ବାଡ଼ ଅଛି, ଗଛ ନାହିଁ: ଉଜୁଡ଼ିଯାଉଛି ରାସ୍ତା ପାର୍ଶ୍ୱ ବନୀକରଣ

ଚମ୍ପୁଆ, ୨୮।୧୨(ଡି.ଏନ.ଏ.)-ପରିବେଶକୁ ସବୁଜ ସୁନ୍ଦର କରିବା ପାଇଁ ସରକାର ରାସ୍ତାପାର୍ଶ୍ୱ ବନୀକରଣ ଲାଗି ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ରକ୍ଷଣାବେକ୍ଷଣ ଅଭାବରୁ କିଛି ଦିନ ମଧ୍ୟରେ ରାସ୍ତାପାର୍ଶ୍ୱ ବନୀକରଣ ଉଜୁଡ଼ିଯାଉଛି। ବାଡ଼ ଅଛି, ବତା ଅଛି, ଗଛ ନାହିଁ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଚମ୍ପୁଆ ବ୍ଲକ ପର୍ଶଳା ପଞ୍ଚାୟତର ଗୋପିନାଥପୁରଠାରେ। ରାସ୍ତାପାର୍ଶ୍ୱରେ ଲାଗିଥିବା ୪୦୦ରୁ ଊର୍ଦ୍ଧ୍ୱ ଚାରାରୁ ନାମକୁ ମାତ୍ର କେଇଟା ବଞ୍ଚିଥିବା ବେଳେ ଅନ୍ୟଗୁଡ଼ିକ ଦେଖିବାକୁ ମିଳୁନାହଁି। ନିୟମିତ ପାଣି ଦିଆ ନ ଯିବା ଓ ଯତ୍ନ ଅଭାବରୁ ଗଛଗୁଡ଼ିକ ମରିଯାଇଥିବା ସ୍ଥାନୀୟ ଲୋକ ମତ ଦେଇଛନ୍ତି।
ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ (ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା) ଅନୁସାରେ ଗୋପୀନାଥପୁରଠାରୁ ଅରଡ଼େଇ ନଦୀ ପର୍ଯ୍ୟନ୍ତ ୩ଲକ୍ଷ ବ୍ୟୟ ଅଟକଳରେ ଚାରାରୋପଣ କରାଯାଇଥିଲା। ଏନେଇ ଏକ ଅସମ୍ପୂର୍ଣ୍ଣ ସୂଚନାଫଳକ ଲଗାଯାଇ ରାସ୍ତାର ଉଭୟପାର୍ଶରେ ବାଉଁଶ ବତା ଓ ସବୁଜ ବାଡ଼ ଲଗାଯାଇ ସ୍ଥାନୀୟ ଲୋକଙ୍କୁ କାର୍ଯ୍ୟ ଯୋଗାଇ ଦିଆଯାଇଥିଲା। ବର୍ଷାଦିନରେ ବନୀକରଣ ନିୟମ ରହିଥିବା ବେଳେ ଏହି କାର୍ଯ୍ୟ ବର୍ଷାଦିନ ଶେଷଭାଗରେ କରାଯାଇଥିଲା। ମାତ୍ର ପରେ ଏହାର ରକ୍ଷଣାବେକ୍ଷଣ ତଥା ପାଣି ଦିଆଯାଇ ନ ଥିବାରୁ ୪ ମାସ ଭିତରେ ପ୍ରାୟ ଅଧାରୁ ଅଧିକ ଗଛ ନଷ୍ଟ ହୋଇଯାଇଥିବା ଦେଖିବାକୁ ମିଳିଛି। କେଉଁଠି ବତା ଉପୁଡ଼ି ପଡ଼ିଛି ତ କେଉଁଠି ସବୁଜ ବାଡ଼ ଆଉ ନାହିଁ। ଏପରିକି କେଉଁଠି ମଶାରୀ କପଡ଼ା ବାଡ଼ ଦିଆଯାଇଛି। ଫଳରେ ୩ଲକ୍ଷ ପାଣିରେ ପଡ଼ିବାର ଆଶଙ୍କା ଦେଖାଦେଇଛି। ଏ ସମ୍ପର୍କରେ ଜିଆର୍‌ଏସ ଶନି ସାହୁ କହିଛନ୍ତି ଯେ, ଏହି କାର୍ଯ୍ୟରେ ମାତ୍ର ୧ଲକ୍ଷ ଟଙ୍କା ବିଲ୍‌ କରାଯାଇଛି। ବିଭାଗୀୟ ଯନ୍ତ୍ରୀ ଗଛ ନ ବଞ୍ଚିଲେ ବିଲ୍‌ କରିବେ ନାହଁି ବୋଲି ରୋକଠୋକ ଜଣାଇଦେବା ପରେ ଗ୍ରାମସାଥୀଙ୍କୁ ଜଣାଇଦେଇଛି। ସେ ୧୦ଦିନ ମଧ୍ୟରେ ନୂତନ ଗଛ ଲଗାଇବା ସହ ନିୟମିତ ପାଣି ଦେଇ ଗଛ ବଞ୍ଚାଇବେ ବୋଲି ସୂଚନା ଦେଇଛନ୍ତି।