୨ ଗୃହରେ ଚାଲିଛି ୫ ଶ୍ରେଣୀ, ପଢୁଛନ୍ତି ୨୧୭ ଛାତ୍ରୀଛାତ୍ର

ଆଳି,୨୪ା୪(ଡି.ଏନ.ଏ.): ରାଜ୍ୟ ସରକାର ଶିକ୍ଷା ବ୍ୟବସ୍ଥା ସୁଦୃଢ଼ୀକରଣ ନିମନ୍ତେ ଅର୍ଥ ଖର୍ଚ୍ଚ କରୁଥିବା ବେଳେ ଶିକ୍ଷା ବ୍ୟବସ୍ଥାରେ କେତେ ପରିବର୍ତ୍ତନ ଘଟିଛି ତାହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲା ଆଳି ବ୍ଲକରେ। ବ୍ଲକର ମେଣ୍ଢପୁର ପଞ୍ଚାୟତରେ ରହିଛି ପଦନପୁର ପ୍ରାଥମିକ ବିଦ୍ୟାଳୟ। ଏହି ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀଛାତ୍ରଙ୍କ ନିମନ୍ତେ ପାଠ ପଢିବାର ବ୍ୟବସ୍ଥା ରହିଛି। ପାଠ ପଢାଇବା ଲାଗି ୫ଟି ଶ୍ରେଣୀର ୨୧୭ ପିଲାଙ୍କ ପାଇଁ ୫ ଜଣ ଶିକ୍ଷକ ମଧ୍ୟ ନିଯୁକ୍ତି ପାଇଛନ୍ତି। ହେଲେ ୨ଟି ଗୃହରେ ୫ଟି ଶ୍ରେଣୀର ପିଲାଙ୍କୁ ପଢାଯାଉଛି। କିନ୍ତୁ ଶିକ୍ଷାଦାନ ବ୍ୟବସ୍ଥାର ଏଭଳି ବିପର୍ଯ୍ୟସ୍ତ ଦୃଶ୍ୟ ଆଖିରେ ନ ଦେଖିଲେ ବିଶ୍ୱାସ କରିହେବ ନାହିଁ। ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରେ ୩୫ ଜଣ, ଦ୍ୱିତୀୟ ଶ୍ରେଣୀରେ ୭୦, ତୃତୀୟରେ ୪୫, ୪ର୍ଥରେ ୩୫ ଓ ପଞ୍ଚମ ଶ୍ରେଣୀରେ ୩୨ ଜଣ ପିଲା ପାଠ ପଢୁଛନ୍ତି। ମାତ୍ର ସେମାନଙ୍କ ପାଠ ପଢିବା ପାଇଁ ଶ୍ରେଣୀ ଗୃହ ଅଭାବ ଭଳି ସମସ୍ୟା ଦେଖା ଦେଇଛି। ବିଦ୍ୟାଳୟର ପ୍ରଥମ ଶ୍ରେଣୀରେ ପଢୁଥିବା ଛାତ୍ରୀଛାତ୍ରମାନଙ୍କୁ ବିଦ୍ୟାଳୟ ବାରଣ୍ଡାରେ ପାଠ ପଢା ଯାଉଥିବା ବେଳେ ବିଦ୍ୟାଳୟର ଗୋଟିଏ ଗୃହରେ ଦ୍ୱିତୀୟ, ତୃତୀୟ ଓ ଅନ୍ୟ ଏକ ଗୃହରେ ଚତୁର୍ଥ ଓ ପଞ୍ଚମ ଶ୍ରେଣୀ ପିଲା ପାଠ ପଢୁଛନ୍ତି। ଶ୍ରେଣୀ ଗୃହର ଦୁଇ ପାର୍ଶ୍ୱରେ ଦୁଇଟି କଳାପଟା ଥିବା ବେଳେ ଛାତ୍ରୀଛାତ୍ରମାନେ ଉଭୟ ପାଖକୁ ଚାହିଁ ଶିକ୍ଷକଙ୍କଠାରୁ ଶିକ୍ଷା ଗ୍ରହଣ କରୁଛନ୍ତି। ଫଳରେ ଛାତ୍ରୀଛାତ୍ରଙ୍କ ପାଠପଢାରେ ବ୍ୟାଘାତ ସୃଷ୍ଟି ହେଉଛି ବୋଲି ଗ୍ରାମବାସୀ ଅଭିଯୋଗ ଆଣିଛନ୍ତି। ଏଥିସହ ବିଦ୍ୟାଳୟର ବାରଣ୍ଡାରେ ପଦନପୁର ଓ ପଦନପୁର ‘ଏ’ ୨ଟି ଅଙ୍ଗନଓ୍ବାଡି ସେଣ୍ଟରର ପ୍ରାୟ ୭୦ ଶିଶୁ ପଢୁଛନ୍ତି l ଏ ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି, ୧୯୭୭ରୁ ଏହି ବିଦ୍ୟାଳୟ ଏଭଳି ଚାଲିଥିବା ବେଳେ ଶିକ୍ଷା ବିଭାଗ ଏହା ଉପରେ ଦୃଷ୍ଟି ଦେବାକୁ ଦାବି କରିଛନ୍ତି। ଏ ନେଇ ଆଳି ଶିକ୍ଷା ମଣ୍ଡଳ ଅଧିକାରୀ ଗୋବିନ୍ଦ ପରିଡାଙ୍କୁ ପଚାରିବାରୁ ଏହି ଘଟଣା ସମ୍ପର୍କରେ ସେ ଅବଗତ ଅଛନ୍ତି। ବିଦ୍ୟାଳୟ ନିକଟରେ ଜାଗା ନ ଥିବାରୁ ବିଦ୍ୟାଳୟର ନୂତନ ଗୃହ ନିର୍ମାଣ ହୋଇପାରିନାହିଁ। ଖୁବ୍‌ଶୀଘ୍ର ରାଜ୍ୟ ସରକାର ନୂତନ ଗୃହର ବ୍ୟବସ୍ଥା କରୁଥିବା ପ୍ରକାଶ କରିଛନ୍ତି।