ପାକିସ୍ତାନରେ ୧୨ ବିଦେଶୀ ଆତଙ୍କବାଦୀ ସଙ୍ଗଠନ

ଓ୍ବାଶିଂଟନ, ୨୯।୯: ପାକିସ୍ତାନ ଅନୂ୍ୟନ ୧୨ଟି ବିଦେଶୀ ଆତଙ୍କବାଦୀ ସଂଗଠନକୁ ଆଶ୍ରୟ ଦେଇଥିବା ଆମେରିକା କଂଗ୍ରେସ ପକ୍ଷରୁ ପ୍ରକାଶିତ ରିପୋର୍ଟରେ କୁହାଯାଇଛି। ସେଥିରୁ ଲଶ୍କର-ଇ-ତୋଇବା, ଜୈଶ-ଇ-ମହମ୍ମଦ (ଜେଇଏମ୍‌) ଭଳି ୫ଟି ସଂଗଠନର ଟାର୍ଗେଟରେ ଭାରତ ରହିଛି। ପାକିସ୍ତାନ ଆତଙ୍କବାଦୀ କାର୍ଯ୍ୟକଳାପର ପେଣ୍ଠସ୍ଥଳ। ଆତଙ୍କବାଦ ଟାର୍ଗେଟକୁ ନେଇ ଉକ୍ତ ସଂଗଠନଗୁଡ଼ିକୁ ୫ ଭାଗରେ ବିଭକ୍ତ କରାଯାଇଛି। କେତେକ ଗୋଷ୍ଠୀ ପୂରା ବିଶ୍ୱକୁ ଟାର୍ଗେଟ କରୁଥିବାବେଳେ ଅନ୍ୟ କେତେକ ଆଫଗାନିସ୍ତାନ, ଭାରତ ତଥା କଶ୍ମୀର, ଦେଶ ଭିତରେ ଏବଂ ସିଆ ମୁସଲମାନଙ୍କୁ ଟାର୍ଗେଟ କରିଥାନ୍ତି ବୋଲି କଂଗ୍ରେସନାଲ ରିସର୍ଚ୍ଚ ସର୍ଭିସ (ସିଆର୍‌ଏସ୍‌) ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଗତ ସପ୍ତାହରେ ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ଦ୍ୱାରା କ୍ୱାଡ୍‌ ସମିଟି ଆୟୋଜନ ଅବସରରେ ଏହି ରିପୋର୍ଟ ପ୍ରକାଶ ପାଇଥିଲା।
୮୦ ଦଶକରେ ପାକିସ୍ତାନରେ ସୃଷ୍ଟ ଲଶ୍କର ସଂଗଠନ୨୦୦୧ରେ ବିଦେଶୀ ଆତଙ୍କବାଦୀ ସଂଗଠନ (ଏଫ୍‌ଟିଓ) ଭାବେ ପରିଚିତ ହୋଇଥିଲା। ୨୦୦୮ ମୁମ୍ବାଇ ଆକ୍ରମଣ ସହ ଅନେକ ବଡ଼ ଆକ୍ରମଣ ସହ ଏହି ସଂଗଠନ ଜଡ଼ିତ। ୨୦୦୦ରେ କଶ୍ମୀରୀ ଆତଙ୍କବାଦୀ ନେତା ମାସୁଦ୍‌ ଆଝାରଙ୍କ ଦ୍ୱାରା ଜୈଶ-ଇ-ମହମ୍ମଦ ଗଠିତ ହୋଇଥିଲା ଏବଂ ୨୦୦୧ରେ ଏହା ଏଫ୍‌ଟିଓର ମାନ୍ୟତା ପାଇଥିଲା। ୨୦୦୧ରେ ଭାରତର ପାର୍ଲାମେଣ୍ଟ ଭବନ ସହ ବିଭିନ୍ନ ଆକ୍ରମଣରେ ଏହି ସଂଗଠନ ସମ୍ପୃକ୍ତ। ସୋଭିଏଟ୍‌ ସୈନ୍ୟବାହିନୀ ସହ ଲଢ଼ିବା ପାଇଁ ୧୯୮୦ରେ ଆଫଗାନିସ୍ତାନରେ ଗଠିତ ହୋଇଥିବା ହରକତ୍‌-ଉଲ୍‌ ଜିହାଦ ଇସ୍‌ଲାମୀ (ହୁଜି) ୨୦୧୦ରେ ଏଫ୍‌ଟିଓ ଭାବେ ଗଣାହୋଇଥିଲା। ୧୯୮୯ରୁ ଏହା ଭାରତ ବିରୋଧୀ କାର୍ଯ୍ୟକଳାପ ଚଳାଇବା ସହ ଆଫଗାନ ତାଲିବାନକୁ ଆତଙ୍କବାଦୀ ଯୋଗାଇଥାଏ। ସେହିପରି ୧୯୮୯ରେ ସୃଷ୍ଟି ହୋଇଥିବା ହିଜ୍‌ବୁଲ ମୁଜାହିଦ୍ଦିନ ୨୦୧୭ରେ ଏଫ୍‌ଟିଓ ପରିଚୟ ହାସଲ କରିଥିଲା। ଜମ୍ମୁ-କଶ୍ମୀରରେ ସକ୍ରିୟ ଥିବା ଆତଙ୍କବାଦୀ ଗ୍ରୁପ୍‌ ମଧ୍ୟରୁ ଏହା ସବୁଠୁ ପୁରୁଣା ଓ ବୃହତ୍ତମ ସଂଗଠନ ବୋଲି ସିଆର୍‌ଏସ୍‌ ରିପୋର୍ଟରେ କୁହାଯାଇଛି।

Share