ରାଣୀ ଏଲିଜାବେଥ ଦ୍ୱିତୀୟଙ୍କୁ ହତ୍ୟା ଧମକ ଦେଇଥିବା ଯୁବକଙ୍କୁ ୯ ବର୍ଷ ଜେଲ୍‌

ଲଣ୍ଡନ,୬।୧୦: ବ୍ରିଟେନର ସ୍ବର୍ଗତ ରାଣୀ ଏଲିଜାବେଥ ଦ୍ୱିତୀୟଙ୍କୁ ହତ୍ୟା କରିବାର ଷଡଯନ୍ତ୍ର କରି ଜସୱନ୍ତ ସିଂ ଚେଲ ନାମକ ଜଣେ ଶିଖ ଯୁବକଙ୍କୁ ୯ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ଜସୱନ୍ତ ସିଂଙ୍କ ବୟସ ୨୧ ବର୍ଷ ବୋଲି ଦର୍ଶାଯାଇଛି।
ଜସୱନ୍ତ ସିଂ ଚେଲଙ୍କ ମାନସିକ ସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖି କୋର୍ଟ ଏହି ଦଣ୍ଡ ଦେଇଛନ୍ତି। ଲଣ୍ଡନର ଓଲ୍ଡ ବେଲି କୋର୍ଟରେ ଶୁଣାଣି ବେଳେ ଜଜ ନିକୋଲାସ ହିଲିଆର୍ଡ କହିଛନ୍ତି ଯେ, ଚେଲ ସୁସ୍ଥ ନ ହେବା ପର୍ଯ୍ୟନ୍ତ ବରେକଶାୟାରର ଏକ ଉଚ୍ଚ ସୁରକ୍ଷା ମାନସିକ ଡାକ୍ତରଖାନା ବ୍ରଡମୋର୍‌ ହସ୍ପିଟାଲରେ ରଖାଯିବ। ଏହା ପରେ ତାଙ୍କୁ ଜେଲରେ ରଖାଯିବ।
ଡିସେମ୍ବର ୨୫, ୨୦୨୧ ରାଣୀ ଏଲିଜାବେଥ ୱିଣ୍ଡସର ଦୁର୍ଗରେ ଥିବା ତାଙ୍କ ବ୍ୟକ୍ତିଗତ ଆପାର୍ଟମେଣ୍ଟରେ ଥିବାବେଳେ ଜଣେ ଯୁବକ ଧନୁ ଓ ତୀର ଧରି ତାଙ୍କ ନିକଟକୁ ଯାଇଥିଲେ। ଦୁଇଜଣ ଅଧିକାରୀ ତାଙ୍କୁ ଧରିଥିଲେ। ଯୁବକ ଜଣଙ୍କ ଅଧିକାରୀମାନଙ୍କୁ କହିଥିଲେ ଯେ ସେ ରାଣୀଙ୍କୁ ହତ୍ୟା କରିବାକୁ ଆସିଛନ୍ତି। ‘ଷ୍ଟାର୍‌ ୱାର୍ସ’ ସିରିଜ ଦ୍ୱାରା ଅନୁପ୍ରାଣିତ ହେବା ପରେ ଜସୱନ୍ତ ସିଂ ଚେଲ ତାଙ୍କୁ ହତ୍ୟା କରିବାକୁ ନିଷ୍ପତ୍ତି ନେଇଥିଲେ।
ସୋସିଆଲ ମିଡିଆରେ ଏକ ଭିଡିଓରେ ଜସୱନ୍ତ ସିଂ ଚେଲ କହିଥିଲେ ଯେ, ପଞ୍ଜାବର ଅମୃତସରରେ ୧୯୧୯ରେ ହୋଇଥିବା ଜଲିଆନୱାଲା ବାଗ ହତ୍ୟାକାଣ୍ଡର ପ୍ରତିଶୋଧ ନେବା ପାଇଁ ସେ ଏହା କରିଛନ୍ତି। ଦଣ୍ଡବିଧାନ ଆଦେଶ ପଛରେ ଥିବା କାରଣକୁ ବ୍ୟାଖ୍ୟା କରି ବିଚାରପତି କହିଛନ୍ତି ଯେ, ଏହି କାର୍ଯ୍ୟ ୨୦୨୧ରେ ହୋଇଥିଲା ଯେତେବେଳେ ସେ (ଯଶୱନ୍ତ ସିଂ ଚେଲ) ମାନସିକ ସ୍ତରରେ ଫିଟ ଥିଲେ। ଜସୱନ୍ତ ସିଂ ହତ୍ୟା ପାଇଁ ଷଡଯନ୍ତ୍ର କରିଛନ୍ତି, ଏଥିପାଇଁ ତାଙ୍କୁ ଦଣ୍ଡ ଦେବା ଆବଶ୍ୟକ। ଶୁଣାଣି ସମୟରେ କୋର୍ଟଙ୍କୁ କୁହାଯାଇଥିଲା ଯେ, ଜସୱନ୍ତ ସିଂ ଚେଲ ତାଙ୍କ ପରିବାର ସହିତ ୨୦୧୮ରେ ଅମୃତସର ଯାଇଥିଲେ ଏବଂ ସେଠାରେ ସେ ଜଲିଆନୱାଲା ବାଗ ହତ୍ୟାକାଣ୍ଡ ବିଷୟରେ ଜାଣିଥିଲେ। ସେତେବେଳେ ସେ ରାଣୀ ଏଲିଜାବେଥ ଦ୍ୱିତୀୟଙ୍କୁ ହତ୍ୟା କରିବାକୁ ଚିନ୍ତା କରିଥିଲେ।
ସୂଚନାଯୋଗ୍ୟ ଯେ, ରାଣୀ ଏଲିଜାବେଥ ଦ୍ୱିତୀୟ ସେପ୍ଟେମ୍ବର ୨୦୨୨ରେ ୯୬ ବର୍ଷ ବୟସରେ ଦେହାନ୍ତ କରିଥିଲେ। ଗତ ମାସରେ ଜସୱନ୍ତ ସିଂ ଏକ ଚିଠି ମାଧ୍ୟମରେ ରାଜ ପରିବାର ଏବଂ ରାଜା ଚାଲର୍‌ସ ତୃତୀୟଙ୍କୁ କ୍ଷମା ମାଗିଥିଲେ। କୋର୍ଟ ରିପୋର୍ଟ ଅନୁଯାୟୀ, ଜସୱନ୍ତ ସିଂ ଏକ ଭଲ ପରିବାରରୁ ଆସିଛନ୍ତି। ତାଙ୍କ ପିତା ଏରୋସ୍ପେସରେ ସଫ୍ଟୱେୟାର ପରାମର୍ଶଦାତା, ମାତା ଜଣେ ଶିକ୍ଷକ ଏବଂ ତାଙ୍କର ଦୁଇ ଯାଆଁଳା ଭଉଣୀ ବର୍ତ୍ତମାନ ଅଧ୍ୟୟନ କରୁଛନ୍ତି।

Share