ମିଳୁନି ପାଣି, ଲୋକେ ହନ୍ତସନ୍ତ

ବେଗୁନିଆ,୭ା୩(ଡି.ଏନ୍‌.ଏ.): ଗତ କିଛିଦିନ ଧରି ପ୍ରଚଣ୍ଡ ତାତି ଯୋଗୁ ଖୋର୍ଦ୍ଧା ଜିଲା ବେଗୁନିଆ ବ୍ଲକ ଅଞ୍ଚଳରେ ପାନୀୟ ଜଳ ସଙ୍କଟ ଦେଖାଦେଇଛି। ଫଳରେ ଲୋକେ ପାଣି ପାଇଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କେତେକ ଗ୍ରାମରେ ନଳକୂପ ଅଚଳ ହୋଇପଡ଼ିଥିଲେ ମଧ୍ୟ ମରାମତି କରାଯାଉ ନାହିଁ। ଗ୍ରାମରେ ପାଇପ୍‌ ଜଳ ଥାଇ ମଧ୍ୟ ଆବଶ୍ୟକତା ମେଣ୍ଟାଉ ନ ଥିବା ଲୋକେ ଅଭିଯୋଗ କରିଛନ୍ତି। ବ୍ଲକ ପ୍ରଶାସନ ଓ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୌଣସି ତତ୍ପରତା ଦେଖାଯାଉ ନ ଥିବାରୁ ଆଗକୁ ସ୍ଥିତି ବିଗିଡ଼ିବାର ଆଶଙ୍କା ରହିଛି।

ବେଗୁନିଆ ବ୍ଲକର ୧୬୨ ରାଜସ୍ବ ଗ୍ରାମରେ ୧୯୧୦ ନଳକୂପ, ୫୯ ସାନିଟାରୀ କୂପ, ୮୦ ପାନୀୟ ଜଳ ପ୍ରକଳ୍ପ ଏବଂ ୪ ହଜାରରୁ ଊର୍ଦ୍ଧ୍ୱ ଖୋଲା କୂପ ରହିଛି। ଚଳିତବର୍ଷ ଅଂଶୁଘାତ ମୁକାବିଲା ପାଇଁ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ୧୦୦ରୁ ଊର୍ଦ୍ଧ୍ୱ ନଳକୂପ ଖନନ ପାଇଁ ଯୋଜନା ରହିଛି। ତେବେ ବିଭିନ୍ନ ଗ୍ରାମରେ ୯୦ରୁ ଊର୍ଦ୍ଧ୍ୱ ନଳକୂପ ଅଚଳ ହୋଇଥିବା ବେଳେ ୧୫ରୁ ଊର୍ଦ୍ଧ୍ୱ ପାନୀୟ ଜଳ ପ୍ରକଳ୍ପ ବନ୍ଦ ରହିଥିବା ଜଣାପଡ଼ିଛି। ବଡ଼ବେରଣା ପଞ୍ଚାୟତ ଗୋବିନ୍ଦପୁର ଗ୍ରାମର ପ୍ରସନ୍ନ ମହାପାତ୍ର କୁହନ୍ତି, ଦେଢ଼ବର୍ଷ ହେବ ଗ୍ରାମରେ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ବନ୍ଦ ରହିଛି। ଏନେଇ ବସୁଧା ହେଲ୍ପଲାଇନ ନମ୍ବରରେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସୁଫଳ ମିଳିଲା ନାହିଁ। ଫଳରେ ୧୧୫୦ରୁ ଊର୍ଦ୍ଧ୍ୱ ପରିବାର ପାଣି ପାଇଁ ହଇରାଣ ହେଉଛନ୍ତି। ସେହିପରି ବେଗୁନିଆ ସହରରେ ଥିବା ପମ୍ପ ହାଉସ (ନଂ.୧) ଜାନୁୟାରୀରୁ ଅଚଳ ହୋଇ ପଡ଼ିରହିଛି। ଫଳରେ ଓଡ଼ଗାଁ ଏବଂ ବଳଭଦ୍ରପୁର ଗ୍ରାମର ପ୍ରାୟ ୩୦୦ ପରିବାର ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି। ଏନେଇ ଗ୍ରାମର କ୍ଷୀରୋଦ ସାହୁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଉ ନାହିଁ। ବୋତଳମା ପଞ୍ଚାୟତ ଆଖୁପଦରରେ ଥିବା ପ୍ରକଳ୍ପକୁ ବନ୍ଦ କରିଦିଆଯାଇଛି। ଫଳରେ ୪ଗ୍ରାମର ୩୦୦ ପରିବାର ଜଳସେବାରୁ ବଞ୍ଚିତ ହୋଇଛନ୍ତି। ଗଡ଼ମାଣିତ୍ରୀ ପଞ୍ଚାୟତ ଛିଆମ ଗ୍ରାମରେ ୪ ନଳକୂପ ଅଚଳ ଯୋଗୁ ସ୍ଥାନୀୟ ଲୋକେ ପିଇବା ପାଣି ପାଇଁ ହଇରାଣ ହେଉଛନ୍ତି। କରଡ଼ଗାଡ଼ିଆ ଗ୍ରାମରେ ପ୍ରକଳ୍ପ ପାଇପ ଫାଟି ଯାଇଥିବାରୁ ଦୁଇଟି ସାହିର ୯୦ ପରିବାର ପିଇବା ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି। ଏ ସମ୍ପର୍କରେ ବ୍ଲକ ପାନୀୟ ଜଳ ଯୋଗାଣ ଯନ୍ତ୍ରୀ ଜ୍ୟୋତି ରଞ୍ଜନ ସେନାପତି କହିଛନ୍ତି, ଚଳିତ ଗ୍ରୀଷ୍ମ ପ୍ରଭାବ ମୁକାବିଲା ପାଇଁ ବିଭାଗ ପକ୍ଷରୁ କଡ଼ାକଡ଼ି ପ୍ରସ୍ତୁତି ହୋଇଛି। କୌଣସି ଗ୍ରାମରେ ନଳକୂପ ଅଚଳ ରହିଛି, ପଞ୍ଚାୟତ କାର୍ଯ୍ୟାଳୟରେ ଅଭିଯୋଗ କଲେ ତୁରନ୍ତ ମରାମତି କରାଯିବ ବୋଲି କହିଛନ୍ତି। ଅନ୍ୟପଟେ ସରପଞ୍ଚଙ୍କ ନିକଟରେ ଅଭିଯୋଗ କଲେ ଯନ୍ତ୍ରାଂଶ ଅଭାବ ବୋଲି କହି ଦିନ ଗଡ଼ାଇଚାଲିଛନ୍ତି ବୋଲି କେତେଜଣ ଅଭିଯୋଗକାରୀ କହିଛନ୍ତି। ଏଥିପ୍ରତି ପ୍ରଶାସନ ତୁରନ୍ତ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।