୫୬୨ ଆର୍‌ଆଇ ପଦବୀ ଖାଲି

ଭୁବନେଶ୍ୱର,୧୫ା୭(ବ୍ୟୁରୋ): ରାଜ୍ୟରେ ମୋଟ ୩୨ ତହସିଲଦାର, ମୋଟ ୭୯ ଅତିରିକ୍ତ ତହସିଲଦାର ପଦବୀ ଖାଲି ରହିଛି। ସେହିପରି ୫୬୨ ରାଜସ୍ବ ନିରୀକ୍ଷକ (ଆର୍‌ଆଇ) ଏବଂ ୬୧ ରାଜସ୍ବ ପରିଦର୍ଶକ ପଦବୀ ଏ ପର୍ଯ୍ୟନ୍ତ ପୂରଣ ହୋଇପାରି ନାହିଁ। ବଲାଙ୍ଗୀର ଜିଲାରେ ସର୍ବାଧିକ ରାଜସ୍ବ କର୍ମଚାରୀ ପଦବୀ ଖାଲିଥିବାବେଳେ ଏହାକୁ ପୂରଣକରିବା ପାଇଁ ପଦକ୍ଷେପ ନିଆଯାଉଥିବା ରାଜସ୍ବମନ୍ତ୍ରୀ ପ୍ରମିଳା ମଲିକ କହିଛନ୍ତି।
ବିଧାନସଭାରେ ଗଣେଶ ରାମ୍‌ ସିଂ ଖୁଣ୍ଟିଆ ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ମଲିକ କହିଛନ୍ତି, ୨୦୨୧ ଏପ୍ରିଲରେ ୯୨୦ କନିଷ୍ଠ ରାଜସ୍ବ ସହାୟକ ଏବଂ ସେହି ବର୍ଷ ଡିସେମ୍ବରରେ ୫୮୬ ରାଜସ୍ବ ନିରୀକ୍ଷକ ପଦବୀ ପୂରଣ ହୋଇଛି। ସେହିପରି ୫୭୬ ସହକାରୀ ରାଜସ୍ବ ନିରୀକ୍ଷକ ପଦବୀ ଏବଂ ୫୩୮ ଅମିନ ପଦବୀ ପୂରଣ ଲାଗି ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ, ଭୁବନେଶ୍ୱରଙ୍କ ଦ୍ୱାରା ଚୟନ ପ୍ରକ୍ରିୟା ଶେଷ ହୋଇଛି। କିଛି କାଗଜପତ୍ର ଯାଞ୍ଚ ହେବାପରେ ସେମାନେ ଜିଲାରେ ଯୋଗଦେବେ ବୋଲି ମନ୍ତ୍ରୀ କହିଛନ୍ତି। ଏହାଛଡ଼ା ଖାଲି ପଦବୀ ପୂରଣ ସକାଶେ ଏମ୍‌ପାଓ୍ବାର କମିଟି ଅନୁମୋଦନ ଲାଗି ପ୍ରକ୍ରିୟା ଆରମ୍ଭ କରାଯାଇଛି।
ସରକାରଙ୍କ ତଥ୍ୟ ଅନୁଯାୟୀ, ରାଜ୍ୟରେ ଏଭଳି ଗୋଟିଏ ଜିଲା ନାହିଁ ଯେଉଁଠି ସବୁଠାରେ ସବୁ ପ୍ରକାର ପଦବୀ ପୂରଣ ଅଛି। ବଲାଙ୍ଗୀର ପରେ କଟକ ଭଳି ଗୁରୁତ୍ୱପୂର୍ଣ୍ଣ ଜିଲାରେ ୬୨ ପଦବୀ ଖାଲି ପଡିଛି। ସମ୍ବଲପୁରରେ ସର୍ବନିମ୍ନ ୪ପଦବୀ ଖାଲି ପଡିଛି। ଏହି ଜିଲାକୁ ମିଶାଇ ମୋଟ ୭ ଜିଲାରେ ଏକ ଅଙ୍କ ଭିତରେ ଖାଲି ପଦବୀ ରହିଛି। ନ ହେଲେ ବାକି ସବୁ ଜିଲାରେ ଖାଲି ପଦବୀ ସଂଖ୍ୟା ଦୁଇ ଅଙ୍କ ତଳକୁ ନାହିଁ। ରାଜସ୍ବ ନିରୀକ୍ଷକ(ଆର୍‌ଆଇ) ପଦବୀ ବହୁତ ଗୁରୁତ୍ୱପୂର୍ଣ୍ଣ ହୋଇଥିବା ବେଳେ ବଲାଙ୍ଗୀର ସର୍ବାଧିକ ୬୩ ଆର୍‌ଆଇ ପଦବୀ ଖାଲି ପଡିଛି। ମାଲକାନଗିରିରେ ସର୍ବନିମ୍ନ ୨ ଆର୍‌ଆଇ ପଦବୀ ଖାଲି ଅଛି। ସେହିପରି କେନ୍ଦୁଝରରେ ୩ , ଦେଓଗଡ଼ରେ ୭, ସମ୍ବଲପୁରରେ ୪, ନୂଆପଡାରେ ୬ ଏବଂ ଝାରସୁଗୁଡାରେ ୪ ଆର୍‌ଆଇ ପଦ ଖାଲି ଅଛି। ନ ହେଲେ ବାକି ସବୁ ଜିଲାରେ ଦୁଇ ଅଙ୍କ ତଳକୁ କେଉଁଠି ଆର୍‌ଆଇ ପଦବୀ ଖାଲି ନାହିଁ। ତୃଣମୂଳସ୍ତରରେ ରାଜସ୍ବ ବିଭାଗ ଲାଗି ଆର୍‌ଆଇଙ୍କ କାର୍ଯ୍ୟ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ହୋଇଥିବା ବେଳେ ରାଜ୍ୟରେ ୫୬୨ପଦବୀ ଖାଲି ପଡିବା ସବୁଠାରୁ ଆଶ୍ଚର୍ଯ୍ୟଜନକ ଘଟଣା ବୋଲି ବିରୋଧୀ ଦଳ ପକ୍ଷରୁ ଅଭିଯୋଗ କରାଯାଇଛି।
ସେହିପରି ରାଜ୍ୟରେ ମୋଟ ୮୧୮ ବାତ୍ୟା ଆଶ୍ରୟସ୍ଥଳୀ ରହିଛି। ପୁରୀରେ ସର୍ବାଧିକ ୧୭୯ ଥିବାବେଳେ କେନ୍ଦ୍ରାପଡ଼ାରେ ୧୧୭, ଗଞ୍ଜାମରେ ୧୦୩ ଏବଂ ବାଲେଶ୍ୱରରେ ୧୦୦ଟି ଅଛି। ହେଲେ ସୁନ୍ଦରଗଡ଼, କନ୍ଧମାଳ, ଦେଓଗଡ଼, ବଲାଙ୍ଗୀର ଏବଂ ଅନୁଗୋଳରେ ଗୋଟିଏ ହେଲେ ବାତ୍ୟା ଆଶ୍ରୟସ୍ଥଳୀ ନାହିଁ।