ଯୁବକଙ୍କୁ ଗୋଡ଼ାଇ ପିଟିଲେ ଯୁବତୀ

ଭୁବନେଶ୍ୱର,୧୮ା୧୧(ବ୍ୟୁରୋ): ରାଜମହଲ ଛକର ରାସ୍ତା ମଝିରେ ମଙ୍ଗଳବାର ଅପରାହ୍ନରେ ଜଣେ ଯୁବତୀଙ୍କ ଉନ୍ମତ୍ତ କାଣ୍ଡ ଦେଖିବାକୁ ମିଳିଥିଲା। ଯୁବତୀ ଜଣକ ସର୍ବସମ୍ମୁଖରେ ଜଣେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ମାଡ଼ ମାରିଥିଲେ। ଏପରି କି ପଥରରେ ଛେଚି ତାଙ୍କ ମୁଣ୍ଡ ଫଟାଇ ଦେଇଥିଲେ। ପାଖରେ ଟ୍ରାଫିକ ପୋଲିସ ଓ ହୋମଗାର୍ଡ ଉପସ୍ଥିତ ଥିଲେ ବି ଯୁବତୀଙ୍କୁ ରୋକି ପାରି ନ ଥିଲେ। ଅପରପକ୍ଷେ ସମ୍ପୃକ୍ତ ଯୁବକ ବସ୍‌ରେ ତାଙ୍କୁ ଠେଲାପେଲା କରିଥିବାରୁ ସେ ତାଙ୍କୁ ମାଡ଼ ମାରିଛନ୍ତି ବୋଲି ଯୁବତୀ ଜଣକ କହିଛନ୍ତି। ଖବରପାଇ କ୍ୟାପିଟାଲ୍‌ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ଯୁବତୀ ଜଣକ ଦୌଡ଼ି ପଳାଇଯିବାକୁ ଚେଷ୍ଟା କରିଥିଲେ। ପୋଲିସ ତାଙ୍କ ପିଛା କରି ତାଙ୍କୁ କାବୁ କରିଥିଲା। ବୁଝାବୁଝି କରିବା ପରେ ପୋଲିସ ତାଙ୍କୁ ଛାଡ଼ିଥିଲା। ଅନ୍ୟପକ୍ଷରେ ଯୁବତୀଙ୍କ ବିରୋଧରେ ସମ୍ପୃକ୍ତ ଯୁବକ ପାଲଟା ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି, ବସ୍‌ରେ ଯୁବତୀଙ୍କ ବ୍ୟବହାର ଅସ୍ବାଭାବିକ ଥିଲା। ସେ ସମସ୍ତଙ୍କୁ ଗାଳିଗୁଲଜ କରୁଥିଲେ। ଏଥିଲାଗି ତାଙ୍କୁ ବସ୍‌ରୁ ଓହ୍ଲାଇବାକୁ ମଧ୍ୟ କୁହାଯାଇଥିଲା। ହେଲେ ସେ ଅଧାରାସ୍ତାରେ ମତେ ବସ୍‌ରୁ ଠେଲି ଏଭଳି କାଣ୍ଡ ଘଟାଇଛନ୍ତି। ଖବର ଲେଖା ହେବା ପର୍ଯ୍ୟନ୍ତ ଏ ସମ୍ପର୍କରେ ଥାନାରେ କୌଣସି ଅଭିଯୋଗ ହୋଇ ନ ଥିବା ଜଣାପଡ଼ିଛି।