ଦାରିଙ୍ଗବାଡି, ୧୯।୧୧ (ଅରୁଣ ସାହୁ): ଓଡିଶାର ସୁନାମଧନ୍ୟ କଣ୍ଠ ଶିଳ୍ପୀ ହ୍ୟୁମାନ ସାଗରଙ୍କ ବିୟୋଗରେ ସାରା ରାଜ୍ୟ ଭାଙ୍ଗିପଡ଼ିଥିବାବେଳେ ଦାରିଙ୍ଗବାଡି ଅଞ୍ଚଳରେ ମଧ୍ୟ ଯୁବପିଢ଼ି ତାଙ୍କୁ ବହୁତ ମନେ ପକାଉଛନ୍ତି। ଏହି ଅବସରରେ ଦାରିଙ୍ଗବାଡି ସୁବିଧାକେନ୍ଦ୍ରଠାରେ ଅଞ୍ଚଳର ଲୋକମାନେ ଯୁବପିଢ଼ି ଏକାଠି ହୋଇ ତାଙ୍କ ସ୍ମୃତି ଚାରଣ କରିବା ସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରି କ୍ୟାଣ୍ଡେଲ ଶୋଭାଯାତ୍ରାରେ ବାହାରିଥିଲେ। ତାଙ୍କ ସଙ୍ଗୀତର ତାଳେ ତାଳେ ଶୋଭାଯାତ୍ରା ଦାରିଙ୍ଗବାଡିର ଚାଟିଛକ, ତିନିଛକ, ଶିବମନ୍ଦିର ଛକ ଆଦି ପରିକ୍ରମା କରିଥିଲେ। ତାଙ୍କ କଣ୍ଠଦାନ ସଙ୍ଗୀତକୁ ନେଇ ଯୁବପିଢ଼ି ପ୍ରଭାବିତ ରହିଥିବାବେଳେ ଏବେ ତାଙ୍କୁ ହରାଇ ସମସ୍ତେ ଦୁଃଖରେ ମ୍ରିୟମାଣ ହେବା ସହ ଏଭଳି କଣ୍ଠଶିଳ୍ପୀ ଓଡିଶା ଆଉ ପାଇବ କି ନାହିଁ ସେନେଇ ସମସ୍ତେ ଚିନ୍ତିତ ବୋଲି କହିଥିଲେ। ଏହି ଶୋଭାଯାତ୍ରାରେ କାଳୀ ପ୍ରସାଦ ମଲିକଙ୍କ ସମେତ ଧର୍ମେନ୍ଦ୍ର ପ୍ରଧାନ,ଅକ୍ଷୟ ପରିଚ୍ଛା, ଜୁଲିଆନ ପ୍ରଧାନ, ନିରଞ୍ଜନ ନାୟକ, ଉପେନ୍ଦ୍ର ପ୍ରଧାନ ଜିତୁ ନାୟକ, ବିନୋଦ କୁମାର ନାୟକ, ଧୂର୍ବ ନାୟକଙ୍କ ସମେତ ବହୁ କଳାପ୍ରିୟ, ବୁଦ୍ଧିଜୀବୀ ଓ ସ୍ବର୍ଗତ ହ୍ୟୁମାନ ସାଗରଙ୍କ ପ୍ରଶଂସକମାନେ ଯୋଗଦେଇଥିଲେ।
Dharitri – Odisha’s No.1 Odia Daily

