ଗୋଟିଏ ରାତିରେ ବିଦ୍ୟାଳୟ ସମେତ ୫ ଦୋକାନରୁ ଚୋରି

ସିମୁଳିଆ,୧୧ା୯(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ସିମୁଳିଆ ଥାନା ଅଧୀନ ମଇତାପୁର ପଞ୍ଚାୟତର ଝାଟିଆ ନୋଡାଲ ବିଦ୍ୟାଳୟର ଅଫିସ ତାଲା ଭାଙ୍ଗି ବିଭିନ୍ନ ରେକର୍ଡପତ୍ର ସମେତ ୧୫ଶହ ଟଙ୍କା ଚୋରି ହୋଇଛି। ଏହା ବ୍ୟତୀତ ଦୁର୍ବୃତ୍ତମାନେ ବିଭିନ୍ନ ଶ୍ରେଣୀ ଗୃହ, ରୋଷେଇ ଘର ଓ ଚାଉଳ ରଖାଯାଇଥିବା ଗୃହର ତାଲା ଭାଙ୍ଗିଥିବାର ଜଣାଯାଇଛି। ଏ ସମ୍ପର୍କରେ ପ୍ରଧାନଶିକ୍ଷକ ମଗୁ ସିଂ ରବିବାର ଥାନାରେ ଅଭିଯୋଗ କରିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲା। ଏହି ବିଦ୍ୟାଳୟ ପାର୍ଶ୍ୱରେ ଥିବା ପଦ୍ମାବତୀ ମହାପାତ୍ର ଓ ଅନନ୍ତ ପ୍ରସାଦ ଜେନାଙ୍କ ଦୋକାନ ଗୃହର ତାଲା ଭାଙ୍ଗି ବିଭିନ୍ନ ସାମଗ୍ରୀ ସମେତ ନଗଦ ଅର୍ଥରାଶି ଚୋରି ହୋଇଛି। ସେହିପରି ମାର୍କୋଣା ପଞ୍ଚାୟତ ଗାଁ ମାର୍କୋଣା ଅଞ୍ଚଳର କାଳିନ୍ଦୀଚରଣ ନାୟକ, ଶ୍ୟାମସୁନ୍ଦର ଜେନା ଓ ପଙ୍ଗଜ ନାୟକଙ୍କ ଦୋକାନ ଗୃହର ତାଲା ଭାଙ୍ଗି ଚୋରି ହେବା ସମ୍ପର୍କରେ ଅଭିଯୋଗ ହୋଇଛି। ଗୋଟାଏ ରାତିରେ ବିଦ୍ୟାଳୟ ସମେତ ୫ଟି ଦୋକାନରୁ ଚୋରି ହେବା ଘଟଣା ସାଧାରଣରେ ଛନକା ସୃଷ୍ଟି କରିଛି।