ଟ୍ରେନ୍‌ ଚଳାଚଳରେ ପ୍ରତିବନ୍ଧକ ନାହିଁ

ଭୁବନେଶ୍ୱର,୨୬।୯(ବ୍ୟୁରୋ): ରାଜ୍ୟରେ ଟ୍ରେନ୍‌ ଚଳାଚଳ କ୍ଷେତ୍ରରେ ଥିବା ସମସ୍ତ ପ୍ରତିବନ୍ଧକକୁ ହଟାଇବାକୁ ରାଜ୍ୟ ସରକାର ପୂର୍ବତଟ ରେଳପଥକୁ ପରାମର୍ଶ ଦେଇଛନ୍ତି। ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ସ୍ବତନ୍ତ୍ର ସଚିବ ତଥା ଆଇଆର୍‌ଟିଏସ୍‌ ଅଧିକାରୀ ମନୋଜ କୁମାର ମିଶ୍ର ଶୁକ୍ରବାର ଏ ନେଇ ପୂର୍ବତଟ ରେଳପଥକୁ ଚିଠି ଲେଖିଛନ୍ତି। ପୂର୍ବରୁ କୋଭିଡ୍‌-୧୯ ସଂକ୍ରମଣ ସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟରେ ଟ୍ରେନ୍‌ ଚଳାଚଳ ଉପରେ ପ୍ରତିବନ୍ଧକ ଲାଗିଥିଲା। ଗଞ୍ଜାମ ଓ ଖୋର୍ଦ୍ଧା ଭଳି କୋଭିଡ୍‌ ଦ୍ୱାରା ସର୍ବାଧିକ ପ୍ରଭାବିତ ଜିଲାର ଷ୍ଟେଶନଗୁଡ଼ିକରେ ଟ୍ରେନ୍‌ ରହଣି ଉପରେ କଟକଣା ଲାଗିଥିଲା। ସେହିଭଳି ଲକ୍‌ଡାଉନ୍‌ ଏବଂ ଶଟ୍‌ଡାଉନ ଯୋଗୁ କେବଳ ମାଲ୍‌ବାହୀ ଟ୍ରେନ୍‌ ଚଳାଚଳକୁ ଅନୁମତି ମିଳିଥିଲା। ଏବେ ବିଭିନ୍ନ କଟକଣା ଉଠୁଥିବାବେଳେ ଦେଶ ଏବଂ ରାଜ୍ୟରେ ଅନ୍‌ ଲକ୍‌ ଘୋଷଣା କରାଯାଇଛି। ତେଣୁ ଏଭଳି ପରିସ୍ଥିତିରେ ରାଜ୍ୟ ସରକାରଙ୍କ ପକ୍ଷରୁ ଟ୍ରେନ୍‌ ଚଳାଚଳ ଉପରେ କୌଣସି ପ୍ରତିବନ୍ଧକ ନ ଥିବା ଚିଠିରେ ସ୍ପଷ୍ଟ କରାଯାଇଛି। ଓଡ଼ିଶା ମଧ୍ୟରେ ଏଣିକି ସମସ୍ତ ଷ୍ଟେଶନରେ ଟ୍ରେନ୍‌ ରହଣି କରିବା ସହ ସମସ୍ତ ଅଞ୍ଚଳକୁ ଟ୍ରେନ୍‌ ଚଳାଚଳ କରିପାରିବ ବୋଲି କୁହାଯାଇଛି। ଅନ୍ୟପକ୍ଷେ ରାଜ୍ୟ ଭିତରେ ପର୍ଯ୍ୟାୟକ୍ରମେ ଟ୍ରେନ୍‌ ଚଳାଚଳ କରିବାକୁ ପୂର୍ବତଟ ରେଳପଥକୁ ବିଭାଗ ପକ୍ଷରୁ କୁହାଯାଇଛି।