ବିବାହ, ବ୍ରତ, ଶୁଦ୍ଧିକ୍ରିୟାରେ ସର୍ବାଧିକ ୫୦ଜଣ

ଭୁବନେଶ୍ୱର, ୫। ୧୦(ବ୍ୟୁରୋ):  କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ରାଜ୍ୟରେ ଟିକାକରଣକୁ ତ୍ୱରାନ୍ବିତ କରାଯାଇଛି। ଦୈନିକ ସଂକ୍ରମଣ ମଧ୍ୟ ଏବେ ହ୍ରାସ ପାଇଛି। ତେବେ ଆଗକୁ ଶୀତଦିନ ଆସୁଥିବାରୁ ସଂକ୍ରମଣ ବଢିବା ଆଶଙ୍କା ଦେଖାଦେଇଛି। ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ଏବେଠାରୁ ସତର୍କ କରାଯିବାସହ ନୂଆ ଗାଇଡ୍‌ଲାଇନ୍‌ ଜାରି କରାଯାଇଛି। ଶୀତଦିନେ ବିବାହ, ବ୍ରତ ଓ ଶୁଦ୍ଧିକ୍ରିୟା ଆଦି କାର୍ଯ୍ୟକ୍ରମ ପାଇଁ ସ୍ଥାନୀୟ କର୍ତ୍ତୃପକ୍ଷଙ୍କଠାରୁ ଅନୁମତି ନେବାକୁ ପଡ଼ିବ। ପୁଣି ଏସବୁ କାର୍ଯ୍ୟରେ ସର୍ବାଧିକ ୫୦ଜଣ ଲୋକ ସାମିଲ ହୋଇ ପାରିବେ ବୋଲି ଗାଇଡ୍‌ଲାଇନ୍‌ରେ ନିର୍ଦ୍ଦେଶ ଦିଆଯାଇଛି। ଏହାଉପରେ ସମ୍ପୃକ୍ତ ମଣ୍ଡପ ବା ହୋଟେଲ ମାଲିକ ଦୃଷ୍ଟି ଦେବେ। କାର୍ଯ୍ୟକ୍ରମବେଳେ କରୋନା ଲକ୍ଷଣ ଥିବା ବ୍ୟକ୍ତିଙ୍କୁ ମଣ୍ଡପ, ହୋଟେଲ ଆଦିକୁ ପ୍ରବେଶ କରିବାକୁ ଅନୁମତି ଦିଆଯିବ ନାହିଁ। ଏଥିସହ ବୟସ୍କ ବ୍ୟକ୍ତି, ଗର୍ଭବତୀ, ୧୦ବର୍ଷରୁ କମ୍‌ ବୟସର ଶିଶୁ ଓ ଅନ୍ୟ ଗମ୍ଭୀର ଶାରୀରିକ ସମସ୍ୟା ଥିବା ଲୋକଙ୍କୁ ମଧ୍ୟ କାର୍ଯ୍ୟକ୍ରମରେ ସାମିଲ ହେବାକୁ ବାରଣ କରାଯାଇଛି। କାର୍ଯ୍ୟକ୍ରମରେ ଯୋଗଦେବା ପୂର୍ବରୁ ସମସ୍ତଙ୍କର ଥର୍ମାଲ ସ୍କ୍ରିନିଂ କରିବା, କେବଳ ଖାଇବା ସମୟକୁ ଛାଡି ଅନ୍ୟ ସମୟରେ ମାସ୍କ ପିନ୍ଧିବା, ପରସ୍ପର ମଧ୍ୟରେ ୬ ଫୁଟ ଦୂରତା ରକ୍ଷା କରିବା ଏବଂ କୌଣସି ସ୍ଥାନରେ ପାନ, ତମାଖୁ କିମ୍ବା ଛେପ ନ ପକାଇବା ପାଇଁ ନିର୍ଦ୍ଦେଶ ରହିଛି। ଏହି କଟକଣାକୁ ଉଲ୍ଲଂଘନ କଲେ ଉଲ୍ଲଂଘନକାରୀ, ମଣ୍ଡପ, ହୋଟେଲ ବା ସମ୍ପୃକ୍ତ କାର୍ଯ୍ୟକର୍ତ୍ତାଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଠିକ୍‌ ଭାବେ ନିୟମ ପାଳନ ହେଉଛି କି ନାହିଁ ସେନେଇ ସ୍ଥାନୀୟ ପୋଲିସ ଓ ବିଏମ୍‌ସି ଏନ୍‌ଫୋର୍ସମେଣ୍ଟ ଟିମ୍‌ ନଜର ରଖିବ ବୋଲି ବିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି।