ଦାରିଙ୍ଗବାଡ଼ି,୧୦ା୮(ଅରୁଣ ସାହୁ): କନ୍ଧମାଳ ଜିଲାର ଦୁର୍ଗମ ତଥା ଅପହଞ୍ଚ ଅଞ୍ଚଳର ଯାତ୍ରୀମାନଙ୍କ ପାଇଁ ବୁଡ଼ାଗୁଡ଼ା ବଜାର ଭରସା କିନ୍ତୁ ଆଜି ପର୍ଯ୍ୟନ୍ତ ବୁଡ଼ାଗୁଡା ଅଞ୍ଚଳର ବିକାଶ ଅପହଞ୍ଚ ଯୋଗୁ ଦୁର୍ଗମ ଅଞ୍ଚଳବାସୀ ବୁଡ଼ାଗୁଡ଼ା ଆସି ବହୁ ସମୟରେ ହଇରାଣ ହରକତ ହେଉଛନ୍ତି।
ପ୍ରକାଶ ଯେ, ବୁଡ଼ାଗୁଡ଼ା ଏମିତି ଏକ ମୁଖ୍ୟ ଛକ ଯେଉଁଠିକି ସିମନବାଡ଼ି, ଦାରିଙ୍ଗବାଡ଼ି, ଅଲିମାହା, ଗୁମିକିଆ, କୋଟଗଡ଼ ବ୍ଲକ ପକାରୀ, ରାଣିପାଙ୍ଗା, ବାଲିଗୁଡ଼ା, ଓ ଉକ୍ତ ବ୍ଲକ ଋତୁଙ୍ଗିଆକୁ ଯୋଗାଯୋଗ କରୁଛି। ତେବେ ଯାତ୍ରୀମାନେ ବୁଡ଼ାଗୁଡ଼ା ବଜାରକୁ ଆସିଲେ ସେଠାରୁ ଅନ୍ୟତ୍ର ଯିବାକୁ ବସ୍, ଯାତ୍ରୀବାହୀ ଅଟୋ ଆଦି ଧରିଯାଇଥାନ୍ତି କିନ୍ତୁ ଆଜି ପର୍ଯ୍ୟନ୍ତ ଯାତ୍ରୀମାନଙ୍କ ପାଇଁ ପିଇବା ପାଣିର ବ୍ୟବସ୍ଥା ସହ ଗୋଷ୍ଠୀ ଶୌଚାଳୟ କିମ୍ବା ଯାତ୍ରୀ ବିଶ୍ରାମାଗାର ଟିଏ ମଧ୍ୟ ଉପଲବ୍ଧ ନାହିଁ। ଫଳରେ ବୁଡ଼ାଗୁଡ଼ା ବଜାର ଉପରେ ଥିବା ଶତାୟୁ ବର ଗଛ ଛାଇ ଯାତ୍ରୀମାନଙ୍କ ପାଇଁ ଭରସା। ଉକ୍ତ ଗଛ ତଳେ ଯାତ୍ରୀ ମାନେ ବର୍ଷା, ଖରା ଓ ଶୀତରେ ଗାଡ଼ିକୁ ଅପେକ୍ଷା କରିଥାନ୍ତି। ଆଜି ପର୍ଯ୍ୟନ୍ତ ଯାତ୍ରୀ ବିଶ୍ରାମାଗାର କିମ୍ବା ଯାତ୍ରୀଙ୍କ ପାଇଁ ମୌଳିକ ସୁବିଧାଟିଏ ନ ଥିବାରୁ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଛି। ଏନେଇ ସରପଞ୍ଚ ତାତୁରା ପ୍ରଧାନ କହିଛନ୍ତି ଯେ, ସେ ଯାତ୍ରୀ ବିଶ୍ରାମାଗାର ସ୍ଥାପନ ପାଇଁ ଅନେକଥର ଆକ୍ସନ ପ୍ଲାନ ଦେଇଛନ୍ତି କିନ୍ତୁ ସରକାର ଅନୁଦାନ ଦେଇନାହାନ୍ତି। ଅନୁଦାନ ଆସିଲେ ହିଁ ଆମେ ଯାତ୍ରୀଙ୍କ ପାଇଁ ଏହା କରିପାରିବୁ ବୋଲି କହିଛନ୍ତି।


