ରାଜ୍ୟରେ ୯୨ ହଜାର ପଞ୍ଜୀକୃତ କୃଷି ଶ୍ରମିକ

ଭୁବନେଶ୍ୱର,୮।୧୨(ବ୍ୟୁରୋ): ରାଜ୍ୟରେ ୯୨ ହଜାର ୭୦୯ କୃଷି ଶ୍ରମିକ ଚିହ୍ନଟ ହୋଇ ପଞ୍ଜୀକୃତ ହୋଇଛନ୍ତି। ଅନୁଗୋଳ ଶ୍ରମ ଜିଲାରେ ୬୭୦ ଜଣ କୃଷି ଶ୍ରମିକ ପଞ୍ଜୀକୃତ ହୋଇଥିବା ବେଳେ ବାଲେଶ୍ୱରରେ ୩୫୫୨, ଭଦ୍ରକରେ ୩୯୧୩, ବରଗଡ଼ରେ ୨୨୩୬ ଶ୍ରମିକ ପଞ୍ଜୀକୃତ ହୋଇଛନ୍ତି। ମାତ୍ର ବଲାଙ୍ଗୀର ଶ୍ରମ ଜିଲାରେ ଜଣେ ହେଲେ କୃଷି ଶ୍ରମିକ ପଞ୍ଜୀକୃତ ହୋଇ ନ ଥିବା ବେଳେ ଝାରସୁଗୁଡାରେ ମାତ୍ର ୫ ପଞ୍ଜୀକୃତ ହେଇଛନ୍ତି। ସେହିପରି ବୌଦ୍ଧ ଜିଲାରେ ୧୦୨୨୩ ପଞ୍ଜୀକୃତ ହୋଇଥିବା ବେଳେ ଛତ୍ରପୁର ୧୯୭୪, କଟକ ୨୯୯୩, ଦେବଗଡ ୬୭୦, ଢେଙ୍କାନାଳ ୮୨୧, ଗଜପତି ୮୮୬, ଗଞ୍ଜାମ ୪୬୪୨, ଜଗତ୍‌ସିଂହପୁର ୨୦୧୧, ଯାଜପୁର ୨୮୨୨, କଳାହାଣ୍ଡି ୯୧୮, କନ୍ଧମାଳ ୧୪୯୭, କେନ୍ଦ୍ରାପଡ଼ା ୧୫,୧୯୩, ଖୋର୍ଦ୍ଧା ୫୬୯, କେନ୍ଦୁଝର ୨୦୪୯, କୋରାପୁଟ ୩୧୪୭, ମାଲକାନଗିରି ୪୦୩୬, ମୟୂରଭଞ୍ଜ ୫୮୬, ନୟାଗଡ଼ ୪୬୧, ନବରଙ୍ଗପୁର ୯୮୨୦, ନୂଆପଡ଼ା ୭୪୫୫, ପୁରୀ ୧୭୬୫, ରାୟଗଡ଼ା ୩୬୫୨, ସମ୍ବଲପୁର ୧୬୬, ସୁବର୍ଣ୍ଣପୁର ୨୫୧୮, ସୁନ୍ଦରଗଡ଼ ୫୪୮ ଏବଂ ତାଳଚେରରେ ୯୧୧ ଜଣ କୃଷି ଶ୍ରମିକ ପଞ୍ଜୀକୃତ ହୋଇଛନ୍ତି। ବିଜେଡି ସଭ୍ୟ ପ୍ରଶାନ୍ତ ବେହେରାଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ସୁଶାନ୍ତ ସିଂ ମଙ୍ଗଳବାର ବିଧାନସଭାରେ ଏହି ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି ଯେ କୃଷି ଶ୍ରମିକଙ୍କ କଲ୍ୟାଣ ପାଇଁ ସରକାର ଅନେକ ବ୍ୟବସ୍ଥା କରିଛନ୍ତି। ଶ୍ରମିକଙ୍କର ମୃତ୍ୟୁ ହେଲେ ୧ ଲକ୍ଷ, ଦୁର୍ଘଟଣାରେ ମୃତ୍ୟୁ ହେଲେ ୨ ଲକ୍ଷ , ଦୁର୍ଘଟଣାରେ ସମ୍ପୂର୍ଣ୍ଣ ଅକ୍ଷମ ହେଲେ ୧ଲକ୍ଷ ୫୦ ହଜାର, ଦୁଇଟି ଅଙ୍ଗ ହରାଇ ଆଂଶିକ ଅକ୍ଷମତା କ୍ଷେତ୍ରରେ ୮୦ ହଜାର ଏବଂ ଗୋଟିଏ ଅଙ୍ଗ ହରାଇଲେ ୪୦ ହଜାର ଟଙ୍କା ସହାୟତା ଦେବାର ବ୍ୟବସ୍ଥା ହୋଇଛି।