Categories: ଫୁରସତ

ମାତ୍ର ୧୬ ସେକେଣ୍ଡ ମାସ୍କ ପିନ୍ଧି ନ ଥିଲେ ଯୁବକ, ଗଣିଲେ ଲକ୍ଷାଧିକ ଟଙ୍କାର ଫାଇନ୍‌

ସମଗ୍ର ବିଶ୍ୱରେ କରୋନା ମହାମାରୀ କାୟା ବିସ୍ତାର କରିଚାଲିଥିବା ବେଳେ ପ୍ରତ୍ୟେକ ନାଗରିକ ସଚେତନ ରହୁଛନ୍ତି। ଏପରିକି କରୋନା ବିରୋଧରେ ଲଢ଼ିବା ପାଇଁ ଟିକାକୁ ଏକ ଗୁରୁତ୍ୱପୂର୍ଣ୍ଣ ଅସ୍ତ୍ର ଭାବରେ ବିବେଚନା କରାଯାଏ। ତଥାପି ମାସ୍କର ଗୁରୁତ୍ୱ ହ୍ରାସ ପାଇନାହିଁ। ସେଥିପାଇଁ ଲୋକମାନେ ପ୍ରତିଦିନ ମାସ୍କ ବ୍ୟବହାର କରିବାକୁ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ ଦେଉଛନ୍ତି।

ଯଦିଓ ମାସ୍କ କରୋନା କାଳରେ ଲୋକଙ୍କ ପାଇଁ ସବୁଠାରୁ ପ୍ରଭାବଶାଳୀ ସାମଗ୍ରୀ ପାଲଟିଛି, ଜଣେ ଯୁବକ ଏଥିରେ ସାମାନ୍ୟ ତ୍ରୁଟି କରି ଦେବାରୁ ତାଙ୍କୁ ଲକ୍ଷାଧିକ ଟଙ୍କାର ଫାଇନ ଗଣିବାକୁ ପଡ଼ିଛି। ନିକଟରେ ବ୍ରିଟେନରେ ଜଣେ ଯୁବକ କିଛି ସମୟ ପାଇଁ ଏକ ଦୋକାନରେ ନିଜର ମାସ୍କ କାଢ଼ି ଦେଇଥିଲେ। ଯେଉଁଥିପାଇଁ ତାଙ୍କୁ ୨ ଲକ୍ଷ ଟଙ୍କା ଜରିମାନା କରାଯାଇଥିଲା। ଖ୍ରୀଷ୍ଟୋଫର୍‌ ଓ’ଟୁଲ କହିଛନ୍ତି, ସେ ଏକ ଷ୍ଟୋର୍‌ରେ ଶପିଂ କରିବାବେଳେ ସେ ଏକ ମାସ୍କ ପିନ୍ଧିଥିଲେ, କିନ୍ତୁ କିଛି ସେକେଣ୍ଡ ପାଇଁ ସେ ଏହାକୁ ହଟାଇ ଦେଇଥିଲେ। ଏହି ସମୟରେ ଦୋକାନରେ ଉପସ୍ଥିତ ଥିବା ଜଣେ ପୋଲିସ ଅଧିକାରୀ ତାଙ୍କ ନିକଟକୁ ଆସି ମାସ୍କ ପିନ୍ଧି ନ ଥିବାରୁ ତାଙ୍କ ନାମ ଲେଖିଥିଲେ।

ସେ କହିଛନ୍ତି, ମାତ୍ର ୧୬ ସେକେଣ୍ଡ ପାଇଁ ମାସ୍କଟିକୁ ବାହାର କରିଦେଇଥିଲି। କାରଣ ସେତେବେଳେ ମୋତେ ଟିକେ ଅଣନିଃଶ୍ୱାସୀ ଲାଗିଥିଲା। ଖ୍ରୀଷ୍ଟୋଫରଙ୍କୁ ACRO କ୍ରାଇମବ୍ରାଞ୍ଚ ରେକର୍ଡ କାର୍ଯ୍ୟାଳୟରୁ ଏକ ଚିଠି ମିଳିବା ପରେ ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ, ଯେହେତୁ ତାଙ୍କୁ ୟୁରୋ ୧୦୦ ଜରିମାନା ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହି ପରିପ୍ରେକ୍ଷୀରେ, ଯେତେବେଳେ ଖ୍ରୀଷ୍ଟୋଫର୍‌ ଇ-ମେଲରେ ସ୍ପଷ୍ଟୀକରଣ ଦେଇ ଜରିମାନା ଦେବାକୁ ଅକ୍ଷମତା ପ୍ରକାଶ କରିଥିଲେ, ସେତେବେଳେ ଏହି ଜରିମାନା ୟୁରୋ ୨୦୦୦କୁ ବୃଦ୍ଧି କରାଯାଇଥିଲା।

କେବଳ ଏତିକି ନୁହେଁ, ଏହି ମାମଲା କୋର୍ଟରେ ମଧ୍ୟ ପହଞ୍ଚିଛି। ଏହି କାରଣରୁ ଖ୍ରୀଷ୍ଟୋଫରଙ୍କୁ ଶୀଘ୍ର କୋର୍ଟରେ ହାଜର ହେବାକୁ ପଡ଼ିବ। ଖ୍ରୀଷ୍ଟୋଫର୍‌ କହିଛନ୍ତି, ମୁଁ ଏକ ଇ-ମେଲରେ ଲେଖିଛି ଯେ, ମୋର ମାସ୍କକୁ ୧୬ ସେକେଣ୍ଡ କାଢ଼ିବା ପାଇଁ ମୁଁ ଜରିମାନା ଦେବି ନାହିଁ। ଯାହା ପରେ ମାସେ ପର୍ଯ୍ୟନ୍ତ ପୁନର୍ବାର ଏହି ବିଷୟରେ କୌଣସି ସୂଚନା ମିଳିଲା ନାହିଁ। କିନ୍ତୁ ଏବେ ମୋତେ ୨୦୦୦ ୟୁରୋ ଅର୍ଥାତ ୨ ଲକ୍ଷ ଟଙ୍କାର ଜରିମାନା ଲାଗିଥିବା ଏକ ଚିଠି ପାଇ ମୁଁ ଆଶ୍ଚର୍ଯ୍ୟ ବୋଲି ଖ୍ରୀଷ୍ଟୋଫର କୁହନ୍ତି।

Share