ଗାଁ ଦାଣ୍ଡରେ ଯୁବକଙ୍କୁ ବାନ୍ଧି ନିର୍ଧୂମ ଛେଚିଲେ

ପାଟଣା,୧୪।୨(ସ୍ବ.ପ୍ର.):କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅଞ୍ଚଳର ଜଣେ ୧୩ ବର୍ଷର ନାବାଳିକାଙ୍କୁ ଅପହରଣ କରିନେଇ ବଳାତ୍କାର କରିବା ଅଭିଯୋଗରେ ରବିବାର ଗ୍ରାମବାସୀ ଜଣେ ୨୭ ବର୍ଷର ଯୁବକଙ୍କୁ ଗାଁ ମଝିରେ ବାନ୍ଧି ମାଡ଼ ମାରିଛନ୍ତି। ଖବର ପାଇ ତୁରୁମୁଙ୍ଗା ଥାନା ଏଏସ୍‌ଆଇ ଭରତ ଚନ୍ଦ୍ର ନାଏକ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରି ଥାନାକୁ ଆଣି ତଦନ୍ତ ଜାରି ରଖିଛନ୍ତି।

ସୂଚନାନୁଯାୟୀ, ନାବଳିକାଜଣକ ଶନିବାର ସାରେ ପଡ଼ୋଶୀ ଘରକୁ ଯାଉଥିବା ବେଳେ ଅଭିଯୁକ୍ତ ଅନ୍ଧାରର ସୁଯୋଗ ନେଇ ଯୁବକଜଣଙ୍କ ନାବାଳିକାଙ୍କ ପାଟି ବନ୍ଦ କରି କିଛି ରାସ୍ତା ନେଇଯିବା ପରେ ବଳାତ୍କାର କରିଥିଲେ। ଘଟଣା ଜଣାପଡିବା ପରେ ଗ୍ରାମବାସୀ ଅଭିଯୁକ୍ତଙ୍କୁ ସକାଳୁ ଘରୁ ଆଣି ଗାଁ ମଝିରେ ଥିବା କ୍ଳବ ଘର ଖୁଣ୍ଟରେ ବାନ୍ଧି ମାଡ଼ ମାରିଥିବା ନେଇ ଚର୍ଚ୍ଚା ହେଉଛି। ତେବେ ଖବର ଲେଖାଯିବା ପର୍ଯନ୍ତ ନାବାଳିକାଙ୍କ ପରିବାର ତରଫରୁ ଥାନାରେ ଲିଖିତ ଅଭିଯୋଗ ହୋଇ ନାହିଁ।