ଛାତ୍ରୀଛାତ୍ର ୨୪୪, ଶିକ୍ଷକ ଅଛନ୍ତି ୫

କୋରୁକୋଣ୍ଡା ୨୨ା୮(ଡି.ଏନ୍‌.ଏ.): ରାଜ୍ୟ ସରକାର ଶିକ୍ଷାର ଉନ୍ନତି ପାଇଁ ବହୁ ପଦକ୍ଷେପ ନେଉଛନ୍ତି। ୫-ଟି ଅଧୀନରେ ବିଦ୍ୟାଳୟଗୁଡିକର ଉନ୍ନତି କରୁଛନ୍ତି। ଶ୍ରେଣୀଗୃହ ସହ ଅତ୍ୟାଧୁନିକ ବିଜ୍ଞାନାଗାର ପ୍ରତିଷ୍ଠ କରି ଛାତ୍ରୀଛାତ୍ରଙ୍କୁ ଅଧ୍ୟୟନ ପ୍ରତି ଆକୃଷ୍ଟ କରୁଛନ୍ତି। ଉପସ୍ଥାନ ବୃଦ୍ଧି ଲାଗି ମଧ୍ୟାହ୍ନଭୋଜନ ବ୍ୟବସ୍ଥା କରିଛନ୍ତି। ମାତ୍ର ଶିକ୍ଷକ ଅଭାବ ଦୂର ପ୍ରତି ସରକାର ଦୃଷ୍ଟି ଦେଉନାହାନ୍ତି। ଏପରି ଏକ ବିଦ୍ୟାଳୟ ହେଲା ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ସଦର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ। ଏହି ବିଦ୍ୟାଳୟ ୧୯୨୦ରୁ ଆରମ୍ଭ ହୋଇ ପ୍ରଥମରୁ ପଞ୍ଚମ ପର୍ଯ୍ୟନ୍ତ ଚାଲିଥିଲା। ପରେ ଷଷ୍ଠ, ସପ୍ତମ ଓ ଅଷ୍ଟମ ଶ୍ରେଣୀ ଖୋଲିଥିଲା। ୨୦୦୯ରେ ସରକାର ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଗୋଟିଏ ସ୍କୁଲରେ ପଢିବାକୁ ନିଷ୍ପତ୍ତି ନେବା ପରେ ସମସ୍ତ ୮ଟି ଶ୍ରେଣୀର ଛାତ୍ରୀଛାତ୍ର ଗୋଟିଏ ସ୍କୁଲ ପରିସରରେ ଅଧ୍ୟନ କଲେ। ଏବେ ଏହି ଉଚ୍ଚ ବିଦ୍ୟାଳୟରେ ୨୪୪ ଛାତ୍ରୀଛାତ୍ର ପଢୁଥିବାବେଳେ ମାତ୍ର ୫ ଜଣ ଶିକ୍ଷୟିତ୍ରୀ ଶିକ୍ଷକ ଶିକ୍ଷାଦାନ କରୁଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ଶିକ୍ଷକ ଅସ୍ଥାୟୀ ରୂପେ ଅଛନ୍ତି। ତାଙ୍କୁ ଭୋଟର ତାଲିକା ସଂଶୋଧନ, ଜନଗଣନା, ଆଧର ସହିତ ଭୋଟର କାର୍ଡ ସଂଯୋଗ ବହୁ କାର୍ଯ୍ୟରେ ନିୟୋଜିତ ରହିବାକୁ ପଡୁଛି। ଆଉ ୪ଜଣ ଶିକ୍ଷୟିତ୍ରୀ ଶିକ୍ଷକ ଛାତ୍ରୀଛାତ୍ରଙ୍କୁ ପଢାଇବା କଷ୍ଟକର ହୋଇପଡୁଛି। କୋରୁକୋଣ୍ଡା ବ୍ଲକ ଶିକ୍ଷାଧିକାରୀ ଦାୟିତ୍ୱରେ ଥିବା ଚିତ୍ତରଞ୍ଜନ ପାଣ୍ଡେଙ୍କୁ ପଚାରିବାରୁ ସେ କହିଲେ, ସରକାରଙ୍କ ନିୟମ ଅନୁସାରେ ୩୫ ଛାତ୍ରୀଛାତ୍ରଙ୍କୁ ଜଣେ ଶିକ୍ଷକ ରହିବା କଥା। ମାତ୍ର ଶିକ୍ଷକ ଅଭାବରୁ ଏପରି ପରିସ୍ଥିତି ସୃଷ୍ଟି ହେଉଛି। ପ୍ରତ୍ୟେକ ମାସରେ ୨ରୁ ଊର୍ଦ୍ଧ୍ୱ ଶିକ୍ଷୟିତ୍ରୀ ଶିକ୍ଷକ ଅବସର ନେଉଛନ୍ତି। ସେହି ଅନୁସାରେ ନୂତନ ଶିକ୍ଷକ ନିଯୁକ୍ତି ହେଉନାହାନ୍ତି। ଆଗାମୀ ଦିନରେ ଏହାର ପ୍ରତିକାର କରିବାକୁ ଚେଷ୍ଟା କରିବୁ ବୋଲି ସେ କହିଥିଲେ।