ଖାଉଥିବା ବେଳେ ହାଣିଦେଲେ ସାନ ଭାଇ

ବେଗୁନିଆପଡ଼ା,୧୮।୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବେଗୁନିଆପଡ଼ା ବ୍ଲକ ଜଗତି ସାହିରେ ବୁଧବାର ଏକ ହତ୍ୟାକାଣ୍ଡ ଘଟିଛି। ସାନ ଭାଇର କାତି ଚୋଟରେ ବଡ଼ ଭାଇଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଜଗତି ସାହିର କିଶୋର ପାଣିଗ୍ରାହୀ(୫୬)। ହତ୍ୟାକାଣ୍ଡର କାରଣ ଜଣାପଡ଼ି ନ ଥିବା ବେଳେ ପୋଲିସ ଘଟଣାର ତଦନ୍ତ ଚଳାଇଛି।

ମିଳିଥିବା ସୂଚନା ମୁତାବକ, ବୁଧବାର କିଶୋର ଘରେ ଖାଉଥିଲେ। ଏହି ସମୟରେ ପଡ଼ୋଶୀ ଘରେ ରହୁଥିବା କିଶୋରଙ୍କ ସାନ ଭାଇ ରାଧାଶ୍ୟାମ ଆସି ହଠାତ ଏକ କାତିରେ କିଶୋରଙ୍କ ମୁଣ୍ଡ ଉପରେ ଚୋଟ ପକାଇ ଫେରାର ହୋଇଯାଇଥିଲେ। ପରିବାର ଲୋକେ ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି କୋଦଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। କୋଦଳା ଥାନା ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।