୪୦ ଅଧ୍ୟାପକ ପଦବୀ ଖାଲି

ଢେଙ୍କାନାଳ ଅଫିସ, ୩୧।୧୨ ଢେଙ୍କାନାଳ ସ୍ବୟଂଶାସିତ ମହାବିଦ୍ୟାଳୟରେ ଅଧ୍ୟାପକ ମରୁଡ଼ି ଦେଖାଦେଇଛି। କଲେଜରେ ୬୦ ଅଧ୍ୟାପକ ପଦବୀ ମଧ୍ୟରୁ ୪୦ ଖାଲି ପଡ଼ିଛି। ୨୦ ଅଧ୍ୟାପିକା ଅଧ୍ୟାପକଙ୍କୁ ନେଇ ବଡ଼ କଷ୍ଟରେ ଶିକ୍ଷାଦାନ ଚାଲିଛି। ସେହିପରି ଏହି ପୁରାତନ ଐତିହ୍ୟସମ୍ପନ୍ନ କଲେଜ କ୍ୟାମ୍ପସ ଦୀର୍ଘବର୍ଷ ପରେ ବି ଆଲୋକୀକରଣ ହୋଇପାରିନାହିଁ। ଛାତ୍ରୀଛାତ୍ରଙ୍କ ସୁରକ୍ଷା ଏବଂ ଭବିଷ୍ୟତ ଦୃଷ୍ଟିରୁ ଏସବୁ ସମସ୍ୟାର ଆଶୁ ସମାଧାନ କରିବାକୁ ବୁଧବାର ଅନୁଷ୍ଠିତ ମୋ’ କଲେଜ ବୈଠକରେ ଦାବି ଜଣାଇଛନ୍ତି କଲେଜ ଅଧ୍ୟକ୍ଷ ରଞ୍ଜିତ କୁମାର ପ୍ରଧାନ।
ଆୟୋଜିତ ବୈଠକରେ ପୁରାତନ ଛାତ୍ର ସଂସଦ ସଭାପତି ନବୀନଚନ୍ଦ୍ର ନାରାୟଣ ଦାସ ମୁଖ୍ୟଅତିଥି ଭାବେ ଯୋଗଦେଇ କଲେଜ ଉନ୍ନତିରେ ପୂର୍ଣ୍ଣ ସହଯୋଗ କରିବାକୁ ଆହ୍ବାନ ଦେଇଥିଲେ। ମହାବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ଡ. ଜୟନ୍ତ ବର୍ମା ମହାବିଦ୍ୟାଳୟକୁ ଶୀର୍ଷ ସ୍ଥାନରେ ପହଞ୍ଚାଇବାକୁ ସମସ୍ତଙ୍କ ସହଯୋଗ ଲୋଡ଼ିଥିଲେ। ସମ୍ପାଦକ ବିରଞ୍ଚତ୍ ନାରାୟଣ ପାଣି ପୁରୁଣା ଦିନର ସ୍ମୃତିଚାରଣ କରିଥିଲେ। ଭର୍ଚୁଆଲ୍‌ ମୋଡ୍‌ରେ ପ୍ରଫେସର ସାଧନା ଶତପଥୀ ଯୋଡ଼ିହୋଇ ଯଥାସମ୍ଭବ ସହାୟତା କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ମୋ କଲେଜ ଅଭିଯାନ ଅଧିକାରୀ ଡ. ଦେବାଶିଷ ମହାନ୍ତି କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ଶିବସାଇ ମହାପାତ୍ର, ଦୀପ୍ତୀଶ ପଟ୍ଟନାୟକ, ନିର୍ମଳ ମିଶ୍ର, ବିଶ୍ୱନାଥ ବେହେରା, ପ୍ରେମଶଙ୍କର ମିଶ୍ର, ମନୋଜ ଅଗ୍ରୱାଲ, ଦେବୀ ପ୍ରସାଦ ମିଶ୍ର, ସାଇଶ୍ରୀ ପଟ୍ଟନାୟକ, ବିଶ୍ୱନାଥ ମହାପାତ୍ର, ରଞ୍ଜନ ନାୟକ, ସୁନୀଲ ଦାଶ ପ୍ରମୁଖ ଆଲୋଚନାରେ ଭାଗନେଇ ନିଜସ୍ବ ମତ ଉପସ୍ଥାପନ କରିଥିଲେ। ପଦାର୍ଥ ବିଜ୍ଞାନ ବିଭାଗ ବରିଷ୍ଠ ଅଧ୍ୟାପକ ପ୍ରଶାନ୍ତ ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ।