ବୈତରଣୀ ବ୍ରିଜ୍‌ରୁ ଡେଇଁ ଯୁବତୀ ନିଖୋଜ, ପାଓ୍ବାର ବୋଟ୍‌ ଯୋଗେ ଚାଲିଛି ଖୋଜା

ଚାନ୍ଦବାଲି,୧୪।୪(ଡି.ଏନ୍‌.ଏ.): ବୈତରଣୀର ସୁଇସାଇଡ୍‌ ଜୋନ ଭାବେ ପରିଚିତ ଚାନ୍ଦବାଲି ଗେମନ ବ୍ରିଜରେ ପୁଣି ଜଣେ ଯୁବତୀ ଡେଇଁ ନିଖୋଜ ଅଛନ୍ତି । ବ୍ରିଜ ଉପରୁ ୫୦ ଫୁଟ ତଳ ନଦୀ ମଧ୍ୟକୁ ଡେଇଁଥିବାରୁ ଯୁବତୀଜଣଙ୍କ ପ୍ରଖର ସ୍ରୋତରେ ଭାସି ଯାଇଛନ୍ତି। ଏହାକୁ ଦେଖି ସ୍ଥାନୀୟ ବାସିନ୍ଦା ଅଗ୍ନିଶମ ବିଭାଗ ଓ ଚାନ୍ଦବାଲି ଥାନାକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗର ଟିମ ପହଞ୍ଚି ନଦୀରେ ପାୱାର ବୋଟ ମାଧ୍ୟମରେ ଖୋଜାଖୋଜି ଆରମ୍ଭ କରିଛନ୍ତି। ନଦୀକୁ ଡେଇଁଥିବା ଯୁବତୀ ଚାନ୍ଦବାଲି ବ୍ଲକ ଓରାସାହି ନେଢୁଆଳି ଗାଁର ଶ୍ରୀମନ ଜେନା ବୋଲି ସୂଚନା ମିଳିଛି। ସେ ତାଙ୍କ ମାମୁଁ ଘରେ ରାଜକନିକା ବୁରୁଡ଼ିଆ ଗାଁରେ ରହି ପାଠ ପଢୁଥିବା ସୂଚନା ମିଳିଛି । ତେବେ ଯୁବତୀ ଜଣକ କାହିଁକି ନଦୀକୁ ଡେଇଁଲେ ତାହା ଏ ଯାଏ ସ୍ପଷ୍ଟ ହୋଇ ପାରିନାହିଁ l