କେନ୍ଦୁଝରର ଯୁବ ବୈଜ୍ଞାନିକ ଇସ୍ରୋରେ ପୁରସ୍କୃତ

କେନ୍ଦୁଝର, ୩୧।୧(ସ୍ବ.ପ୍ର./ଡି.ଏନ୍‌.ଏ.): ଅନ୍ତରୀକ୍ଷ ଗବେଷଣା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ କେନ୍ଦୁଝର ଜିଲାର ଯୁବ ବୈଜ୍ଞାନିକ ଅଟଳ କୃଷ୍ଣ ଖଟୁଆ ଇସ୍ରୋ ପକ୍ଷରୁ ବିକ୍ରମ ସରାଭାଇ କ୍ୱାଲିଟି ପୁରସ୍କାର ୨୦୨୦ ପାଇଛନ୍ତି। କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ଇସ୍ରୋ ସଂସ୍ଥାର ବିକ୍ରମ ସରାଭାଇ ସ୍ପେସ ସେଣ୍ଟର ଥିରୁଭାନନ୍ତପୁରମରେ ୭ ବର୍ଷ ଧରି ବୈଜ୍ଞାନିକ ଭାବରେ କାର୍ଯ୍ୟ କରୁଛନ୍ତି। ତେବେ ଏହି ପୁରସ୍କାର କେନ୍ଦୁଝର ତଥା ରାଜ୍ୟ ପାଇଁ ଗୌରବର ବିଷୟ ବୋଲି ତାଙ୍କୁ ଶୁଭେଚ୍ଛୁମାନେ କହିଛନ୍ତି। ବାପା ଅମରବର ଖଟୁଆ, ମା’ ଅଧ୍ୟାପିକା ସରୋଜିନୀ ପୃଷ୍ଟି, ପରିବାର ସଦସ୍ୟ ପ୍ରମୁଖ ଧନ୍ୟବାଦ ଜଣାଇବା ସହ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି।