଗ୍ରହଣ କରୁଛନ୍ତି।

ଆମେ ସେମାନଙ୍କ ବିପକ୍ଷରେ ଖେଳି ଭଲ ଫଳାଫଳ ପାଇବାକୁ ଆଶା ରଖିଛୁ“ ବୋଲି ମୁଖ୍ୟ କୋଚ୍‌ ଶିନ୍‌ ସିଓକ କ୍ୟୋ ପ୍ରକାଶ କରିଛନ୍ତି। ଆମ ଗ୍ରୁପ୍‌ରେ ବେଲଜିୟମ ଓ ଜର୍ମାନୀ ପରି ଦଳ ରହିଥିବାରୁ ମୁକାବିଲା ନିଶ୍ଚିତ କଷ୍ଟସାଧ୍ୟ ହେବ। ତେବେ ଆମେ ନିଜ ଉପରେ ଭରସା ରଖୁ ଏବଂ ଆଗାମୀ ଟୁର୍ନାମେଣ୍ଟରେ ଶତପ୍ରତିଶତ ଦେଇ ମ୍ୟାଚ ଜିତିବାକୁ ଚେଷ୍ଟା କରିବୁ ବୋଲି ସେ କହିଛନ୍ତି। କୋରିଆ ଅଧିନାୟକ ଲୀ ନାମ୍‌ୟଙ୍ଗ୍‌ ମଧ୍ୟ କୋଚ୍‌ଙ୍କ ସହ ଏକମତ ହୋଇଛନ୍ତି। ଆମ ଦଳରେ ଅନେକ ଅଭିଜ୍ଞ ଖେଳାଳି ଅଛନ୍ତି। ନିଜ ଦକ୍ଷତା ଅନୁସାରେ ଆମେ ଖେଳିବୁ। ଖେଳାଳିମାନେ ଟୁର୍ନାମେଣ୍ଟ ଆରମ୍ଭକୁ ଆଗ୍ରହର ସହ ଅପେକ୍ଷା କରିଛନ୍ତି। ବେଲଜିୟମ ବିପକ୍ଷ ପ୍ରଥମ ମ୍ୟାଚ କୋରିଆ ପାଇଁ ପରୀକ୍ଷା ସଦୃଶ ହେବ ବୋଲି ସେ ପ୍ରକାଶ କରିଛନ୍ତି।

Share