Categories: କୋରାପୁଟ

ଚାନ୍ଦା କରି ଷ୍ଟ୍ରିଟ୍‌ ଲାଇଟ ଲଗାଇଲେ ଯୁବଗୋଷ୍ଠୀ

ପଟ୍ଟାଙ୍ଗୀ,୬।୩(ଡି.ଏନ.ଏ.) କୋରାପୁଟ ଜିଲା ପଟ୍ଟାଙ୍ଗୀ ବ୍ଲକ ସଦର ମହକୁମାରେ ଷ୍ଟ୍ରିଟ୍‌ ଲାଇଟ ସୁବିଧା ଲାଗି ସ୍ଥାନୀୟ ଅଞ୍ଚଳବାସୀ ଏନେଇ ବାରମ୍ବାର ରାଜନେତା ଓ ପ୍ରଶାସନିକ ଅଧିକାରୀଙ୍କୁ ଜଣାଇ ଆସୁଥିଲେ। ମାତ୍ର ଏଥିରୁ କିଛି ସୁଫଳ ନ ମିଳିବାରୁ ଏବେ ଅଞ୍ଚଳର ଯୁବଗୋଷ୍ଠୀ ସମସ୍ୟା ସମାଧାନ କରିଛନ୍ତି। ସେମାନେ ଏକାଠି ହୋଇ ଚାନ୍ଦା ଆଦାୟ କରି ଷ୍ଟ୍ରିଟ୍‌ ଲାଇଟ ଲଗାଇଛନ୍ତି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ନିଜ ଅଞ୍ଚଳର ସମସ୍ୟା ସମାଧାନ ଦିଗରେ ଯୁବକମାନଙ୍କ ସମ୍ମିଳିତ ପ୍ରୟାସକୁ ସମସ୍ତେ ପ୍ରଶଂସା କରିଛନ୍ତି।
ଖବରରୁ ଜଣାପଡ଼ିଛି ପଟ୍ଟାଙ୍ଗୀ ବ୍ଲକ ଏକ ଆନ୍ଧ୍ର ସୀମାନ୍ତ ଅଞ୍ଚଳ ରୂପେ ପରିଚିତ। ଏହି ବ୍ଲକ ଦେଇ ଛତିଶଗଡ଼ ଏବଂ ଆନ୍ଧ୍ରକୁ ସଂଯୋଗ କରୁଥିବା ଜାତୀୟ ରାଜପଥ ଏକ ଗୁରୁତ୍ୱପୂର୍ଣ୍ଣ ରାସ୍ତା। ମାତ୍ର ଷ୍ଟ୍ରିଟ୍‌ ଲାଇଟ ନ ଥିବାରୁ ଏହି ରାସ୍ତା ସନ୍ଧ୍ୟା ପରେ ଅନ୍ଧାର ତଥା ନିଛାଟିଆ ହୋଇଯାଏ। ଫଳରେ ଯାତାୟାତ କରୁଥିବା ଲୋକେ ନିଜକୁ ସୁରକ୍ଷିତ ମନେକରି ନ ଥାନ୍ତି। ଏପରି ଅବ୍ୟବସ୍ଥା ନେଇ ଲୋକେ ସ୍ଥାନୀୟ ପ୍ରଶାସନ ଏବଂ ନିର୍ବାଚିତ ରାଜନେତାଙ୍କୁ ଜଣାଇଥିଲେ ମଧ୍ୟ ସମସ୍ୟା ସମାଧାନ ନିମନ୍ତେ କେହି ଆଗ୍ରହ ପ୍ରକାଶ କରି ନ ଥିଲେ। ଫଳରେ କେତେଜଣ ଯୁବଗୋଷ୍ଠୀ ଏବଂ ବ୍ୟବସାୟୀ ଏଥିପାଇଁ ଅଣ୍ଟା ଭିଡ଼ିଲେ। ସେମାନେ ନିଜ ଭିତରେ ୨୦୦ ଲେଖାଏ ଟଙ୍କା ଚାନ୍ଦା ଆଦାୟକରି ୩ଟି ଷ୍ଟ୍ରିଟ୍‌ ଲାଇଟ କିଣି ଛତିଶଗଡ଼-ଆନ୍ଧ୍ର ଜାତୀୟ ରାଜପଥ, ପଟ୍ଟାଙ୍ଗୀ ବସ୍‌ଷ୍ଟାଣ୍ଡର କେତେକ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଲଗାଇଥିଲେ। ଆଗାମୀ ଦିନରେ ମଧ୍ୟ ଏପରି ଚାନ୍ଦା କରି ବ୍ଲକର ବିଭିନ୍ନ ସ୍ଥାନରେ ଷ୍ଟ୍ରିଟ୍‌ ଲାଇଟ ଲଗାଇବେ ବୋଲି ସମ୍ପୃକ୍ତ ଯୁବଗୋଷ୍ଠୀ ପ୍ରକାଶ କରିଛନ୍ତି । ସୂଚନାଯୋଗ୍ୟ, ବର୍ତ୍ତମାନ ବ୍ଲକ ପ୍ରଶାସନ ବ୍ଲକର କେତେକ ସାହିରେ ସୋଲାର ଷ୍ଟ୍ରିଟ୍‌ ଲାଇଟ ଲଗାଇବା ଆରମ୍ଭ କରିଛି। ଏହାକୁ ଅନେକ ସାହିବାସିନ୍ଦା ନାପସନ୍ଦ କରି ମିଞ୍ଜି ମିଞ୍ଜି ଲାଇଟ ଲଗାଇ ବ୍ଲକ ପ୍ରଶାସନ ନିଜ ମୁଣ୍ଡରୁ ଦାୟିତ୍ୱ ଖସାଇଦେବାକୁ ଉଦ୍ୟମ କରୁଛି ବୋଲି ଅଭିଯୋଗ କରିଛନ୍ତି।