Categories: ଜାତୀୟ

ସୋନ୍‌ ନଦୀର ସୁନା ଭଳି ଚକମକ କରୁଥିବା ବାଲି ଚୋରି, ଡ୍ରୋନ୍‌ ଦ୍ୱାରା ଭିଡ଼ିଓ ଶୁଟିଂ…

ଆରା, ୮।୨ : ବିହାରର ଆରା ଠାରେ ପୁଷ୍ପା ଚଳଚ୍ଚିତ୍ର ଭଳି ଏକ ନୂଆ କାହାଣୀ ଦେଖିବାକୁ ମିଳୁଛି । ଏଠାରେ ଲାଲ ଚନ୍ଦନ କାଠ ନୁହେଁ, ସୁନା ଭଳି ଚକମକ କରୁଥିବା ବାଲିର ଚୋରା ଚାଲାଣ ହେଉଛି। ସୋନ୍‌ ନଦୀରେ ସୁନା ଭଳି ଚମକୁ ଥିବା ବାଲିର ବେଆଇନ ଖନନ ବନ୍ଦ ହେବାର ନା ନେଉନି। ଫାଇଦା ନେଉଥିବା ଅଧିକାରୀମାନଙ୍କର ଚାକିରି ଯିବାର ଆଶଙ୍କା ସୃଷ୍ଟି ହୋଇଛି। କିନ୍ତୁ ବାଲି ମାଫିଆ ଥମିବାର ନା ଧରୁ ନାହାନ୍ତି। ଏହି କ୍ରମରେ, ବିହାରର ଆରାର ସୁନା ବାଲି ଚୋରି ହେଉଥିବାରୁ ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି। ଡ୍ରୋନ୍‌ ଦ୍ୱାରା ଏହି ଭିଡ଼ିଓ ଶୁଟିଂ କରାଯାଇଛି। ଭିଡ଼ିଓରେ ଲୋକମାନେ ବେଆଇନ ଭାବେ ବାଲି ଖନନ କରି ଶହ ଶହ ଡଙ୍ଗା ଓ ଟ୍ରକରେ ଚୋରା ଚାଲାଣ କରୁଥିବାର ଦେଖାଯାଉଛି।

ଏହି ଭିଡ଼ିଓଟି ଭୋଜପୁର ଜିଲ୍ଲାର କମାଲଚୁକ ରାଜପୁର ଦିୟାରାର ବୋଲି କୁହାଯାଉଛି। ଡ୍ରୋନ କ୍ୟାମେରା ଦ୍ୱାରା ଏହାର ଶୁଟିଂ ହୋଇଛି। ଭିଡ଼ିଓରେ ସୋନ ନଦୀରେ ଶହ ଶହ ଟ୍ରକ ବାଲି ବୋହି ନେଉଥିବାରୁ ଦେଖିବାକୁ ମିଳୁଛି। ଏହି ଭିଡିଓରେ ଅନେକ ଲୋକ ନଜର ଆସିଛନ୍ତି, ଯେଉଁମାନେ ବେଆଇନ ବାଲି ବ୍ୟବସାୟରେ ଜଡିତ ଅଛନ୍ତି। ପୋଲିସକୁ ଭୟ ନକରି ସେମାନେ ଦିନରାତି ଏହି ବ୍ୟବସାୟରେ ନିୟୋଜିତ ଅଛନ୍ତି। ସୁନା ବାଲି ଚୋରା ଚାଲାଣକାରୀମାନେ ସ୍ଥାନୀୟ ଲୋକଙ୍କୁ ମାଡ ମାରିବା ସହ ସେମାନଙ୍କର ଝିଅ ବୋହୂଙ୍କ ପ୍ରତି ଅସଦାଚରଣ କରିବା ଅଭିଯୋଗ ହେଉଛି। ଏହାଯୋଗୁ ସ୍ଥାନୀୟ ଲୋକେ ଭୟଭୀତ ଅବସ୍ଥାରେ ଜୀବନ ବିତାଉଥିବା କୁହାଯାଉଛି।

ସୁନା ବାଲିର ଚୋରା ବ୍ୟବସାୟରେ ବହୁ ବଡ ବଡିଆଙ୍କ ହାତ ରହିଥିବା କୁହାଯାଉଛି। ଏହା ଦ୍ୱାରା ବିହାର ସରକାର ପ୍ରତିମାସରେ ପ୍ରାୟ ୩୫୦ କୋଟି ଟଙ୍କାର ରାଜସ୍ବ ହରାଉଛନ୍ତି। ବାଲି ମାଫିଆ ନଦୀ ନିକଟବର୍ତ୍ତୀ ଜମି ଖନନ କରି ବାଲି ବାହାର କରିବା କାର୍ଯ୍ୟ କରୁଛନ୍ତି। ପ୍ରତିଦିନ କୋଟି କୋଟି ଟଙ୍କାର ବାଲିକୁ ଶହ ଶହ ଟ୍ରାକ୍ଟର ଏବଂ ଟ୍ରକ ଦ୍ୱାରା ଚୋରି କରାଯାଉଛି। ବାଲି ମାଫିଆକୁ ରୋକିବା ଆଉ ପୋଲିସର କ୍ଷମତାରେ ନାହିଁ। ସୁନା ବାଲି ଚୋରି କରିବା ଖେଳରେ ଏପର୍ଯ୍ୟନ୍ତ ବହୁ ଲୋକଙ୍କୁ ହତ୍ୟା କରାଯାଇଥିବା ଚର୍ଚ୍ଚା ହେଉଛି। କିନ୍ତୁ ବାଲି ମାଫିଆ ବନ୍ଦ ହୋଇନି।

ଡ୍ରୋନରୁ ନିଆଯାଇଥିବା ଭିଡ଼ିଓରେ, ଶହ ଶହ ଟ୍ରାକ୍ଟର ଏବଂ ଟ୍ରକରେ କିପରି ବାଲି ଲୋଡ ହେଉଛି ତାହା ଦେଖିବାକୁ ମିଳୁଛି। ସୋନ ନଦୀ କୂଳରେ ବେଆଇନ ବାଲି ଖନନ ପାଇଁ ୫୦୦୦ରୁ ଅଧିକ ଟ୍ରାକ୍ଟର ଏବଂ ଟ୍ରକ ଲଗାଯାଇଥିବା କୁହାଯାଉଛି।

ଏହି  ପ୍ରସଙ୍ଗରେ ଭୋଜପୁର ପୋଲିସ ଅଧୀକ୍ଷକ ବିନୟ ତିୱାରୀ କହିଛନ୍ତି ଯେ ବେଆଇନ ବାଲି ଖନନକୁ ନେଇ ଜିଲାରେ ଏକ ସ୍ବତନ୍ତ୍ର ପୋଲିସ ଟିମ୍‌ ଗଠନ କରାଯାଇଛି। କ୍ରମାଗତ ଭାବରେ ଚଢ଼ାଉ କରାଯାଇ ବାଲି ମାଫିଆଙ୍କୁ ଗିରଫ କରି ଜେଲକୁ ପଠାଇବା କାର୍ଯ୍ୟ କରାଯାଉଛି। ଏଥି ସହିତ ବେଆଇନ ଭାବେ ବାଲି ବୋଝେଇ ଟ୍ରକ ଏବଂ ଟ୍ରାକ୍ଟର ଜବତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି, ଯେଉଁମାନେ ଏହି ବ୍ୟବସାୟରେ ଜଡିତ ଅଛନ୍ତି ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ କରାଯାଉଛି ବୋଲି ସେ କହିଛନ୍ତି।

Share