ସୂର୍ଯ୍ୟମୁଖୀ ଚାଷ ପ୍ରତି ବଢୁଛି ଆଗ୍ରହ

ଧରାକୋଟ,୧୩ା୪(ଡି.ଏନ୍‌.ଏ.): କୃଷି ଓ କୃଷକ ସଶକ୍ତୀକରଣ ବିଭାଗର ପ୍ରୋତ୍ସାହନ ସହ ଗୋଷ୍ଠୀ କୃଷି କାର୍ଯ୍ୟାଳୟର ସଚେତନତା ଯୋଗୁ ଧୀରେ ଧୀରେ ବ୍ଲକର ବିଭିନ୍ନ ପଞ୍ଚାୟତର କୃଷକମାନେ ସୂର୍ଯ୍ୟମୁଖୀ ଚାଷ ପାଇଁ ଆଗ୍ରହୀ ହୋଇ ଏହି ଚାଷକୁ ଆପଣେଇ ନେଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ଏହି ତୈଳବୀଜ ଫସଲ ପାଇଁ ଓଳମ୍ବା, ସିଙ୍ଗିପୁର, ଜାହାଡା ଓ ଝରପାରି ପଞ୍ଚାୟତର କସେଇ, କେଶପୁର ଶାସନ, କଣଭାଗ ଓ ପାଟପୁର ଗ୍ରାମର ୬୬ ଜଣ ହିତାଧିକାରୀ ୩୦ ହେକ୍ଟର ଜମିରେ ସୂର୍ଯ୍ୟମୁଖୀ ଚାଷ କରିଛନ୍ତି। ଗୋଷ୍ଠୀ କୃଷି ଅଧିକାରୀ ବିଶ୍ୱନାଥ ବେହେରା, ସହକାରୀ କୃଷି ଅଧିକାରୀ ଅନିଲ କୁମାର ବେହେରା ଓ ସ୍କିମ ଅଧିକାରୀ ସୀତାନସୁ କୁମାର ମଲ୍ଲିକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ଚାଷ ବ୍ଲକ ସ୍ତରରେ ପ୍ରଥମେ ଆରମ୍ଭ ହୋଇଛି। କୃଷି ବିଭାଗ ତରଫରୁ ଚାଷୀଙ୍କୁ ମାଗଣା ବିହନ ସହ ୨୫୦୦ ଟଙ୍କା ଲେଖାଏ ପ୍ରୋତ୍ସାହନ ଅର୍ଥ ରାଶି ପ୍ରଦାନ କରାଯାଇଥିଲା। ଏହାଦ୍ବାରା ଚାଷୀମାନେ ଏସ୍‌ଏସ୍‌ପି, ଅନୁସାର ଓ କୀଟନାଶକ ଔଷଧ କ୍ରୟକରିପାରିବେ। ଏହା ଦାରା ଅପମିଶ୍ରଣ ରୋକିବା ସହ ଶୁଦ୍ଧ ତେଲ ମିଳିପାରୁଛି। କୋଲେଷ୍ଟେରଲ, ରକ୍ତଚାପ ସହ ବିଭିନ୍ନ ରୋଗ ନିୟନ୍ତ୍ରଣ ପାଇଁ ଏହି ତେଲ ବେଶ୍‌ ସହାୟକ ହେଉଛି। ଏଥିରୁ ମିଳୁଥିବା ପିଡ଼ିଆ ଚାଷଜମି, ମାଛ ଚାଷ ଓ କୁକୁଡ଼ା ଖାଦ୍ୟ ପାଇଁ ବ୍ୟବହାର ହେଉଛି। ସର୍ବୋପରି ତୈଳ ଆମଦାନୀ ବୋଝରୁ ଏକ ରକମ ମୁକ୍ତି
ମିଳୁଛି। ଏଣୁ ଏହି ଚାଷ ପାଇଁ ଧୀରେ ଧୀରେ ଚାଷୀଙ୍କ ମଧ୍ୟରେ ଆଗ୍ରହ ବଢୁଛି।