ଦାରିଙ୍ଗବାଡ଼ି,୨୯।୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଲାଣ୍ଡାଗୁଡ଼ି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଶ୍ରେଣୀ ଗୃହ ଅଭାବ। ଗୋଟିଏ ପକ୍କା ଘର ରହିଥିବା ଶ୍ରେଣୀ ଗୃହ ଏବେ ଭାଙ୍ଗି ଛାତ ଭୁଶୁଡିବା ଭଳି ପରିସ୍ଥିତି ରହିଛି । ତାକୁ ମରାମତି କରାଯାଉନଥିବା ବେଳେ ପରିତ୍ୟକ୍ତ କୋଠକୁ ବାହାର ପଟୁ ରଙ୍ଗ ଦିଆଯାଉଥିବା ଦେଖିବାକୁ ମିଳିଛି । ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ପର୍ଯ୍ୟନ୍ତ ଶ୍ରେଣୀ ରହିଥିବା ବେଳେ ସେମାନଙ୍କ ପାଇଁ ଶ୍ରେଣୀ ଗୃହ ଅଭାବ ଯୋଗୁ ଏବେ ହଷ୍ଟେଲ କୋଠା ଭିତରେ ପିଲାଙ୍କୁ ପାଠ ପଢ଼ାଯାଉଛି । ୨ଟି ଶ୍ରେଣୀ ଥିବା ଏକ ପକ୍କା ଘରର ଗୋଟିଏ ଶ୍ରେଣୀ କୋଠା ଭାଙ୍ଗି ଛାତ ଭୁଶୁଡିବା ଭଳି ସ୍ଥିତି ରହିଥିବା ବେଳେ ତାକୁ ବିପଦପୂର୍ଣ୍ଣ ଘୋଷଣା ପରେ ମଧ୍ୟ କୋଠା ବାହାରେ ରଙ୍ଗ ଦେଇ ସରକାରୀ ଅର୍ଥକୁ ତୋଷାରପାତ କରାଯାଉଥିବା ସାଧାରଣରେ ଉଦ୍ବେଗ ପ୍ରକାଶ ପାଇଛି । ସେହିପରି ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ରୋଷେଇ ପାଇଁ ଘର ନଥିବାରୁ ବାରଣ୍ଡାରେ ପରିତ୍ୟକ୍ତ ଅବସ୍ଥା ଓ ଦୂଷିତ ପରିବେଶ ମଧ୍ୟରେ ମଧ୍ୟାହ୍ନ ଭୋଜନ ରୋଷେଇ କରାଯାଉଛି। ରନ୍ଧନ ଗ୍ୟାସ, ପ୍ରେସର କୁକର ଭଳି ଅତ୍ୟାବଶ୍ୟକୀୟ ରୋଷେଇ ସାମଗ୍ରୀ ବ୍ୟବହାର କରାଯାଉଥିଲେ ମଧ୍ୟ ଭଲ ରୋଷେଇ ଘର ନଥିବାରୁ ବାରଣ୍ଡାରେ ରୋଷେଇ କରାଯାଉଥିବା ବେଳେ ବୁଲା କୁକୁର, ସାପ, ସରୀସୃପର ଭୟ ରହିଛି । ଅନ୍ୟପଟେ, ରୋଷେଇ ସମୟରେ ଗୋଟିଏ କ୍ଷଣ କୁଆଡେ ଯାଉନାହୁଁ ବୋଲି ରୋଷେୟା ସୁକାନ୍ତି ଉଠାଣସିଂ କହିଛନ୍ତି । ବିଦ୍ୟାଳୟର ସମସ୍ୟା ନେଇ ପ୍ରଧାନଶିକ୍ଷକ ରଞ୍ଜନ ରଣସିଂ କହିଛନ୍ତି , ସରକାରଙ୍କ ଯାହା ନିୟମ ସେହିପ୍ରକାରେ କୋଠାରେ ରଙ୍ଗ ଦିଆଯାଉଛି ଭିତରେ କିନ୍ତୁ ୨ଟି ଶ୍ରେଣୀ ଗୃହରୁ ଗୋଟିଏ ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବା ସେ ସ୍ବୀକାର କରିଛନ୍ତି । ସେହିପରି ରୋଷେଇ ଗୃହ ନିର୍ମାଣ ପାଇଁ ପଞ୍ଚାୟତ ପଦକ୍ଷେପ ନେଉଛି ଶୀଘ୍ର ନୂତନ ରୋଷେଇ ଘର ନିର୍ମାଣ କରାଯିବ ବୋଲି ସେ କହିଛନ୍ତି।


