ସରକାରୀ ସ୍କୁଲରେ ୩୫୮ ଶିକ୍ଷକ ପଦବୀ ଖାଲି

କେନ୍ଦୁଝର, ୧୬।୬ (ସ୍ବ.ପ୍ର.) – ରାଜ୍ୟ ସରକାର ୫ଟି ଅନ୍ତର୍ଗତ ବିଦ୍ୟାଳୟ ରୂପାନ୍ତରୀକରଣ କାର୍ଯ୍ୟକ୍ରମରେ କେନ୍ଦୁଝର ଜିଲାରେ ସରକାରୀ ଉଚ୍ଚ ବିଦ୍ୟାଳୟର ଭିତି ଭୂମିର ବିକାଶ କରି ପାଠ ପଢିବାର ଉନ୍ନତ ପରିବେଶ ସୃଷ୍ଟି କରୁଛନ୍ତି ା
କିନ୍ତୁ ଖାଲି ଥିବା ଶିକ୍ଷକ ପଦବୀ ପୂରଣ ନେଇ ତତ୍ପରତା ଦେଖାଉ ନ ଥିବାରୁ ପାଠପଢା ବ୍ୟାହତ ହେଉଛି। ଜିଲାରେ ୩୫୮ ଶିକ୍ଷକ ପଦବୀ ଖାଲି ପଡିଛି। ଗତ ଡିସେମ୍ବର ୧୬ ତାରିଖରେ କେନ୍ଦୁଝର ଜିଲାରେ ୩୪୦ ଜଣ ଶିକ୍ଷୟିତ୍ରୀଶିକ୍ଷକ ଏବଂ କ୍ରୀଡ଼ା ଶିକ୍ଷକ ନିଯୁକ୍ତି କରିଛନ୍ତି। ଆଉ କିଛି ଦିନ ପରେ ଅର୍ଥାତ ଜୁନ ୧୭ ତାରିଖରେ ନୂଆ ଶିକ୍ଷାବର୍ଷ ଆରମ୍ଭ ହେଉଥିଲେ ହେଁ ଶିକ୍ଷକ ସମସ୍ୟାକୁ ନେଇ ଛାତ୍ରୀଛାତ୍ର ତଥା ଅଭିଭାବକଙ୍କ ପାଇଁ ଚିନ୍ତା ବଢାଇଦେଇଛି। ଏଣୁ ଆଗ୍ରହ ଥିଲେ ମଧ୍ୟ ବହୁ ମେଧାବୀ ଛାତ୍ରୀଛାତ୍ର ଘରୋଇ ବିଦ୍ୟାଳୟ ମୁହଁା ହେବାକୁ ବାଧ୍ୟ ହେଉଛନ୍ତି ା
ମାନ ବୃଦ୍ଧି କରିବା ପାଇଁ ଉନ୍ନତ ପରିବେଶର ଆବଶ୍ୟକତା ରହିଛି। ଏଥିପାଇଁ ଭିତ୍ତିଭୂମୀର ବିକାଶକୁ ସମସ୍ତେ ସ୍ବାଗତ କରୁଛନ୍ତି। କିନ୍ତୁ ଶିକ୍ଷକ ପଦବୀ ପୂରଣ ନ କରି ଶିକ୍ଷାର ବିକାଶ ଚିନ୍ତା କରିବା କେତେଦୂର ଯର୍ଥାଥ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏଣୁ ସାମ୍ପ୍ରତିକ ପରିସ୍ଥିତିରେ ସରକାରୀ ସ୍କୁଲର ଶିକ୍ଷା ବ୍ୟବସ୍ଥାକୁ ନେଇ ବହୁ ପୂର୍ବତନ ଶିକ୍ଷକ ତଥା ଶିକ୍ଷାବିତ ମାନେ ଚିନ୍ତା ପ୍ରକଟ କରୁଛନ୍ତି। ଶିକ୍ଷାର ମାନ କମିବାକୁ ଲାଗିଥିବା ବେଳେ ପାଠ ପଢାଇବାକୁ ଅଭିଭାବକ ମାନେ ମୁହଁ ଫେରାଉଛନ୍ତି। ଜିଲାରେ ଥିବା ୨୦୮ ସରକାରୀ ବିଦ୍ୟାଳୟରେ ଏବେ ୩୫୮ ଶିକ୍ଷକ ଓ ଶିକ୍ଷୟିତ୍ରୀ ପଦବୀ ଖାଲି ରହିଥିବାବେଳେ ଶିକ୍ଷାର ଗୁଣାତ୍ମକ ମାନକୁ ନେଇ ସ୍ବାଭାବିକ ଭାବେ ସଂଶୟ ସୃଷ୍ଟି ହୋଇଛି। ସାଧାରଣରେ ଅଭିଯୋଗ ହୁଏ ଯେ, ସରକାରୀ ବିଦ୍ୟାଳୟ ଗୁଡ଼ିକରେ ସଂସ୍କୃତ ଶିକ୍ଷକମାନେ ବିଜ୍ଞାନ ପଢ଼ାଉଥିବାବେଳେ କ୍ରୀଡ଼ା ଶିକ୍ଷକମାନେ ଇତିହାସ, ଭୂଗୋଳ, ଗଣିତ,ହିନ୍ଦୀ ପଢ଼ାଉଛନ୍ତିି ା ଗତ ମାସ ଶେଷ ସୁଦ୍ଧା ଜିଲାରେ ଖାଲିଥିବା ୩୫୮ ଶିକ୍ଷକ/ଶିକ୍ଷୟିତ୍ରୀ ପଦବୀ ମଧ୍ୟରୁ ୪୮ ବିଜ୍ଞାନ(ପିସିଏମ) ଶିକ୍ଷକ, ୩୪ ବିଜ୍ଞାନ (ସିବିଜେଡ) ଶିକ୍ଷକ ,୨୩ କଳା ଶିକ୍ଷକ, ୩୫ ତାଲିମପ୍ରାପ୍ତ ମାଟ୍ରିକ ଏବଂ ଆଇଏ/ଆଏସସି ,୧୭ ତାଲିମପ୍ରାପ୍ତ ମାଟ୍ରିକ, ୩୪ ସଂସ୍କୃତ ଶିକ୍ଷକ, ୭୩ ହିନ୍ଦୀ ଶିକ୍ଷକ, ୪୯ ଖେଳ ଶିକ୍ଷକ ପଦବୀ ଖାଲି ପଡିଛି। ଜିଲାରେ ୬୨ ହାଇସ୍କୁଲରେ ପ୍ରଧାନଶିକ୍ଷକ ନାହାନ୍ତି। ଏଣୁ ତୁରନ୍ତ ସରକାର ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଶୀଘ୍ର ଶେଷ କରିବାକୁ ଦାବି ହୋଇଛି। ଏନେଇ ଜିଲା ଶିକ୍ଷାଧିକାରୀ ପୂର୍ଣଚନ୍ଦ୍ର ସେଠୀ କହିଛନ୍ତି ଯେ ଖୁବ ଶୀଘ୍ର ଶିକ୍ଷକ ନିଯୁକ୍ତି କରାଯିବ। ଜିଲାରେ ମୋଟ ୧୭୪୮ଜଣ ମଞ୍ଜୁରୀପ୍ରାପ୍ତ ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ମଧ୍ୟରୁ ୧୩୯୦ ଜଣ ଶିକ୍ଷକ ଥିବାବେଳେ ୩୫୮ଶିକ୍ଷକ ପଦବୀ ଖାଲି ପଡିଛି। ସେହିପରି ମଞ୍ଜୁରୀପ୍ରାପ୍ତ ୨୦୨ଟି କିରାଣୀ ପଦବୀରୁ ୯୫ ଜଣ କାମ କରୁଥିବାବେଳେ ୧୦୭ ପଦବୀ ଖାଲିପଡିଛି।