Categories: ଫୁରସତ

ବିଶ୍ୱର ସର୍ବକନିଷ୍ଠ ପ୍ରୋଗ୍ରାମର

ଅହମଦାବାଦ: ବୟସ ମାତ୍ର ୬ ବର୍ଷ। କିନ୍ତୁ ଏହି ବୟସରେ ସେ କମ୍ପ୍ୟୁଟରରେ ପାଇଥନ୍‌ ପ୍ରୋଗ୍ରାମିଂ ଲାଙ୍ଗୁଏଜ୍‌ ବି ସମାଧାନ କରି ପାରୁଛନ୍ତି। ଏତେ କମ୍‌ ବୟସରେ ଏଭଳି ଏକ କାମ କରି ସେ ସମସ୍ତଙ୍କୁ ଚମତ୍କୃତ କରି ଦେଇଛନ୍ତି। ସେଥିପାଇଁ ଏବେ ସେ ଗିନିଜ୍‌ ୱାର୍ଲଡ ରେକର୍ଡର ଅଧିକାରୀ। ନିଜ ପ୍ରତିଭା ବଳରେ ସାରା ବିଶ୍ୱରେ ଏଭଳି ଏକ ପରିଚୟ ସୃଷ୍ଟି କରି ପାରିଥିବା ଏହି ବିସ୍ମୟ ବାଳକ ଜଣକ ହେଉଛନ୍ତି ଅରହାମ୍‌ ଓମ୍‌ ତାଲ୍‌ସାନିଆ।
ଅହମ୍ମଦାବାଦର ବିସ୍ମୟ ବାଳକ ହେଉଛନ୍ତି ଅରହାମ୍‌ ଓମ୍‌ ତାଲ୍‌ସାନିଆ। ଦ୍ୱିତୀୟ ଶ୍ରେଣୀରେ ପାଠ ପଢୁଥିବା ଏହି ବାଳକ ଜଣକ ମାଇକ୍ରୋସପ୍ଟ ସାର୍ଟିଫିକେସନ୍‌ ପରୀକ୍ଷା ବି ପାସ୍‌ କରିଛନ୍ତି। ଏବେ ସେ ବିଭିନ୍ନ ପ୍ରୋଗ୍ରାମିଂ କରି ସଫଳତାର ସହିତ ନିଜ ଦକ୍ଷତା ପ୍ରଦର୍ଶନ କରିଛନ୍ତି। ସେଥିପାଇଁ ତ ବିଶ୍ୱର ସର୍ବକନିଷ୍ଠ କମ୍ପ୍ୟୁଟର ପ୍ରୋଗ୍ରାମରଭାବେ ବିଶ୍ୱ ରେକର୍ଡ କରି ପାରିଛନ୍ତି। ଅରହାମ୍‌ କହନ୍ତି, ମାତ୍ର ୨ ବର୍ଷ ବୟସରୁ ସେ କମ୍ପ୍ୟୁଟରରେ ତାଙ୍କ ବାପାଙ୍କଠାରୁ କୋଡିଂ ଶିଖି ପାରିଥିଲେ। ୩ ବର୍ଷ ବୟସ ବେଳକୁ ସେ ଆଇଓଏସ୍‌ ଏବଂ ୱିଣ୍ଡୋ ଚଳାଇ ପାରୁଥିଲେ। ତା’ପରେ ସେ ଯେତେବେଳେ ଜାଣିଥିଲେ କି ତାଙ୍କ ବାପା ପାଇଥନ୍‌ରେ କାମ କରୁଛନ୍ତି ସେତେବେଳେ ସେ ସେଥିରେ ମଧ୍ୟ ଛୋଟ ଛୋଟ ଗେମ୍‌ ଆରମ୍ଭ କରିଥିଲେ। ପରେ ସେ ପାଇଥନ୍‌ରେ ବି ଠିକ୍‌ଭାବେ କାମ କରି ବିଶ୍ୱ ରେକର୍ଡର ଅଧିକାରୀ ହୋଇପାରିଛନ୍ତି। ଏତେ କମ୍‌ ବୟସରୁ ଏଭଳି ସଫଳତା ହାସଲ କରିଥିବା ଅରହାମ୍‌ ଭବିଷ୍ୟତରେ ବିଭିନ୍ନ ପ୍ରକାରର ଆପ୍‌, ଗେମ୍‌ ଏବଂ ସିଷ୍ଟମ୍‌ କୋଡିଂ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି। ଛୋଟ ବେଳରୁ ତାଙ୍କର ଭିଡିଓ ଗେମ୍‌ ଖେଳିବା ପ୍ରତି ସ୍ବତନ୍ତ୍ର ଆଗ୍ରହ ଥିଲା। ଆଉ ଏହି ଆଗ୍ରହ ଫଳରେ ସେ ନୂଆ ନୂଆ ଗେମ୍‌ ନିଜେ ତିଆରି କରିବା ଆରମ୍ଭ କରି ସଫଳତା ହାସଲ କରିଥିଲେ ବୋଲି କହନ୍ତି।

Share