ବିଶ୍ୱବିଦ୍ୟାଳୟଗୁଡ଼ିକରେ ଶତାଧିକ ମଞ୍ଜୁରୀପ୍ରାପ୍ତ ପଦବୀ ଖାଲି

ଭୁବନେଶ୍ବର,୨୭ା୩(ବ୍ୟୁରୋ): ରେଭେନ୍‌ଶା ବିଶ୍ବବିଦ୍ୟାଳୟରେ ମୋଟ୍‌ ୨୬୭ ମଞ୍ଜୁରୀପ୍ରାପ୍ତ ପଦବୀରୁ ୧୫୩ଟି ପଦବୀ ଖାଲିପଡ଼ିଛି। ସେହିପରି ଉତ୍କଳ ବିଶ୍ବବିଦ୍ୟାଳୟରେ ସହକାରୀ ପ୍ରଫେସର, ସହଯୋଗୀ ପ୍ରଫେସର ଏବଂ ପ୍ରଫେସରଙ୍କୁ ମିଶାଇ ମୋଟ୍‌ ୨୫୭ ମଞ୍ଜୁରୀପ୍ରାପ୍ତ ପଦବୀ ରହିଛି। ସେଥିରୁ ୧୨୯ ପଦବୀ ବର୍ତ୍ତମାନ ମଧ୍ୟ ଖାଲିପଡ଼ିଛି। କେବଳ ଏହି ଦୁଇଟି କଲେଜ ନୁହେଁ ଏଭଳି ଅନେକ ବିଶ୍ୱବିଦ୍ୟାଳୟରେ ସମାନ ଅବସ୍ଥା ରହିଥିବା ସରକାରୀ ତଥ୍ୟରୁ ଜଣାପଡ଼ିଛି। ସେହିପରି ସରକାରୀ ତଥ୍ୟ ମୁତାବକ, ରାଜ୍ୟର ଅନ୍ୟ କେତେକ ବିଶ୍ୱବିଦ୍ୟାଳୟ ଯଥା ସମ୍ବଲପୁର ବିଶ୍ବବିଦ୍ୟାଳୟରେ ୧୫୩ ପଦରୁ ୬୨, ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ୧୯୬ ପଦରୁ ୮୦, ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ବବିଦ୍ୟାଳୟରେ ୩୮ ପଦରୁ ୧୯, ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟରେ ୧୧୫ ପଦରୁ ୭୬, ଗଙ୍ଗାଧର ମେହର ବିଶ୍ବବିଦ୍ୟାଳୟରେ ୧୪୪ ପଦରୁ ୭୦ଟି ପଦବୀ ଖାଲିପଡିଛି। ସମାନଭାବେ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟରେ ୧୩୮ ପଦରୁ ୭୯, ଫକିର ମୋହନ ବିଶ୍ବବିଦ୍ୟାଳୟରେ ୧୧୭ ପଦରୁ ୪୩ଟି ଖାଲି ରହିଛି। ମଧୁସୂଦନ ଆଇନ ବିଶ୍ବବିଦ୍ୟାଳୟରେ କେହି ହେଲେ ଜଣେ ପ୍ରଫେସର୍‌ ନାହାନ୍ତି। ମୋଟ୍‌ ୫୦ ମଞ୍ଜୁରୀପ୍ରାପ୍ତ ପ୍ରଫେସର ପଦରୁ ୫୦ଟି ଖାଲି ରହିଛି। ଏହାସହ ରାଜ୍ୟର ୧୨ ବିଶ୍ବବିଦ୍ୟାଳୟରେ ୧୭୨୦ ଶିକ୍ଷକ ପଦରୁ ୧୦୦୫ ଏବଂ ୨୬୩୯ ଅଣଶିକ୍ଷକ ପଦରୁ ୧୫୩୪ଟି ଖାଲି ପଡ଼ିଛି। ସୂଚନାଯୋଗ୍ୟ, ଓଡ଼ିଶା ବିଶ୍ବବିଦ୍ୟାଳୟ ସଂଶୋଧିତ ଅଧିନିୟମ ବିବାଦକୁ ନେଇ ଏବେ ସର୍ବୋଚ୍ଚ ନ୍ୟାୟାଳୟରେ ମାମଲା ଚାଲିଥିବାରୁ ଓଡ଼ିଶା ଲୋକସେବା ଆୟୋଗଙ୍କ ଦ୍ବାରା ଚାଲିଥିବା ପ୍ରଫେସର ନିଯୁକ୍ତି ପ୍ରକ୍ରିୟା ହୋଇପାରୁନାହିଁ। ତେବେ ଜଣେ ଅବସରପ୍ରାପ୍ତ ପ୍ରଫେସରଙ୍କ କହିବା ମୁତାବକ, ରାଜ୍ୟରେ ଥିବା ପୁରାତନ ବିଶ୍ବବିଦ୍ୟାଳୟଗୁଡ଼ିକର ସମସ୍ୟା ଲାଗି ରହିଛି। ବିଶ୍ବବିଦ୍ୟାଳୟଗୁଡ଼ିକରେ ବର୍ଷବର୍ଷ ଧରି ପ୍ରଫେସର ପଦ ଖାଲିପଡ଼ିଛି। କେବଳ ପ୍ରଫେସର ନୁହନ୍ତି ଶିକ୍ଷକ ଏବଂ ଅଣଶିକ୍ଷକ ପଦରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳୁଛି। ଏପରିସ୍ଥିତିରେ ଅତିଥି ଅଧ୍ୟାପକଙ୍କ ଭରସାରେ ପାଠପଢ଼ା ଚାଲିଲେ ରାଜ୍ୟର ଶିକ୍ଷାବ୍ୟବସ୍ଥା କିପରି ଚାଲିଛି ସ୍ପଷ୍ଟ ଅନୁମେୟ ବୋଲି ସେ କହିଛନ୍ତି।