ରାଜ୍ୟରେ ହଜାରେ ଉପରେ ଡେଙ୍ଗୁ ଆକ୍ରାନ୍ତ

ଭୁବନେଶ୍ୱର, ୮।୮(ବ୍ୟୁରୋ): ରାଜ୍ୟରେ କରୋନା ଭୟ ଯାଇ ନ ଥିବାବେଳେ ଡରାଇଲାଣି ଡେଙ୍ଗୁ। ଦିନକୁ ଦିନ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଜାନୁୟାରୀରୁ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ପାଖାପାଖି ହଜାରେ ଡେଙ୍ଗୁ କେସ୍‌ ରହିଥିବା ଶନିବାର ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା. ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି, ଏଥିମଧ୍ୟରୁ କେବଳ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଅଞ୍ଚଳରୁ ୭୧୪ କେସ୍‌ ରହିଛି। ପ୍ରତିଦିନ ଡେଙ୍ଗୁ କେସ୍‌ ସାମ୍ନାକୁ ଆସୁଛି। ତେବେ ଡେଙ୍ଗୁ ଭାଇରସ୍‌ ଏଲିସା ପଦ୍ଧତିରେ ଟେଷ୍ଟ ହେବା କଥା। କିନ୍ତୁ ଘରୋଇ ହସ୍ପିଟାଲଗୁଡ଼ିକ କେହି ବି ଏଲିସାରେ ଟେଷ୍ଟ କରୁନାହାନ୍ତି। କେବଳ କାର୍ଡ ଟେଷ୍ଟ କରୁଛନ୍ତି। ଫଳରେ ଫଲ୍‌ସ ପଜିଟିଭ କେସ୍‌ ଅଧିକ ଆସୁଛି। ତେଣୁ ଯଦି ପଜିଟିଭ ପାଉଛନ୍ତି ତେବେ ତୁରନ୍ତ ରକ୍ତ ନମୁନା କ୍ୟାପିଟାଲ ହସ୍ପିଟାଲ ଅବା ଆର୍‌ଏମ୍‌ଆର୍‌ସିକୁ ପଠାଇବାକୁ ସମସ୍ତ ଲାବୋରେଟୋରିକୁ ସେ ନିବେଦନ କରିଛନ୍ତି। ସେ ଆହୁରି କହିଛନ୍ତି, ଡେଙ୍ଗୁ ଟେଷ୍ଟ ପାଇଁ ସମସ୍ତ ସହରାଞ୍ଚଳ ପିଏଚ୍‌ସି, ସିଏଚ୍‌ସିରେ ବ୍ୟବସ୍ଥା ହୋଇଛି। ତେଣୁ ଲୋକମାନେ ସେଠାକୁ ଯାଇ ପରୀକ୍ଷା କରାଇପାରିବେ।

ସୂଚନାନୁଯାୟୀ, ପ୍ରଥମେ ଭୁବନେଶ୍ୱରରୁ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିଲେ। ବିଶେଷକରି ଶୈଳଶ୍ରୀବିହାର ଓ ନୀଳାଦ୍ରିବିହାରରେ ସ୍ଥିତି ଜଟିଳ ରହିଥିବାବେଳେ ସହରର ବିଭିନ୍ନ ଅଞ୍ଚଳରୁ ବହୁ ସଂଖ୍ୟାରେ ନୂଆ ରୋଗୀ ଚିହ୍ନଟ ହେଉଛନ୍ତି। ଡେଙ୍ଗୁ ପ୍ରକୋପକୁ ରୋକିବା ପାଇଁ ବିଏମ୍‌ସି ବହୁ ବିଳମ୍ବରେ ସଫେଇ ଓ ସଚେତନତା କାର୍ଯ୍ୟକ୍ରମକୁ ବ୍ୟାପକ କରିଛି। ବିଏମ୍‌ସି ପକ୍ଷରୁ ଡେଙ୍ଗୁ ଜ୍ୱର ପାଇଁ ଏକାଧିକ ସତର୍କ ସୂଚନା ଜାରି କରାଯାଇଛି। ଜ୍ୱର ସହ ମୁଣ୍ଡ, ହାତ ବିନ୍ଧା, ଦେହରେ ଲାଲ ଦାଗ, ବାନ୍ତି ଓ ମୁଣ୍ଡ ବିନ୍ଧା ହେଉଛି ଡେଙ୍ଗୁର ଲକ୍ଷଣ। ତେଣୁ ଏପରି ଲକ୍ଷଣ ଦେଖାଦେଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରିବାକୁ କୁହାଯାଇଛି। ଘରେ ମଧ୍ୟ ସଫେଇ ପ୍ରତି ଧ୍ୟାନ ଦେବାକୁ ପରାମର୍ଶ ଦିଆଯାଇଛି।