ପ୍ରାଥମିକ ବିଦ୍ୟାଳୟରେ ୨୧୫ ଶିକ୍ଷକ ପଦ ଖାଲି

ନନ୍ଦପୁର,୨୦ା୩ (ଡିଏନଏ): ନନ୍ଦପୁର ବ୍ଲକ ସମେତ ପଟାଙ୍ଗି ନିର୍ବାଚନ ମଣ୍ଡଳୀରେ ଥିବା ୪ବ୍ଲକ ନନ୍ଦପୁର ପଟ୍ଟାଙ୍ଗି, ସେମିଳିଗୁଡା ଓ କୋରାପୁଟ ବ୍ଲକଗୁଡିକରେ ଥିବା ସ୍କୁଲ ଓ ଗଣଶିକ୍ଷା ବିଭାଗର ୪୭୧ ପ୍ରାଥମିକ ବିଦ୍ୟାଳୟରେ ୨୧୫ ଶିକ୍ଷକ ପଦବୀ ଖାଲି ପଡିଛି। ଜିଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ନନ୍ଦପୁର ବ୍ଲକରେ ୧୭୧ଟି ପ୍ରାଥମିକ ବିଦ୍ୟାଳୟ, ୨୧ଟି ଉଚ୍ଚ ବିଦ୍ୟାଳୟ ଓ ଗୋଟିଏ ଓଏଭି ବିଦ୍ୟାଳୟ ରହିଛି। ଏଥିପାଇଁ ୪୯୮ ଶିକ୍ଷୟିତ୍ରୀ ଶିକ୍ଷକ ଅଛନ୍ତି। କେବଳ ପ୍ରାଥମିକ ବିଦ୍ୟାଳୟ ପାଇଁ ୧୩ଜଣ ଶିକ୍ଷକଙ୍କ ଅଭାବ ଥିବା ବେଳେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ନୂତନ ଉନ୍ନୀତ ଉଚ୍ଚ ବିଦ୍ୟାଳୟଗୁଡ଼ିକରେ ପ୍ରତ୍ୟେକ ବିଷୟ ପାଇଁ ଶିକ୍ଷକ ନ ଥିବା ବ୍ଲକ ଶିକ୍ଷାଧିକାରୀ ଦଇତାରୀ ଦାସ ସୂଚନା ଦେଇଛନ୍ତି। ସେମିଳିଗୁଡା ବ୍ଲକର ୧୧୬ଟି ପ୍ରାଥମିକ ବିଦ୍ୟାଳୟ ପାଇଁ ୩୮୭ଶିକ୍ଷକଙ୍କ ଆବଶ୍ୟକତା ଥିବା ବେଳେ ୩୫୦ଜଣ ଶିକ୍ଷୟିତ୍ରୀ ଶିକ୍ଷକ ଅଛନ୍ତି ା ୩୭ ଶିକ୍ଷକଙ୍କ ଅଭାବ ରହିଛି। ପଟାଙ୍ଗି ବ୍ଲକର ୧୬୪ଟି ପ୍ରାଥମିକ ବିଦ୍ୟାଳୟ ପାଇଁ ୫୭୧ ଶିକ୍ଷକ ଆବଶ୍ୟକ ଥିବା ବେଳେ ୪୨୦ ଶିକ୍ଷୟିତ୍ରୀ ଶିକ୍ଷକ ଥିବା ବେଳେ ୧୫୧ ଜଣ ଶିକ୍ଷକ ପଦବୀ ଖାଲିପଡିଛି। ସେହିଭଳି କୋରାପୁଟ ବ୍ଲକର (ଆଂଶିକ) ୨୦ଟି ପ୍ରାଥମିକ ବିଦ୍ୟାଳୟ ପଟାଙ୍ଗି ନିର୍ବାଚନ ମଣ୍ଡଳୀରେ ରହିଛି। ଏହି ବିଦ୍ୟାଳୟଗୁଡିକ ଲାଗି ୯୭ ଶିକ୍ଷୟିତ୍ରୀ ଶିକ୍ଷକ ଆବଶ୍ୟକ ଥିବା ବେଳେ ୮୩ଜଣ ଶିକ୍ଷୟତ୍ରୀ ଶିକ୍ଷକ ଅଛନ୍ତି। ୧୪ ଜଣ ଶିକ୍ଷକଙ୍କ ଅଭାବ ରହିଥିବା ଜିଲା ଶିକ୍ଷାଧିକାରୀ ଦାସ ସୂଚନା ଦେଇଛନ୍ତି।