କୁଲଡ଼ିହାରେ ୫୬ ପ୍ରଜାତିର ଦେଶୀ, ବିଦେଶୀ ପକ୍ଷୀ

ନୀଳଗିରି, ୧୧।୧(ପ୍ରଶାନ୍ତ ବିଶ୍ୱାଳ)ସବୁଜ ବନାନୀ ସହିତ ପ୍ରାକୃତିକ ପ୍ରାଚୁର୍ଯ୍ୟର ଗନ୍ତାଘର ବିସ୍ତୀର୍ଣ୍ଣ ୨୭୨.୭୫ ବର୍ଗ କି.ମି. ପରିବ୍ୟାପ୍ତ ବାଲେଶ୍ୱର ଜିଲା ନୀଳଗିରି କୁଲଡ଼ିହା ଅଭୟାରଣ୍ୟର କେତେକ ଜଳାଶୟକୁ ଶୀତଦିନେ ପ୍ରତିବର୍ଷ ବିଭିନ୍ନ ପ୍ରଜାତିର ପକ୍ଷୀ ଖାଦ୍ୟ ଅନ୍ବେଷଣରେ ମାଇଲ ମାଇଲ ବାଟ ଅତିକ୍ରମ କରି ଆସିଥାନ୍ତି। ଏହି ପକ୍ଷୀମାନଙ୍କ ସୁରକ୍ଷା, ସେମାନେ କେଉଁ ପ୍ରଜାତିର ଓ ପକ୍ଷୀର ସ୍ବରରୁ ତାଙ୍କର ଗତିବିଧିକୁ ଜାଣିବା ପାଇଁ ପ୍ରତିବର୍ଷ ପକ୍ଷୀଗଣନା କାର୍ଯ୍ୟକ୍ରମ କରାଯାଇଥାଏ। ଚଳିତବର୍ଷ ମଧ୍ୟ ବନବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ପକ୍ଷୀଗଣନା ଆରମ୍ଭ ହୋଇଛି। ପକ୍ଷୀଙ୍କ ଭିତରେ ବଗ, ଶୁଆ, ଗେଣ୍ଡାଳିଆ, ମାଛରଙ୍କା, ସଲରୀ, କଜଳପାତି, ବୁବୁନ, ଉଦରଦଳିଆ ଆଦି ୫୬ ପ୍ରଜାତିର ଦେଶୀ, ବିଦେଶୀ ପକ୍ଷୀ ଆସିଥିବା ଜଣାପଡ଼ିଛି।
ବାଲେଶ୍ୱର ଡିଏଫ୍‌ଓଙ୍କ ନିର୍ଦ୍ଦେଶରେ ଏସିଏଫ୍‌ ସୋଭନ ଦିଗନ୍ତ ଚାନ୍ଦ ଓ ରାମଚନ୍ଦ୍ର ମୁର୍ମୁ, କୁଲଡ଼ିହା ରେଞ୍ଜର ପ୍ରବୀର ମୁର୍ମୁଙ୍କ ନେତୃତ୍ୱରେ ଅଭୟାରଣ୍ୟ ଭିତରେ ଥିବା ରିଷିଆ ଡ୍ୟାମ, ବୁଗାଳିବନ୍ଧ, ଖୁମକୁଟ, ତେଣ୍ଡା ସାତଘାଟି ଡ୍ୟାମ୍‌ରେ ପକ୍ଷୀଗଣନା ପାଇଁ ୪ଟି ଟିମ୍‌ ଦ୍ୱାରା ବୁଧବାର ପୂର୍ବାହ୍ନ ୬ଟାରୁ ପକ୍ଷୀଗଣନା ହୋଇଥିଲା। ଏଥିରେ ପକ୍ଷୀ ବିଶେଷଜ୍ଞ ମନୋରଞ୍ଜନ ଦାସ, ପୂର୍ବତନ ୱାଇଲ୍ଡ ଲାଇଫ ୱାର୍ଡ଼େନ ପ୍ରକାଶ ଚନ୍ଦ୍ର ମର୍ଦ୍ଦରାଜ, ସେଞ୍ଚୁରିୟାନ ବିଶ୍ୱବିଦ୍ୟାଳୟର ଛାତ୍ରୀଛାତ୍ର ଭାରତୀ ରଲୁଲ, ମେଘା ସାମଲ, ମୈତ୍ରୀ ମିଶ୍ର, ଅନନ୍ୟା ଅନୁରାଧା ସାହୋ, ଜିଭାନ୍‌ ଜ୍ୟୋତି ସୁନ୍ଦରାୟ ନାମକ ଛାତ୍ରୀଛାତ୍ରଙ୍କ ସହ ଫରେଷ୍ଟର ଭାଗ୍ୟଶ୍ରୀ ଦ୍ୱିବେଦୀ, ସୂମୋୟା ରଞ୍ଜନ ମାଝି ଓ ଫରେଷ୍ଟଗାର୍ଡ଼, ସବୁଜବାହିନୀ ପକ୍ଷୀଗଣନାରେ ସାମିଲ ହୋଇଥିଲେ। ତେବେ ଅନୁରୂପ ଭାବେ ନୀଳଗିରି ବନବିଭାଗ ଅଧୀନ ପଦ୍ମତୋଳାଠାରେ ନୀଳଗିରି ରେଞ୍ଜର ଆଇଶା ଅକତାରି ନିଶାଙ୍କ ନିର୍ଦ୍ଦେଶରେ ଫରେଷ୍ଟର, ଫରେଷ୍ଟଗାର୍ଡ଼, ସବୁଜବାହିନୀକୁ ନେଇ ପକ୍ଷୀଗଣନା ହୋଇଛି।