ସପ୍ତମ ବେତନ କମିଶନ ଦରମାରେ ପାତରଅନ୍ତର

ଭୁବନେଶ୍ୱର,୨୯ା୧(ବ୍ୟୁରୋ): ବହୁ ବିଳମ୍ବରେ ରାଜ୍ୟ ସରକାର ୬୬୨ ଏବଂ ୪୮୮ ଅନୁଦାନପ୍ରାପ୍ତ ବେସରକାରୀ କଲେଜ ଅଧ୍ୟାପକ ଓ କର୍ମଚାରୀମାନଙ୍କୁ ସପ୍ତମ ବେତନ କମିଶନ ହାରରେ ଦରମା ଦେବାକୁ ନିଷ୍ପତ୍ତି ନେଲେ। ୨୦୨୧ ଡିସେମ୍ବର ୩୧ ତାରିଖରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହାକୁ ଅନୁମୋଦନ ପରେ ବିଧିବଦ୍ଧ ଭାବେ ଘୋଷଣା କରାଗଲା । ତେବେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଯେଉଁ ସଂଶୋଧିତ ହାର ବିଜ୍ଞପ୍ତି ପ୍ରକାଶ ପାଇଛି ସେଥିରେ ବହୁ ଅସଙ୍ଗତି ରହିଛି। ନିୟମ ଅନୁସାରେ ହିସାବ କରା ନ ଯାଇ ତରବରିଆ ଭାବେ ବିଜ୍ଞପ୍ତି ପ୍ରକାଶ କରାଯାଇଥିବା ଅଭିଯୋଗ ହୋଇଛି। ଏଥିରେ ଚଞ୍ଚକତା କରାଯାଇ ଡେମନଷ୍ଟ୍ରେଟର, ଲାଇବ୍ରେରିଆନ ଓ ପିଇଟିଙ୍କୁ ସମ୍ପୂର୍ଣ୍ଣ ଅଣଦେଖା କରାଯାଇଛି। ଇନ୍‌କ୍ରିମେଣ୍ଟ ଓ ଗ୍ରେଡ୍‌ ପେ’କୁ ୨.୫୭ରେ ଗୁଣନ କରା ନ ଯାଇ ମନଇଚ୍ଛା ସର୍ବନିମ୍ନ ଦରମା ଆଧାରରେ ସପ୍ତମ ବେତନ କମିଶନ ହାରରେ ଦରମା ଧାର୍ଯ୍ୟ କରାଯାଇଛି। ଏହାଦ୍ୱାରା କର୍ମଚାରୀମାନେ ବହୁ ମାତ୍ରାରେ କ୍ଷତିଗ୍ରସ୍ତ ହେବା ସହ ସେମାନଙ୍କ ନ୍ୟାଯ୍ୟ ଦାବିରୁ ବଞ୍ଚିତ ହୋଇଛନ୍ତି। ଏହାକୁ ନେଇ ଡେମନଷ୍ଟ୍ରେଟର, ଲାଇବ୍ରେରିଆନ ଓ ପିଇଟିଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖାଦେଇଛି।
ସପ୍ତମ ବେତନ କମିଶନ ନାମରେ କର୍ମଚାରୀମାନଙ୍କୁ ଭୁଆଁ ବୁଲାଯାଇଥିବା ନେଇ ସେମାନେ ଅଭିଯୋଗ କରିଛନ୍ତି। ଏ ନେଇ ବିଭାଗୀୟ ମନ୍ତ୍ରୀ, ସଚିବଙ୍କ ଦୃଷ୍ଟିଆକର୍ଷଣ କରିଛନ୍ତି। ତୁରନ୍ତ ଅସଙ୍ଗତିକୁ ଦୂର କରିବା ସହ ନିୟମାନୁସାରେ ସପ୍ତମ ବେତନ କମିଶନ ଲାଗୁ କରିବାକୁ ଡେମନଷ୍ଟ୍ରେଟର, ପିଇଟି ଓ ଲାଇବ୍ରେରିଆନ ସଂଘ ପକ୍ଷରୁ ଦାବି କରାଯାଇଛି।