Categories: ଜାତୀୟ

କ୍ଷମତାଶାଳୀ-ସାଧାରଣଙ୍କ ପାଇଁ ଦୁଇ ଭିନ୍ନ ଭିନ୍ନ ଆଇନ ହୋଇ ପାରିବ ନାହିଁ…

ଥିରୁଭାନନ୍ତପୁରମ୍‌, ୨୨।୨ : ଆଇନ ସଭିଙ୍କ ପାଇଁ ସମାନ। ସମାଜରେ କ୍ଷମତାଶାଳୀ ଏବଂ ସାଧାରଣ ଲୋକଙ୍କ ଲାଗି ଦୁଇ ଭିନ୍ନ ଭିନ୍ନ ଆଇନ ହୋଇ ପାରିବ ନାହିଁ ବୋଲି କେରଳ ହାଇକୋର୍ଟ ଏକ ମାମଲାର ବିଚାର କରି ଏଭଳି କହିଛନ୍ତି। ରାଜ୍ୟରେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଭିନ୍ନ ଭିନ୍ନ ଅଞ୍ଚଳରେ ବହୁ ବେଆଇନ ପତାକା ସ୍ତମ୍ଭ ନିର୍ମାଣ କରାଯାଇଛି। ଏନେଇ ନିର୍ଦ୍ଦିଷ୍ଟ ନିର୍ଦ୍ଦେଶ ସତ୍ତ୍ୱେ ଏହାର ଅବମାନନା କରାଯାଉଥିବାରୁ କୋର୍ଟ ଉଦ୍‌ବେଗ ପ୍ରକାଶ କରିଛନ୍ତି।

ବିଚାରପତି ଦେଓ୍ବାନ୍‌ ରାମଚନ୍ଦ୍ରନ୍‌ଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ବିନା ଅନୁମତିରେ ଏଭଳି କରାଯିବାକୁ ବାରଣ କରିଛନ୍ତି। କ୍ଷମତାଶାଳୀ ଲୋକଙ୍କୁ ଏଭଳି ନିଜ ଇଛା ଅନୁସାରେ ଏଭଳି ନ କରିବା ଉଚିତ ବୋଲି ଖଣ୍ଡପୀଠ କହିଛନ୍ତିି। ରାଜ୍ୟ ସରକାରଙ୍କ ପକ୍ଷରୁ କୋର୍ଟରେ ଉପସ୍ଥିତ ଥିବା ଆଡଭୋକେଟ୍‌ ଜେନେରାଲ ଅଶୋକ ଏମ୍‌. ଚେରିଆନ୍‌ ଏବଂ ବରିଷ୍ଠ ସରକାରୀ ଆଇନଜୀବୀ ଏସ୍‌.ଖାନ୍ନା କହିଥିଲେ ଯେ,ରାଜ୍ୟ ପ୍ରଶାସନିକ କଳ ପକ୍ଷରୁ ଏନେଇ ପଦକ୍ଷେପ ଆରମ୍ଭ ହୋଇଛି। କୌଣସି ନୂତନ ପତାକା ସ୍ତମ୍ଭ ନିର୍ମାଣ ବିନା ଅନୁମତିରେ ଯେପରି ନ ହୁଏ ସେନେଇ ନୋଟିସ୍‌ ମଧ୍ୟ ଜାରି ହୋଇଛି।

ଏନେଇ ଖଣ୍ଡପୀଠ କହିଛନ୍ତି, ରାଜ୍ୟ ସରକାର ବର୍ତ୍ତମାନ ସୁଦ୍ଧା ନିଶ୍ଚିତ ଆଶ୍ୱାସନା ଦେଇ ନାହାନ୍ତି ଯେ ଭବିଷ୍ୟତରେ ନୂଆ ପତାକା ସ୍ତମ୍ଭ ନିର୍ମାଣ ହେବ ନାହିଁ। ହାଇକୋର୍ଟଙ୍କ ପକ୍ଷରୁ ଏନେଇ ଉଦ୍ୟମ ଆରମ୍ଭ ହୋଇଥିଲେ ମଧ୍ୟ ରାଜ୍ୟ ସରକାର କିଛି କରୁ ନାହାନ୍ତି ବୋଲି ଖଣ୍ଡପୀଠ ଚେତାବନୀ ଦେଇଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟ ବେଆଇନ ଭାବେ ପତାକା ସ୍ତମ୍ଭ ନିର୍ମାଣ ହେଉଥିବା ନେଇ ଆଇନଜୀବୀ ଆର୍‌.ଟି.ପ୍ରଦୀପଙ୍କ ଦ୍ୱାରା ଏକ ସମବାୟ ସମିତି ପକ୍ଷରୁ ହାଇକୋର୍ଟରେ ପିଟିଶନ୍‌ ଦାଖଲ କରିଥିଲେ। ମାର୍ଚ୍ଚ ୨୮ ସୁଦ୍ଧା ଏସମ୍ପର୍କିତ ନୀତି ନିର୍ଦ୍ଧାରଣ କରିବା ଲାଗି ଖଣ୍ଡପୀଠଙ୍କ ପକ୍ଷରୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଜାରି କରାଯାଇଛି।

Share