ନେଦରଲ୍ୟାଣ୍ଡରେ ଚାଇନା ଖୋଲିଛି ପୋଲିସ ଷ୍ଟେଶନ! ରିପୋର୍ଟକୁ ନେଇ ଆଲୋଡନ…

ଆମଷ୍ଟରଡାମ,୨୮।୧୦: ନେଦରଲ୍ୟାଣ୍ଡରେ ଦୁଇଟି ପୋଲିସ ଷ୍ଟେଶନ ଖୋଲିଛି ଚାଇନା। ଏଭଳି କିଛି ଦାବି ହେବା ପରେ ଡଚ୍‌ ସରକାର ଆକ୍ସନ ମୁଡ୍‌କୁ ଆସି ତଦନ୍ତ ଆରମ୍ଭ କରିଛନ୍ତି। ଏହି ପୋଲିସ ଷ୍ଟେଶନରେ ହେଉଥିବା କାର୍ଯ୍ୟକଳାପ ଉପରେ ଅନୁସନ୍ଧାନ କରାଯାଉଛି। ଏହି ମାମଲା ସ୍ପଷ୍ଟ ହେବା ମାତ୍ରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସରକାରଙ୍କ ସ୍ବରାଷ୍ଟ୍ର ବିଭାଗର ମୁଖପାତ୍ର କହିଛନ୍ତି।

ଅପରପକ୍ଷେ ଚାଇନା ମଧ୍ୟ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛି। ପୋଲିସ ଷ୍ଟେଶନ ଖୋଲିବା ଦାବିକୁ ଚାଇନା ପ୍ରତ୍ୟାଖ୍ୟାନ କରିଛି। ଏହାଛଡ଼ା ସେଗୁଡିକୁ ନାଗରିକଙ୍କ ପାଇଁ ନିର୍ମିତ ସର୍ଭିସ ସେଣ୍ଟର ବୋଲି କହିଛି। ଏଠାରୁ କୌଣସି ପୋଲିସ ଅପରେଶନ କରାଯାଏ ନାହିଁ ବୋଲି ଦେଶ ପକ୍ଷରୁ ସ୍ପଷ୍ଟ କରାଯାଇଛି।

ପ୍ରକାଶ ଯେ, ମଙ୍ଗଳବାର ଡଚ୍‌ ମିଡିଆର ଆର୍‌ଟିଏଲ୍‌ ନୁୟୁସ୍‌ ଏବଂ ଫଲୋ ଦ ମନିରେ ଏକ ରିପୋର୍ଟ ପ୍ରକାଶ ପାଇଥିଲା। ଏଥିରେ ଚାଇନା ୨୦୧୮ରୁ ନେଦରଲ୍ୟାଣ୍ଡରେ ଦୁଇଟି ପୋଲିସ ଷ୍ଟେଶନ ଖୋଲିଛି। ଉଭୟ ପୋଲିସ ଷ୍ଟେଶନ ଆମଷ୍ଟରଡାମ ଏବଂ ରୋଟେରଡାମ୍‌ ସହରରେ ଅବସ୍ଥିତ, ଯେଉଁଠାରେ କି ସର୍ଭିସ ସେଣ୍ଟର ନାମରେ ପୋଲିସ ଷ୍ଟେଶନ ଚାଲୁଛି। ଏଠାରେ ଚାଇନାର ନାଗରିକମାନେ ଡ୍ରାଇଭିଂ ଲାଇସେନ୍ସ ବଦଳାଇବା ଭଳି ସାଧାରଣ କାର୍ଯ୍ୟ କରିପାରିବେ। ଏନେଇ ଡଚ୍‌ ସରକାରଙ୍କୁ ଅବଗତ କରାଯାଇ ନ ଥିବା ଏବଂ ଦେଶରେ ଥିବା ଚାଇନା ନାଗରିକମାନଙ୍କ ଉପରେ ଚାପ ପକାଇବା ଲାଗି ପୋଲିସ ଷ୍ଟେଶନକୁ ବ୍ୟବହାର କରାଯାଉଥିବା କୁହାଯାଇଥିଲା।

Share