Business Eminence Awards 2026: ନିୟମ ପାଳନ କ୍ଷେତ୍ରରେ ଅନେକ ଚ୍ୟାଲେଞ୍ଜ ରହିଛି

କଳିଙ୍ଗ ବାୟୋମେଡିକାଲର ପ୍ରତିଷ୍ଠାତା ଇଂ. ମନୋଜ କୁମାର ନାୟକ ଭଦ୍ରକ ଜିଲାରେ ଜନ୍ମଗ୍ରହଣ କରିଥିଲେ ଏବଂ ରାଉରକେଲାରେ ସ୍କୁଲ ପଢ଼ା ସାରିଥିଲେ। ପରେ ବ୍ରହ୍ମପୁରର ୟୁସିପିଇଏସ୍‌ରେ ଯୋଗଦେଇ ବାୟୋଟେକ୍‌ରେ ଡିପ୍ଲୋମା କରିଥିଲେ ଏବଂ ଭୁବନେଶ୍ୱରର ଏମ୍‌ଆଇଇଟିରୁ ବାୟୋମେଡିକାଲ ଇଞ୍ଜିନିୟରିଂରେ ବି.ଟେକ୍‌ କରିଥିଲେ। କ୍ରମେ ଉଦ୍ୟୋଗ ଜଗତରେ ପାଦ ଦେଇ ଜଣେ ସଫଳ ଯୁବ ଉଦ୍ୟୋଗୀ ଭାବେ ନିିଜର ପରିଚୟ ସୃଷ୍ଟି କରିପାରିଥିବା ଇଂ. ନାୟକଙ୍କ ସହ ସ୍ବତନ୍ତ୍ର ସାକ୍ଷାତ୍‌କାର…

