ରୋଷଘର ଚଟାଣରେ ଲାଗିଲାନି ନୂଆ ପଥର

ପୁରୀ ଅଫିସ,୧୨।୭:ଶ୍ରୀମନ୍ଦିର ମରାମତି ଓ ରୋଷଘର ନୂଆ ଚଟାଣ କାର୍ଯ୍ୟ ଶେଷ ହୋଇପାରିନାହିଁ। ନିର୍ଦ୍ଧାରିତ କାମ ସରି ନ ଥିବାବେଳେ ମଙ୍ଗଳବାର ନୀଳାଦ୍ରି ବିଜେ ହେବାକୁ ଥିବାରୁ ରାଜ୍ୟ ସରକାରଙ୍କୁ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ (ଏଏସ୍‌ଆଇ) ଦାୟିତ୍ୱ ହସ୍ତାନ୍ତର କରିଛି। ସୋମବାର ଶେଷଦିନରେ ଗର୍ଭଗୃହ କାର୍ଯ୍ୟ କରାଯାଇଥିଲା। ଦୀପ ଯୋଗୁ ଗର୍ଭଗୃହରେ ହୋଇଥିବା କଳାଦାଗକୁ ଛଡ଼ାଇ ଦିଆଯାଇଛି। ସେହିଭଳି ମଏଶ୍ଚର ଟେଷ୍ଟିଂ, କେମିକାଲ୍‌ ୱାଶିଂ ଓ ସେନ୍ସର କାର୍ଯ୍ୟଦକ୍ଷତା ଯାଞ୍ଚ କରାଯାଇଛି। କାନ୍ଥରେ ହେଉଥିବା ଫାଟର ମାତ୍ରାକୁ ଯାଞ୍ଚ କରିବା ଲାଗି ଚେନ୍ନାଇ ଆଇଆଇଟି ପକ୍ଷରୁ ଲଗାଯାଇଥିବା ସେନ୍ସର କାର୍ଯ୍ୟଦକ୍ଷତାକୁ ଏଏସ୍‌ଆଇ ଯାଞ୍ଚ କରିଛି। ସେହିଭଳି ଭୋଗମଣ୍ଡପର ଚଟାଣ ମରାମତି କରାଯାଇଛି। ଅନେକ ଖାଲଢିପକୁ ସମାନ କରାଯାଇଛି। ତେବେ ନାଟମଣ୍ଡପରେ ହୋଇଥିବା ଫାଟ ମରାମତି କରାଯାଇନାହିଁ। କିଛି ସ୍ଥାନରେ ଷ୍ଟେନଲେସ୍‌ ଫ୍ରେମ୍‌ ଲଗାଯାଇଥିବା ଏଏସ୍‌ଆଇ ପୁରୀ ସର୍କଲ ପକ୍ଷରୁ ସୂଚନା ମିଳିଛି। ସେହିପରି ରୋଷଘର ଚଟାଣକୁ ବଦଳାଇ ନୂଆ ଖଣ୍ଡେଲାଇଟ ପଥର ଲଗାଇବା ପାଇଁ ଯୋଜନା ହୋଇଥିଲା। ମାତ୍ର ସମୟ ଅଭାବରୁ ସମ୍ପୃକ୍ତ କାର୍ଯ୍ୟ ହୋଇପାରିନାହିଁ। କେବଳ ରୋଷଘର ଅଗଣାର ୫୦ ପ୍ରତିଶତ ଚଟାଣକୁ ବଦଳାଇ ଦିଆଯାଇଛି। ସେହିଭଳି ସିସିଟିଭି ଲଗାଇବା ନେଇ କରାଯାଇଥିବା ଆବେଦନକୁ ଏପର୍ଯ୍ୟନ୍ତ ସରକାରୀ ମଞ୍ଜୁରୀ ମିଳିନି ଓ ତାହା ଚଳିତ ବର୍ଷ ରଥଯାତ୍ରା ସମୟରେ ଲଗାଯିବା ନେଇ ଯୋଜନା ନ ଥିଲା ବୋଲି ସୂଚନା ମିଳିଛି। ପୁରୀ ଏଏସ୍‌ଆଇ ସର୍କଲ ପକ୍ଷରୁ କୁହାଯାଇଛି ଯେ, ସୀମିତ ସମୟରେ ଯାହା କାର୍ଯ୍ୟ ହୋଇପାରିଲା ତାହା କରାଯାଇଛି। ତେବେ ରୋଷଘର ନୂଆ ପଥର ପକାଇବା କାମ ଶେଷ ହୋଇପାରିନାହିଁ। ଶ୍ରୀମନ୍ଦିର ପ୍ରଶାସନକୁ ଏସମ୍ପର୍କରେ ଅବଗତ କରାଯାଇଛି। କୌଣସି ସମୟରେ ଅତିରିକ୍ତ ସମୟ ଦେଲେ ମରାମତି କାର୍ଯ୍ୟ କରି ନୂଆ ପଥର ଲଗାଯିବ ବୋଲି ସ୍ପଷ୍ଟ କରାଯାଇଛି। ସେହିଭଳି ରାଜ୍ୟ ସରକାରଙ୍କୁ ଦାୟିତ୍ୱ ହସ୍ତାନ୍ତର କରାଯାଇଥିବା ଏଏସ୍‌ଆଇ ଜଣାଇଛି। ଅନ୍ୟପକ୍ଷରେ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା କହିଛନ୍ତି, ସୀମିତ ସମୟ ମଧ୍ୟରେ ଏଏସ୍‌ଆଇ ରୋଷଘର ଓ ଗର୍ଭଗୃହ କାର୍ଯ୍ୟ କରିଛି। ତେବେ ରୋଷଘର କାର୍ଯ୍ୟ ଯାହା ହୋଇପାରିନାହିଁ, ତାହା ଆଉ ଆସନ୍ତା ରଥଯାତ୍ରା ପୂର୍ବରୁ କରାଯାଇ ପାରିବ ନାହିଁ। ରୋଷଘର ଭିତରକୁ ପ୍ରବେଶ କରିବା ପ୍ରାବଧାନ ନ ଥିବାରୁ ବଳକା କାମ କରାଯାଇପାରିବ ନାହିଁ। ଉଲ୍ଲେଖଯୋଗ୍ୟ, ଶ୍ରୀମନ୍ଦିର ମରାମତି ଓ ରକ୍ଷଣାବେକ୍ଷଣ ଦାୟିତ୍ୱ ଏଏସ୍‌ଆଇ ପାଖରେ ଥିବାରୁ ପ୍ରତିବର୍ଷ ଘୋଷଯାତ୍ରା ସମେତ ନୀଳାଦ୍ରି ବିଜେ ପୂର୍ବଦିନ ପର୍ଯ୍ୟନ୍ତ ମରାମତି ଓ ରକ୍ଷଣାବେକ୍ଷଣ କାମ କରାଯାଇଥାଏ। ମହାପ୍ରଭୁ ରତ୍ନବେଦୀରେ ନ ଥିବାରୁ ନାଟମଣ୍ଡପ, ଭୋଗମଣ୍ଡପ ଓ ଗର୍ଭଗୃହ ଇତ୍ୟାଦିର ସ୍ଥିତି ଯାଞ୍ଚ କରାଯାଇପାରେ।