Categories: ଖେଳ

କୋହଲିଙ୍କ ବିରୋଧରେ ଚାଲିଛି ଷଡଯନ୍ତ୍ର

ଇସଲମାବାଦ,୧୩।୯: ବିରାଟ କୋହଲି ଟି -୨୦ ବିଶ୍ୱକପ ପରେ ଟିମ ଇଣ୍ଡିଆର ଟି -୨୦ ଏବଂ ଦିନିକିଆ ଦଳର ଅଧିନାୟକ ପଦ ଛାଡିବେ ଏବଂ ରୋହିତ ଶର୍ମା ଏହି ଦାୟିତ୍ୱ ନେବେ ବୋଲି ଚର୍ଚ୍ଚା ହେଉଛି। କୋହଲି ତାଙ୍କ ବ୍ୟାଟିଂ ଉପରେ ଧ୍ୟାନ ଦେବା ପାଇଁ ଏହି ପଦକ୍ଷେପ ନେବେ ବୋଲି ଚର୍ଚ୍ଚା ହେଉଛି। କିନ୍ତୁ ଏହି କଥାରେ କୌଣସି ସତ୍ୟତା ନାହିଁ। କୋହଲିଙ୍କ ଅଧିନାୟକତ୍ୱରେ ଭାରତ ଉଭୟ ଘରୋଇ ମାଟିରେ ଏବଂ ବିଦେଶ ଗସ୍ତରେ ଅନେକ ସଫଳତା ହାସଲ କରିଛି। ତେବେ ଗୋଟିଏ କଥା ଅଛି ଯାହା କୋହଲିଙ୍କ ସପକ୍ଷରେ କାମ କରି ନ ଥିଲା ଏବଂ ତାହା ହେଉଛି ଆଇସିସି ଟ୍ରଫି। କୋହଲିଙ୍କ ଅଧିନାୟକତ୍ୱରେ ଭାରତ ଏପର୍ଯ୍ୟନ୍ତ ଗୋଟିଏ ଆଇସିସି ଟ୍ରଫି ଜିତି ନାହିଁ। ଏହି ପ୍ରସଙ୍ଗରେ ପାକିସ୍ତାନର ପୂର୍ବତନ କ୍ରିକେଟର ସଲମାନ ବଟ୍ଟ କହିଛନ୍ତି ଯେ, କୋହଲିଙ୍କୁ ନେଇ କିଛି ରାଜନୀତି ଚାଲିଛି। ତାଙ୍କ ବିରୋଧରେ ଷଡଯନ୍ତ୍ର ରଚାଯାଉଛି। ଇଂଲଣ୍ଡ ଗସ୍ତରେ କୋହଲିଙ୍କ ପାଇଁ ନିଆଯାଇଥିବା କିଛି ନିଷ୍ପତ୍ତିରେ ମ୍ୟାନେଜମେଣ୍ଟ ଖୁସି ନ ଥିଲା। ଭାରତର ସଫଳତାରେ କୋହଲି ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ଏବଂ ଟି -୨୦ ବିଶ୍ୱକପ ସହ ତାଙ୍କ ଅଧିନାୟକତ୍ୱ ବିଷୟରେ ଯୁକ୍ତି କରିବା ଠିକ ନୁହେଁ ବୋଲି ସେ କହିଛନ୍ତି।
ନିକଟରେ ଇଂଲଣ୍ଡ ଗସ୍ତରେ କୋହଲି ବହୁତ ପ୍ରଭାବ ପକାଇଥିଲେ, କିନ୍ତୁ କିଛି ରିପୋର୍ଟରେ କୁହାଯାଇଛି ଯେ, ଯଦି ଟି -୨୦ ବିଶ୍ୱକପରେ ଭାରତ ଭଲ ପ୍ରଦର୍ଶନ ନ କରେ ତେବେ କୋହଲିଙ୍କୁ ରୋହିତଙ୍କ ସ୍ଥାନ ଛାଡିବାକୁ କୁହାଯିବ। ବଟ୍ଟ କହିଛନ୍ତି ଯେ, ରୋହିତ ଜଣେ ମହାନ ଖେଳାଳି ଏବଂ ଅଧିନାୟକ, କିନ୍ତୁ ସେ ଏବେ ସେ ଅଧିନାୟକ ହେବା ପାଇଁ ଉପଯୁକ୍ତ ସମୟ ନୁହେଁ। ଏବେ ସମସ୍ତ ଫର୍ମାଟରେ ଟିମ ଇଣ୍ଡିଆ ଶୀର୍ଷରେ ଅଛି ଏବଂ ତେଣୁ କୋହଲିଙ୍କୁ ଅବ୍ୟାହତି ଦେବା ଉଚିତ୍‌ ନୁହେଁ।

Share