ପ୍ର- ମେଡିକାଲ ଇକ୍ୱିପ୍‌ମେଣ୍ଟ ବ୍ୟାପାର ଓ ବଣ୍ଟନ ଶିଳ୍ପ କେଉଁ କେଉଁ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଛି?
ଉ- ନିୟମାବଳୀ ପାଳନ କ୍ଷେତ୍ରରେ ବିଭିନ୍ନ ଚ୍ୟାଲେଞ୍ଜ ଥାଏ ବିଶେଷକରି ଏମ୍‌ସ୍‌, ଓଏସ୍‌ଏମ୍‌ସିଏଲ, ଜିଇଏମ୍‌ ଆଦିରେ କ୍ରୟ କ୍ଷେତ୍ରରେ ଏହି ସବୁ ଚ୍ୟାଲେଞ୍ଜ ଦେଖାଯାଏ। ୟୁଏସ୍‌ଏଫ୍‌ଡିଏ, ମେକ୍‌ ଇନ୍‌ ଇଣ୍ଡିଆ ଧାରା, ସିଡିଏସ୍‌ସିଓ ଲାଇସେନ୍ସ ଆଦି ମଧ୍ୟ ଗୋଟିଏ ଗୋଟିଏ ଚ୍ୟାଲେଞ୍ଜ । ନିୟମାବଳୀ ଓ ପାଳନ ଦୃଷ୍ଟିରୁ ମେଡିକାଲ ଇକ୍ୱିପମେଣ୍ଟଗୁଡ଼ିକ ବୃତ୍ତିଗତ ବ୍ୟକ୍ତିଙ୍କ ଦ୍ୱାରା କାରବାର ହେବା ଉଚିତ୍‌, ଯାହା ରୋଗୀଙ୍କ ସୁରକ୍ଷା ପାଇଁ ଜରୁରୀ। ମୂଲ୍ୟ କଥା କହିଲେ, ନୂଆ ଜିଏସ୍‌ଟି ନିୟମ ଅନୁଯାୟୀ ଟ୍ୟାକ୍ସ ସ୍ଲାବ୍‌ ୧୮% ରୁ ୫%କୁ କମିଥିବାରୁ ଏହା ବର୍ତ୍ତମାନ ଅଧିକ ସୁବିଧାଜନକ ହୋଇଛି।
ପ୍ର- କୋଭିଡ୍‌ ମହାମାରୀ ପରେ ସ୍ବାସ୍ଥ୍ୟ ସେବା ବଢ଼ିବା ଫଳରେ କ୍ରିଟିକାଲ କେୟାର ଓ ଘରେ ବ୍ୟବହାର ହେଉଥିବା ଜିନିଷଗୁଡ଼ିକର ଚାହିଦା ବଢ଼ିଛି କି ?
ଉ- ହଁ। କୋଭିଡ୍‌ ମହାମାରୀ କ୍ରିଟିକାଲ କେୟାର ଏବଂ ଘରେ ବ୍ୟବହାର ହେଉଥିବା ଜିନିଷଗୁଡ଼ିକର ଗୁରୁତ୍ୱ ଦେଖାଇଦେଲା । ବିଶେଷ କରି ଅକ୍ସିଜେନ କନ୍‌ସେଣ୍ଟ୍ରେଟର, ମାସ୍କ, ପଲ୍ସ ଅକ୍ସିମିଟର ଆଦି । ଅନେକ ଅଣ-ମେଡିକାଲ କମ୍ପାନୀ ମଧ୍ୟ ଏସବୁ ଆମଦାନି କରି ଏବେ ସଫଳ ମେଡିକାଲ କମ୍ପାନୀ ହୋଇଗଲେ।
ପ୍ର- ଏକ ପ୍ରତିଯୋଗିତାମୂଳକ ଡାଇଗ୍ନୋଷ୍ଟିକ୍‌ ଏବଂ କ୍ରିଟିକାଲ୍‌ କେୟାର ଉପକରଣ ଶିଳ୍ପରେ ଆପଣ ଆପଣଙ୍କର ଉପକରଣଗୁଡ଼ିକ କିପରି ସ୍ବତନ୍ତ୍ର କରିପାରିଛନ୍ତି?
ଉ-ଆମେ ସୁଲଭ ମୂଲ୍ୟରେ ଗୁଣାତ୍ମକ ଚିକିତ୍ସା ଉପକରଣ ଯୋଗାଇବା ପାଇଁ ଏକ ଦୃଷ୍ଟିକୋଣ ସହିତ କଳିଙ୍ଗ ବାୟୋମେଡିକାଲ୍‌ ଆରମ୍ଭ କରିଥିଲୁ। ପ୍ରଫେସନାଲ ବାୟୋମେଡିକାଲ୍‌ ଇଞ୍ଜିନିୟରମାନଙ୍କ ଏକ ଟିମ୍‌ ଦ୍ୱାରା ପରିଚାଳିତ ହୋଇ ଆମେ ପାରମ୍ପରିକ ଯୋଗାଣକାରୀମାନଙ୍କଠାରୁ ଅଧିକ ଭଲ ପ୍ରଦର୍ଶନ କରିପାରିଛୁ। ମାନବ ଶରୀର ଗଠନ ବିଷୟରେ ଆମର ଜ୍ଞାନକୌଶଳ, ଡାକ୍ତର ଏବଂ ହସ୍ପିଟାଲ ମାଲିକଙ୍କ ସମେତ ଆମର ଗ୍ରାହକମାନଙ୍କୁ ପ୍ରଭାବଶାଳୀ, କଷ୍ଟମାଇଜ୍‌ ସମାଧାନ ପ୍ରଦାନ କରିବାରେ ସକ୍ଷମ କରିଥାଏ।
ପ୍ର- ଆଗକୁ ଓଡ଼ିଶାରେ ବିକ୍ରି ବୃଦ୍ଧି କରିବେ ନା ରାଜ୍ୟ ବାହାରକୁ ବ୍ୟବସାୟ ସମ୍ପ୍ରସାରଣ କରିବେ?
ଉ- କେବଳ ରାଜ୍ୟ ଭିତରେ ସାରା ଦେଶରେ ବ୍ୟବସାୟ ସମ୍ପ୍ରସାରଣ କରିବା ଆମର ଦୀର୍ଘକାଳୀନ ଯୋଜନା ରହିଛି। ଅନ୍ୟ ରାଜ୍ୟଗୁଡ଼ିକୁ ଅଧିକ ଓଡ଼ିଶାରେ ଉତ୍ପାଦନ ହୋଇଥିବା ମେଡିକାଲ ଉପକରଣ ଯୋଗାଇବା ଲକ୍ଷ୍ୟ ରହିଛି।
ପ୍ର- ଆପଣଙ୍କର ଔଦ୍ୟୋଗିକ ଯାତ୍ରା କିପରି ଆରମ୍ଭ ହୋଇଥିଲା ଓ ଏହି କ୍ଷେତ୍ରରେ ଯୁବୋଦ୍ୟୋଗୀଙ୍କୁ କ’ଣ ପରାମର୍ଶ ଦେବେ?
ଉ- ଯେତେବେଳେ ମୁଁ ଅନ୍ୟ ଯୋଗାଣକାରୀ କମ୍ପାନୀ ଓ ଏମ୍‌ଏନ୍‌ସି କମ୍ପାନୀରେ କାମ କରୁଥିଲି, ମୁଁ ଦେଖିଲି ଯେ ମେଡିକାଲ ଯନ୍ତ୍ର ବ୍ୟବସାୟରେ ବୃତ୍ତିଗତତା କମ୍‌ ଅଛି । ଗ୍ରାହକଙ୍କୁ ଯନ୍ତ୍ର ବିଷୟରେ ଠିକ୍‌ ଜ୍ଞାନ ଦେବା ଦରକାର, ଯାହା ପାଇଁ ସେ ଟଙ୍କା ଖର୍ଚ୍ଚ କରନ୍ତି। ଏହା ମୋତେ ପ୍ରେରଣା ଦେଲା ଯେ ମୋର ବାୟୋମେଡିକାଲ ଜ୍ଞାନ ବ୍ୟବହାର କରି ସେହି ଅଭାବ ପୂରଣ କରି ଅଧିକ ଲୋକଙ୍କୁ ସାହାଯ୍ୟ କରିବା । ଯୁବୋଦ୍ୟୋଗୀଙ୍କୁ ମୋର ପରାମର୍ଶ ହେଉଛି ଯଦି ଆପଣ ମେଡିକାଲ ଡିଭାଇସ୍‌ ଏବଂ ହ୍ୟୁମାନ୍‌ ଆନାଟୋମିକୁ ଭଲ ପାଆନ୍ତି ତେବେ ଏହି କ୍ଷେତ୍ରରେ ଆପଣ ଆପଣଙ୍କ ସ୍ବପ୍ନର ବଡ଼ କମ୍ପାନୀ ତିଆରି କରିପାରିବେ ।

Dharitri – Odisha’s No.1 Odia Daily

Share