ଅଗଷ୍ଟ ୧୫ରେ ଲାଗିଥିଲା ୨୧ଲକ୍ଷ ଟଙ୍କାର ଲାଇଟ୍‌: ନେଇଗଲେ ଦୁର୍ବୃତ୍ତ

ବିନିକା,୧୮ା୯(ଡି.ଏନ.ଏ.): ସୁବର୍ଣ୍ଣପୁର ଜିଲା ବିନିକା ସହରାଞ୍ଚଳର ବିନିକା -ଲକ୍ଷ୍ମଣପୁର ମହାନଦୀ ବ୍ରିଜରେ ଲାଗିଥିବା ରୋପ (ଲିଚୁ) ଲାଇଟକୁ କେତେକ ଦୁର୍ବୃତ୍ତ ଚୋରି କରି ନେଇଛନ୍ତି।

ମିଳିଥିବା ସୂଚନା ମୁତାବକ, ୨୧ ଲକ୍ଷ ଟଙ୍କା ବ୍ୟୟରେ ଏଲଇଡି ରୋପ ଲାଇଟ ଗତ ସ୍ବାଧୀନତା ଦିବସରେ ଲାଗିଥିଲା। ବିନିକା ନଗରପାଳ ସୁବାସ ଚନ୍ଦ୍ର ଭୁଏ ଓ ସ୍ଥାନୀୟ ବିଧାୟକ ପଦ୍ମନାଭ ବେହେରାଙ୍କ ଦ୍ୱାରା ଏହାର ଉଦ୍‌ଘାଟନ କରାଯାଇଥିଲା l ଉକ୍ତ ଲାଇଟ ମହାନଦୀ ବ୍ରିଜର ସୋନ୍ଦର୍ଯ୍ୟ ବୃଦ୍ଧି କରିବା ସହ ଲୋକେ ଯିବା ଆସିବାରେ ସୁବିଧା ହେଉଥିଲା l ଦୃର୍ବୃତ୍ତମାନେ ଏହାକୁ ଚୋରି କରି ନେବା ଫଳରେ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏନେଇ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀକୁମାର ରଥ ବିନିକା ଥାନାରେ ଏତଲା ଦେଇଛନ୍ତି l ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।